
ଝାରସୁଗୁଡ଼ା, 05 ସେପ୍ଟେମ୍ବର (ହି.ସ.)ଝାରସୁଗୁଡ଼ା ଡିଏଭି ପବ୍ଲିକ ସ୍କୁଲ ପରିସରରେ ଭକ୍ତି, ଆଗ୍ରହ ଓ ଉତ୍ସାହର ସହିତ ନିଆରା ଢଙ୍ଗରେ ଗୁରୁ ଦିବସ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତାଙ୍କ ସଭାପତିତ୍ବରେ ଆୟୋଜିତ ଗୁରୁଦିବସ ପାଳନ ଅବସରରେ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋ ଫଳକରେ ମାଲ୍ୟାର୍ପଣପୂର୍ବକ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଯାଇଥିଲା । ତ୍ରିଦିବସୀୟ ଏହି ଗୁରୁ ପୂଜନ ଉତ୍ସବର ପ୍ରଥମ ଦିବସରେ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ସମସ୍ତେ ପ୍ରକୃତିକୁ ଗୁରୁ ରୂପେ ପୂଜନ କରିବା ସହ ବିଦ୍ୟାଳୟ ପରିସରରେ ଚାରା ରୋପଣ କରିଥିଲେ । ଦ୍ୱିତୀୟ ଦିବସରେ ଛାତ୍ରଛାତ୍ରୀ ନିଜ ନିଜ ଘରେ ପିତାମାତାଙ୍କୁ ଗୁରୁ ରୂପେ ପୂଜା କରି ସେମାନଙ୍କଠାରୁ ଆଶୀର୍ବାଦ ଭିକ୍ଷା କରିଥିଲେ । ଅନ୍ତିମ ପର୍ଯ୍ୟାୟ ତଥା ତୃତୀୟ ଦିବସରେ ସମସ୍ତ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚନ୍ଦନ ତିଳକ ଲଗାଇବା ସହ ଗୁରୁପୂଜନ କରିଥିଲେ ଓ ସ୍ଵହସ୍ତରେ ତିଆରି ଅଭିନନ୍ଦନ ପତ୍ର ପ୍ରଦାନ କରିଥିଲେ । ଅଧ୍ୟକ୍ଷ ଶ୍ରୀ ଦେବତା ସ୍ୱାଗତ ଭାଷଣରେ ଗୁରୁଦିବସର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଗୁରୁଶିଷ୍ୟ ପରମ୍ପରାକୁ ବଜାୟ ରଖିବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ। ବିଦ୍ୟାଳୟର ପରିଚାଳନା ସମିତି ସଦସ୍ୟ ତଥା ବରିଷ୍ଠ ଆଇନଜୀବୀ ତାପସ କୁମାର ରାୟ ଚୌଧୁରୀ ଓ ତାଙ୍କ ପତ୍ନୀ ରେଖା ରାୟ ଚୌଧୁରୀ ଏବଂ ଅଧ୍ୟକ୍ଷ ଲକ୍ଷ୍ମୀକାନ୍ତ ଦେବତା ଓ ତାଙ୍କ ପତ୍ନୀ ସୀମା ଦେବତା ବିଶେଷ ଅତିଥି ଭାବେ ଯୋଗଦାନପୂର୍ବକ ଗୁରୁଦିବସ ପାଳନରେ ସାମିଲ ହୋଇଥିଲେ । ଶ୍ରୀ ରାୟ ଚୌଧୁରୀ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଅଧ୍ୟାପନା ପରି କାର୍ଯ୍ୟକୁ ଆରାଧନା ଭାବି କାର୍ଯ୍ୟ କରିବାକୁ ଉଦବୋଧନ ଦେଇଥିଲେ । ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟ ତରଫରୁ ସମସ୍ତଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ବିଦ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷକ ସମାଜକୁ ପୂଜା କରିବା ସହିତ ପ୍ରକୃତିର ସମସ୍ତ ଉପାଦାନକୁ ପୂଜା କରିବା ଓ ପିତାମାତାଙ୍କୁ ସମ୍ମାନ କରିବା ପାଇଁ ଉଦବୋଧନ ଦିଆଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ