
ଝାରସୁଗୁଡ଼ା, ୫ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ଶନିବାର ବେହେରାମାଲ ୟୁନିଟ୍-୨ସ୍ଥିତ ଏମ୍ସିଏଲ୍ ଅଡିଟୋରିୟମ ନିକଟରେ ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ଅଧିକାରୀ ହିରଣ୍ୟ କୁମାର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଉପସ୍ଥିତିରେ ଏହି ଭୂମିପୂଜନ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଏଥିରେ ବନ୍ୟପ୍ରାଣୀ ୱାର୍ଡେନ୍ ପ୍ରହଲ୍ଲାଦ ନାୟକ, ପରିବେଶ ବିଜ୍ଞାନୀ ଅନୁଷା ଏକ୍କାଙ୍କ ସମେତ ଆଞ୍ଚଳିକ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ।
ସୂଚନା ଅନୁସାରେ, ପ୍ରାୟ ୧ ଏକର ପରିମିତ ଜମିରେ ଏହି ନୂତନ କାର୍ଯ୍ୟାଳୟ ଗୃହ ନିର୍ମାଣ କରାଯିବ। ନୂତନ କାର୍ଯ୍ୟାଳୟ ନିର୍ମାଣ ହେବା ପରେ ଝାରସୁଗୁଡ଼ା ଜିଲ୍ଲାରେ ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଏ ସମ୍ପର୍କିତ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ଦ୍ରୁତ ଗତିରେ ସମ୍ପାଦନ କରିବା ସମ୍ଭବ ହେବ ବୋଲି ଆଶା ପ୍ରକାଶ ପାଇଛି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ