ଦୁଇ ଦଶନ୍ଧି ଧରି ଶିକ୍ଷା, ସଂସ୍କାର ଓ ଆତ୍ମବିଶ୍ଵାସର ଆଲୋକ ବାଣ୍ଟୁଛନ୍ତି ଗୁରୁ ବିନାଶ ମିଶ୍ର
ମାଲକାନଗିରି, ୫ ସେପ୍ଟେମ୍ବର (ହି.ସ.)- ଗୁରୁ ଦିବସ ଅବସରରେ ଆଜି ଆମେ ଏମିତି ଜଣେ ଆଦର୍ଶ ଗୁରୁଙ୍କ କଥା ଉପସ୍ଥାପନ କରୁଛୁ, ଯିଏ ନିଜ ଜୀବନର ସମସ୍ତ ସୁଖ-ସ୍ୱପ୍ନକୁ ପଛରେ ପକାଇ ଗତ ଦୁଇ ଦଶନ୍ଧି ଧରି ଅନ୍ୟମାନଙ୍କ ଜୀବନ ଗଢ଼ିବାରେ ନିଜକୁ ସମର୍ପିତ କରିଛନ୍ତି। ସେ ହେଲେ ମାଲକାନଗିରି ଜିଲ୍ଲାର ବିନାଶ ମି
ଦୁଇ ଦଶନ୍ଧି ଧରି ଶିକ୍ଷା, ସଂସ୍କାର ଓ ଆତ୍ମବିଶ୍ୱାସର ଆଲୋକ ବାଣ୍ଟୁଛନ୍ତି ଗୁରୁ ବିନାଶ ମିଶ୍ର


ମାଲକାନଗିରି, ୫ ସେପ୍ଟେମ୍ବର (ହି.ସ.)- ଗୁରୁ ଦିବସ ଅବସରରେ ଆଜି ଆମେ ଏମିତି ଜଣେ ଆଦର୍ଶ ଗୁରୁଙ୍କ କଥା ଉପସ୍ଥାପନ କରୁଛୁ, ଯିଏ ନିଜ ଜୀବନର ସମସ୍ତ ସୁଖ-ସ୍ୱପ୍ନକୁ ପଛରେ ପକାଇ ଗତ ଦୁଇ ଦଶନ୍ଧି ଧରି ଅନ୍ୟମାନଙ୍କ ଜୀବନ ଗଢ଼ିବାରେ ନିଜକୁ ସମର୍ପିତ କରିଛନ୍ତି। ସେ ହେଲେ ମାଲକାନଗିରି ଜିଲ୍ଲାର ବିନାଶ ମିଶ୍ର। ଗତ ୨୦ ବର୍ଷ ଧରି ସେ ନିଜସ୍ୱ ଉଦ୍ୟମରେ ଗରିବ, ଅସହାୟ ଓ ଆଦିବାସୀ ପିଲାମାନଙ୍କୁ ଶିକ୍ଷା ସହ ମାର୍ଶାଲ ଆର୍ଟ ଓ ଜୁଡୋ ପ୍ରଶିକ୍ଷଣ ଦେଇ ଆସୁଛନ୍ତି। ‘ଆଓମା ଗୁରୁକୁଳ’ ନାମକ ଏକ ସଂସ୍ଥା ପ୍ରତିଷ୍ଠା କରି ବିନାଶ ମିଶ୍ର ପ୍ରାୟ ୭୦ରୁ ଅଧିକ ପିଲାଙ୍କ ଭବିଷ୍ୟତ ଗଠନ ପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି। ଜିଲ୍ଲାର ଦୁର୍ଗମ ବଣ୍ଡାଘାଟି ଓ ସ୍ୱାଭିମାନ ଅଞ୍ଚଳ ସମେତ ବିଭିନ୍ନ ଗ୍ରାମର ଅନାଥ, ବାପା-ମା’ ଛେଉଣ୍ଡ ଓ ଦରିଦ୍ର ପିଲାମାନଙ୍କୁ ନିଜ ପାଖରେ ରଖି ସେମାନଙ୍କ ଶିକ୍ଷା ଓ ସର୍ବାଙ୍ଗୀନ ବିକାଶର ବ୍ୟବସ୍ଥା କରିଛନ୍ତି। କେବଳ ଶିକ୍ଷା ନୁହେଁ, ଜଣେ ଦକ୍ଷ ଜୁଡୋ ଖେଳାଳି ଭାବେ ବିନାଶ ମିଶ୍ର ପିଲାମାନଙ୍କୁ ଜୁଡୋ ଓ ମାର୍ଶାଲ ଆର୍ଟର ମଧ୍ୟ ପ୍ରଶିକ୍ଷଣ ଦେଉଛନ୍ତି। ତାଙ୍କ ତତ୍ତ୍ୱାବଧାନରେ ପ୍ରଶିକ୍ଷିତ ଛାତ୍ରଛାତ୍ରୀମାନେ ରାଜ୍ୟ, ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ୬୦ରୁ ଅଧିକ ପଦକ ଜିତି ମାଲକାନଗିରି ଜିଲ୍ଲାକୁ ଗୌରବାନ୍ୱିତ କରିଛନ୍ତି। ସେଥିମଧ୍ୟରେ ୩୦ଟି ସ୍ୱର୍ଣ୍ଣ ପଦକ ରହିଥିବା ବେଳେ ଦୁଇଟି ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଛାତ୍ରଛାତ୍ରୀମାନେ କେବଳ କ୍ରୀଡ଼ା କ୍ଷେତ୍ରରେ ନୁହେଁ, ଜାତୀୟ ଟେଲିଭିଜନ ଚ୍ୟାନେଲ ଜି ଟିଭି, ସୋନି ଟିଭି ଓ କଲର୍ସ ଭଳି ମଞ୍ଚରେ ନିଜ ପ୍ରତିଭା ପ୍ରଦର୍ଶନ କରି ଜିଲ୍ଲା ପାଇଁ ସମ୍ମାନ ଆଣିଛନ୍ତି। ବିନାଶ ମିଶ୍ର ନିଜସ୍ୱ ଉଦ୍ୟମରେ ପିଲାମାନଙ୍କ ଖାଦ୍ୟ, ପୋଷାକ ଓ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ବ୍ୟବସ୍ଥା କରୁଥିବା ବେଳେ ବର୍ତ୍ତମାନ ମଧ୍ୟ ପ୍ରାୟ ୩୦ ଜଣ ଯୁବକ-ଯୁବତୀ ତାଙ୍କ ନିକଟରେ ରହି ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି। ସେ ମାଥିଲିରେ ‘ଆଓମା’ର ଏକ ଶାଖା କେନ୍ଦ୍ର ଖୋଲି ସେଠାରେ ମଧ୍ୟ ଶିକ୍ଷା ଓ ଜୁଡୋ ପ୍ରଶିକ୍ଷଣ ଜାରି ରଖିଛନ୍ତି। ବିନାଶଙ୍କ ଉଦ୍ୟମ ଅନେକ ଯୁବକ ଯୁବତୀଙ୍କ ଜୀବନରେ ନୂଆ ଆଶାର ସଞ୍ଚାର କରିଛି।

ବାପା-ଛେଉଣ୍ଡ ମାସି ହନ୍ତାଳ ବିଭିନ୍ନ ପ୍ରଶିକ୍ଷଣ ଓ ପଦକ ହାସଲ କରି ବର୍ତ୍ତମାନ ଜଣେ ଜିମ୍ ଟ୍ରେନର ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ଲକ୍ଷ୍ମୀ ସୋଡି ଜଣେ କନିଷ୍ଠ ଯନ୍ତ୍ରୀ ଭାବେ ନିଯୁକ୍ତି ପାଇଥିବା ବେଳେ ବଣ୍ଡାଘାଟିର ରାମ କବାସୀ, ଯାହାଙ୍କୁ ୯ ବର୍ଷ ବୟସରୁ ବିନାଶ ନିଜ ପାଖରେ ରଖି ପ୍ରଶିକ୍ଷଣ ଦେଇଥିଲେ, ସେ ଆଜି ଜଣେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି। ପ୍ରଶାସନ, ବିଭିନ୍ନ ଅଧିକାରୀ ଓ ସମାଜର ଅନେକ ସହୃଦୟ ବ୍ୟକ୍ତିଙ୍କ ସହଯୋଗରେ ଏହି ଅନୁଷ୍ଠାନ ଆଗକୁ ବଢ଼ୁଥିବା ବେଳେ ବିନାଶ ମିଶ୍ର ନିଜର ବ୍ୟକ୍ତିଗତ ଜୀବନକୁ ପଛରେ ରଖି ଅବିବାହିତ ରହି ସମ୍ପୂର୍ଣ୍ଣ ଭାବେ ଅସହାୟ ପିଲାଙ୍କ ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଆଜିର ସମାଜରେ ଏପରି ନିସ୍ୱାର୍ଥପର ଗୁରୁ ଅତ୍ୟନ୍ତ ବିରଳ। ବିନା କୌଣସି ବେତନ କିମ୍ବା ସ୍ୱାର୍ଥରେ ଦୁଇ ଦଶନ୍ଧି ଧରି ଶିକ୍ଷା, ସଂସ୍କାର ଓ ଆତ୍ମବିଶ୍ୱାସର ଆଲୋକ ବାଣ୍ଟୁଥିବା ବିନାଶ ମିଶ୍ର ନିଶ୍ଚିତ ଭାବେ ଆଜିର ଗୁରୁ ଦିବସରେ ଜଣେ ପ୍ରକୃତ ମାର୍ଗଦର୍ଶକ ଓ ଆଦର୍ଶ ଗୁରୁ ଭାବେ ସମାଜ ପାଇଁ ପ୍ରେରଣାର ଉତ୍ସ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande