
ଜୟପୁର, ୫ ସେପ୍ଟେମ୍ବର (ହି.ସ.)- ଗୋରକ୍ଷା ପାଇଁ ଗୋପାଳ ମାନେ ଆଗକୁ ଆସନ୍ତୁ । ସାଂପ୍ରତିକ ପରିସ୍ଥିତିରେ ଦେଶରେ ଗୋ ବଂଶ କମିବାରେ ଲାଗିଛି । ଗୋ ମାତାଙ୍କ ସୁରକ୍ଷା ନାମରେ ଜାତି ଜାତି ମଧ୍ୟରେ ବିଭେଦ ସୃଷ୍ଟି କରାଯାଉଛି । ଯାହାର ପରିଣାମ ସମାଜକୁ ଏବଂ ଦେଶକୁ ଭୋଗିବାକୁ ପଡୁଛି । ତେଣୁ ଏଭଳି ସ୍ଥିତିରେ ଗୋ ସୁରକ୍ଷା ପାଇଁ କେବଳ ଗୋପାଳ ଜାତି ହିଁ ନେତୃତ୍ୱ ନେବା ଆବଶ୍ୟକ । ଗୋପାଳ ମାନେ ଚାହିଁଲେ ହିଁ ଗୋ ସୁରକ୍ଷା ହୋଇପାରିବ ବୋଲି ଆଜି ଆହ୍ୱାନ ଦେଇଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି । ଜୟପୁର ଟାଉନ୍ ହଲ୍ ଠାରେ ଆୟୋଜିତ କୋରାପୁଟ ଜିଲ୍ଲା ଗୋପାଳ ସମାଜର ନନ୍ଦ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ବାହିନୀପତି କହିଛନ୍ତି ଯେ, ଗୋପାଳ ମାନେ ଚାହିଁଲେ ନିଜ କୌଳିକ ବୃତିକୁ ଭଲପାଇବା ସଦୃଶ କେନ୍ଦୁ ଠେଙ୍ଗା ଧରି ଆଗକୁ ଆସିବେ ଏବଂ ଗୋ ଚାଲାଣକାରୀଙ୍କୁ ରାସ୍ତାରୁ ହଟାଇବାରେ ସହଯୋଗ କରିବ । ଯାହା ଗୋ ସୁରକ୍ଷାର କବଚ ହେବ ବୋଲି ସେ କହିଛନ୍ତି । ୧୯୯୨ ମସିହାରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋରାପୁଟ ଜିଲ୍ଲା ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଆଜି ନନ୍ଦ ଉତ୍ସବ ପାଳନ ହୋଇଥିଲା ।
ଜିଲ୍ଲା ସଭାପତି କବିରାଜ ପରମେଶ୍ୱର ପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଗଂଜାମ ଜିଲ୍ଲା କୋଷାଧ୍ୟକ୍ଷ ଅଧ୍ୟାପକ ଶରତ ଚନ୍ଦ୍ର ଗୌଡ଼ ଯୋଗ ଦେଇଥିବା ବେଳେ ମୁଠା ସଭାପତି ଭାସ୍କର ଗୌଡ଼, ଯାଦବ ଜିଲ୍ଲା ସଭାପତି ମଦନ ମୋହନ ନାୟକ ମଂଚାସୀନ ରହିଥିଲେ । କାର୍ଯ୍ୟକ୍ରମକୁ ଉପଦେଷ୍ଟା ଡାକ୍ତର ସୁଦର୍ଶନ ଗୌଡ଼ ସଂଯୋଜନା କରିଥିବା ବେଳେ ଜିଲ୍ଲା ସଂପାଦକ ରାଜେନ୍ଦ୍ର ଗୌଡ଼ ପ୍ରାରମ୍ଭିକ ସୂଚନା ପ୍ରଦାନ ସହ ଧନ୍ୟବାଦ ଅର୍ପଣ କରିଥିଲେ । ଏହାକୁ ରବି ନାରାୟଣ ଗୌଡ଼, ଦଣ୍ଡାସୀ ,ଗୌଡ଼ ନାରାୟଣ ଗୌଡ଼, କୃଷ୍ଣଚନ୍ଦ୍ର ଗୌଡ଼, ମାଗୁଣୀ ଗୌଡ଼, ରାମଚନ୍ଦ୍ର ମହାଙ୍କୁଡ଼, ବିଜୟ ଗୌଡ଼, ବାବୁଲା ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ ।
ଏହି ଅବସରରେ ଭଜନ ସଙ୍ଗୀତ ଓ ନୃତ୍ୟ ଅନୁଷ୍ଠିତ ହୋଇଥିଲା । ଏଥିର ପ୍ରତିଯୋଗୀ ମାନଙ୍କୁ ସମାଜ ପକ୍ଷରୁ ମାନପତ୍ର ପ୍ରଦାନ କରାଯାଇଥିଲା । ତତ୍ ସହ ସମାଜର ଅନେକ ବରିଷ୍ଠ ବ୍ୟକ୍ତିତ୍ଵଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି