
ନୂଆଦିଲ୍ଲୀ, ୦୫ ସେପ୍େଟମ୍ବର (ହି.ସ.)- ଲେକ୍ଚରର ପଦବୀରେ ନିଯୁକ୍ତି ପ୍ରକ୍ରିୟାରେ ଅନୁସୂଚିତ ଜାତିର ପ୍ରାର୍ଥୀମାନଙ୍କୁ ସଂରକ୍ଷଣର ଲାଭରୁ ବଂଚିତ କରାଯିବା ଅଭିଯୋଗ ଉପରେ ଜାତୀୟ ଅନୁସୂଚିତ ଜାତି ଆୟୋଗ (ଏନସିଏସସି) ପଞ୍ଜାବର ମୁଖ୍ୟ ସଚିବଙ୍କୁ ନୋଟିସ ଜାରି କରି ସାତ ଦିନ ମଧ୍ୟରେ ଜବାବ ତଲବ କରିଛି।ଏନସିଏସସିର ଅଧ୍ୟକ୍ଷ କିଶୋର ମକୱାନା ଶନିବାର ଏକ ବିବୃତିରେ କହିଛନ୍ତି ଯେ ରାଜ୍ୟସଭା ସାଂସଦ ତରୁଣ ଚୁଗଙ୍କଠାରୁ ପଞ୍ଜାବ ଶିକ୍ଷା ବିଭାଗରେ ଲେକ୍ଚରର ନିଯୁକ୍ତିରେ ସଂରକ୍ଷଣ ନୀତିର କଥିତ ଅଣ-କାର୍ଯ୍ୟାନ୍ୱୟନ ସମ୍ପର୍କରେ ଏକ ଅଭିବେଦନ ମିଳିଛି।
ଅଭିବେଦନରେ ପଞ୍ଜାବ ଶିକ୍ଷା ବିଭାଗ ଦ୍ୱାରା ଅଧିସୂଚିତ ୧,୦୧୩ ଲେକ୍ଚରର ପଦବୀର ନିଯୁକ୍ତି ପ୍ରକ୍ରିୟାରେ ଅନୁସୂଚିତ ଜାତିର ପ୍ରାର୍ଥୀମାନଙ୍କୁ ସଂରକ୍ଷଣର ଲାଭରୁ ବଂଚିତ କରାଯିବାର ଅଭିଯୋଗ କରାଯାଇଛି। ଅଭିଯୋଗ ରହିଛି ଯେ ଅନେକ ବିଷୟ (ପଞ୍ଜାବୀ, କମର୍ସ, ଗଣିତ, ପଦାର୍ଥ ବିଜ୍ଞାନ, ଅର୍ଥନୀତି, ରସାୟନ ବିଜ୍ଞାନ, ଜୀବ ବିଜ୍ଞାନ ଏବଂ ଭୂଗୋଳ ଆଦି)ରେ ସଂରକ୍ଷଣ ନିୟମ ଏବଂ ନିର୍ଦ୍ଧାରିତ ରୋଷ୍ଟର ପ୍ରଣାଳୀର ସଠିକ ଭାବେ ପାଳନ କରାଯାଇନାହିଁ।
ଭାରତର ସମ୍ବିଧାନର ଅନୁଚ୍ଛେଦ ୩୩୮ ଅନୁଯାୟୀ ପ୍ରାପ୍ତ କ୍ଷମତାର ପ୍ରୟୋଗ କରି ଆୟୋଗ ଏହି ମାମଲାର ତଦନ୍ତ କରିବାକୁ ନିଷ୍ପତି ନେଇଛି। ଏ ସମ୍ପର୍କରେ ପଞ୍ଜାବ ସରକାରଙ୍କ ମୁଖ୍ୟ ସଚିବଙ୍କୁ ନୋଟିସ ଜାରି କରାଯାଇଛି, ଯେଉଁଥିରେ ତାଙ୍କୁ ମାମଲାର ତଥ୍ୟ, ଅଭିଯୋଗ ଉପରେ ନିଆଯାଇଥିବା ପଦକ୍ଷେପ ତଥା ସମ୍ପର୍କିତ ସମସ୍ତ ଅଭିଲେଖ (ନିଯୁକ୍ତି ଅଧିସୂଚନା ଏବଂ ସଂରକ୍ଷଣ ରୋଷ୍ଟର ସମେତ) ନୋଟିସ ପ୍ରାପ୍ତିର ସାତ ଦିନ ମଧ୍ୟରେ ଆୟୋଗଙ୍କୁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆୟୋଗର ଅଧ୍ୟକ୍ଷ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜବାବ ନମିଳିଲେ ସେ ସମ୍ବିଧାନର ଅନୁଚ୍ଛେଦ ୩୩୮ ଅନ୍ତର୍ଗତ ସିଭିଲ ନ୍ୟାୟାଳୟର କ୍ଷମତା ପ୍ରୟୋଗ କରି ବ୍ୟକ୍ତିଗତ ଉପସ୍ଥିତି ପାଇଁ ସମନ ଜାରି କରିପାରନ୍ତି।
ମକୱାନା କହିଛନ୍ତି ଯେ ଲେକ୍ଚରର ନିଯୁକ୍ତି ପ୍ରକ୍ରିୟାରେ ଅନୁସୂଚିତ ଜାତିର ପ୍ରାର୍ଥୀମାନଙ୍କୁ ସଂରକ୍ଷଣର ଲାଭରୁ ବଂଚିତ କରାଯିବା ମାମଲା ଅତ୍ୟନ୍ତ ଗମ୍ଭୀର। ଆୟୋଗ ଅନୁସୂଚିତ ଜାତିମାନଙ୍କର ସାମ୍ବିଧାନିକ ଅଧିକାରର ସୁରକ୍ଷା ତଥା ସରକାରୀ ସେବାରେ ସଂରକ୍ଷଣ ବ୍ୟବସ୍ଥାର କଡ଼ାକଡ଼ି ପାଳନ ସୁନିଶ୍ଚିତ କରିବା ପାଇଁ ପ୍ରତିବଦ୍ଧ। ଆୟୋଗ ଆଇନ ଅନୁଯାୟୀ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବ।
-----------
---------------
ହିନ୍ଦୁସ୍ଥାନ ସମାଚାର / ଗଗନ