
ଜୟପୁର, ୫ ସେପ୍ଟେମ୍ବର (ହି.ସ.)- ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଶାରଦା ବିହାର, ଜୟପୁରଠାରେ ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସତ୍ୟ ନାରାୟଣ ସେଠୀଙ୍କ ଅଧ୍ୟକ୍ଷତାରେ ଗୁରୁଦିବସ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ବରିଷ୍ଠ ଶିକ୍ଷକ ବି. ସିମାଦ୍ରୀ ଆପନ୍ନା । ସେହିପରି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି କିଶୋର ଚନ୍ଦ୍ର ପଣ୍ଡା, ସଂପାଦକ ବିଜୟ କୁମାର ଭଟ୍ଟ, ସଦସ୍ୟା ଶ୍ରୀମତୀ ସୁସ୍ମିତା ଦାସ ମଧ୍ୟ ଯୋଗଦେଇ ଶିଶୁଙ୍କୁ ଉତ୍ସାହିତ କରିଥିଲେ ।
କାର୍ଯ୍ୟକ୍ରମ ଆରମ୍ଭରେ ଶିଶୁ ଭଉଣୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା । ଏହାପରେ ମୁଖ୍ୟ ଅତିଥିଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାୟରେ ଶିଶୁ ଭଉଣୀ ସୁଶ୍ରୀ ଆରାଧନା ସାହୁ ଏବଂ ସୁଶ୍ରୀ ଅନନ୍ୟା ତ୍ରିପାଠୀଙ୍କ ଦ୍ୱାରା ଗୁରୁଦିବସର ମହତ୍ତ୍ୱ ବିଷୟରେ ଅଭିଭାଷଣ ଶୁଣିବାକୁ ମିଳିଥିଲା । ମୁଖ୍ୟ ଅତିଥି ନିଜର ବକ୍ତବ୍ୟ ମାଧ୍ୟମରେ ଗୁରୁ, ଗୁରୁଭକ୍ତି, ପିତାମାତା, ଶିକ୍ଷା ପ୍ରଦାନ ଓ ଶିକ୍ଷା ଗ୍ରହଣର ମହତ୍ତ୍ୱ ବିଷୟରେ ଶିଶୁଙ୍କୁ ଜଣାଇଥିଲେ । ସେ ଆବାହମାନ କାଳରୁ ଚଳିଆସିଥିବା ଗୁରୁ-ଶିଷ୍ୟ ସଂପର୍କ ଏବଂ ଗୁରୁଙ୍କ ଆଶୀର୍ବାଦ ଶିଷ୍ୟପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜ ଭାଷଣରେ ଶିଶୁଙ୍କୁ କହିବା ସହ ସମସ୍ତ ଶିଶୁଙ୍କୁ ଆଗକୁ ବଢିବା ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ । ଶିଶୁମାନଙ୍କ ଦ୍ୱାରା ଗୁରୁପୂଜନ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା । ସମସ୍ତ ଗୁରୁଜୀ ଗୁରୁମାମାନଙ୍କୁ ବନ୍ଦନା କରାଯାଇ ଚନ୍ଦନ ଲଗାଯାଇ, ପୁଷ୍ପଗୁଚ୍ଛ ପ୍ରଦାନ କରି ଶିଶୁମାନେ ସେମାନଙ୍କଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ ।
କାର୍ଯ୍ୟକ୍ରମର ପରିଚାଳନା ବିଦ୍ୟାଳୟର ବରିଷ୍ଠ ଆଚାର୍ଯ୍ୟ ଅନନ୍ତ ନାରାୟଣ ମହାପାତ୍ର ସଂପାଦନ କରିଥିବା ବେଳେ, ଗୁରୁମା ଶ୍ରୀମତୀ ସରୋଜିନୀ ପାଣିଗ୍ରାହୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ସଫଳତାରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ତଥା ସମସ୍ତ ସେବାବ୍ରତୀ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି