
ସମ୍ବଲପୁର, ୦୫, ସେପ୍ଟେମ୍ବର (ହି.ସ.) - ସମ୍ବଲପୁର ସହଯୋଗ ନଗର ବୁଢ଼ାରଜା ସ୍ଥିତ ଶ୍ରୀ ଶ୍ରୀ ରାଧାକୃଷ୍ଣ ମନ୍ଦିର ପରିସରରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ମହୋତ୍ସବ ଓ ନନ୍ଦୋତ୍ସବ ଦୁଇଦିନ ଧରି ଭକ୍ତିମୟ ଓ ଆନନ୍ଦମୟ ପରିବେଶରେ ମହାସମାରୋହରେ ପାଳିତ ହୋଇଯାଇଛି। ରାଧାକୃଷ୍ଣ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ଧାର୍ମିକ ଉତ୍ସବରେ ସହଯୋଗ ନଗର ସମେତ ଆଖପାଖ ଅଂଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେଇ ରାଧାକୃଷ୍ଣଙ୍କ ଦର୍ଶନ କରି ଆଶୀର୍ବାଦ ଓ କୃପା ଲାଭ କରିଥିଲେ। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ମନ୍ଦିରରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ଓ ଧାର୍ମିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଭକ୍ତମାନେ ମନ୍ଦିରରେ ଉପସ୍ଥିତ ରହି ପ୍ରଭୁ ଶ୍ରୀକୃଷ୍ଣଙ୍କ ଦର୍ଶନ କରିବା ସହ ଭକ୍ତି ଓ ଶ୍ରଦ୍ଧାର ସହିତ ଜନ୍ମାଷ୍ଟମୀ ପାଳନ କରିଥିଲେ। ସେହିପରି ସେପ୍େଟମ୍ବର ୫ ତାରିଖ ନନ୍ଦୋତ୍ସବ ଅବସରରେ ଭଜନ ଓ ଭକ୍ତିମୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭଜନରେ ମନ୍ଦିର ପରିସର ଭକ୍ତିରସରେ ଭରିଯାଇଥିବା ବେଳେ ଭକ୍ତମାନଙ୍କ ପାଇଁ ମହାପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଶ୍ରଦ୍ଧାଳୁମାନେ ପ୍ରସାଦ ସେବନ କରି ଉତ୍ସବର ଆନନ୍ଦ ନେଇଥିଲେ। ଏହି ଅବସରରେ ସହଯୋଗ ନଗର ନିବାସୀ ସୁକସ ମୟ ସାହୁ ଓ ତାଙ୍କ ଧର୍ମପତ୍ନୀ କାମିନୀ ସାହୁ କର୍ତା ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ପଣ୍ଡିତ ଦେବେନ୍ଦ୍ର ନନ୍ଦ ଓ ତାଙ୍କ ସହଯୋଗୀମାନଙ୍କ ଦ୍ୱାରା ଯଥାବିଧି ପୂଜାପାଠ ଓ ଧାର୍ମିକ ବିଧିବିଧାନ ସମ୍ପନ୍ନ କରାଯାଇଥିଲା। ଉତ୍ସବର ସଫଳ ଆୟୋଜନରେ ରାଧାକୃଷ୍ଣ ମନ୍ଦିର ଟ୍ରଷ୍ଟର ସଭାପତି ଆଶିଷ ପତି, ଉପସଭାପତି ସୂର୍ଯ୍ୟକାନ୍ତ ବାରିକ, ସମ୍ପାଦକ ରଞ୍ଜନ ପାତ୍ର, ସହସମ୍ପାଦକ ଅଶୋକ ଧର, କୋଷାଧ୍ୟକ୍ଷ ସଞ୍ଜୟ ମିଶ୍ର, ଭକ୍ତବନ୍ଧୁ ସାହୁ, ମୁନୁରାମ ଯାଦବଙ୍କ ସମେତ ଟ୍ରଷ୍ଟର ଅନ୍ୟାନ୍ୟ କାର୍ଯ୍ୟକର୍ତା ଓ ସ୍ୱେଚ୍ଛାସେବୀମାନେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଶେଷରେ ଟ୍ରଷ୍ଟ ପକ୍ଷରୁ ଉତ୍ସବରେ ଯୋଗଦେଇ ଏହାକୁ ସଫଳ କରିଥିବା ସମସ୍ତ ଭକ୍ତ, ଶ୍ରଦ୍ଧାଳୁ, ସହଯୋଗୀ ଓ ଅଂଚଳବାସୀଙ୍କୁ କୃତଜ୍ଞତା ଜଣାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ