
ଝାରସୁଗୁଡ଼ା, ୫ ସେପ୍ଟେମ୍ବର (ହି.ସ.)- ନେପାଳରେ ଘଟିଥିବା ବନ୍ୟା ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପୀଡ଼ିତଙ୍କ ସହାୟତା ପାଇଁ ଆଗେଇ ଆସିଛି ରୋଟାରୀ କ୍ଲବ୍ ଅଫ୍ ଝାରସୁଗୁଡ଼ା। ଏନେଇ ଟାଉନ୍ ଥାନା ନିକଟରେ କ୍ଲବ୍ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। କ୍ଲବ୍ ସଭାପତି ନବୀନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ସଭାରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ମହମବତୀ ଜଳାଇ ନେପାଳ ବନ୍ୟାରେ ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ ରୋଟାରୀ କ୍ଲବ୍ ପକ୍ଷରୁ ୫୧ ହଜାର ଟଙ୍କାର ଚେକ୍ ନେପାଳ ପ୍ରଧାନମନ୍ତ୍ରୀ ରିଲିଫ୍ ଫଣ୍ଡକୁ ପ୍ରଦାନ କରାଯାଇଥିଲା।
ସଭାରେ କ୍ଲବ୍ ସମ୍ପାଦକ ସୁଶୀଲ ମୁଦ୍ରା, କୋଷାଧ୍ୟକ୍ଷ ରବି ଅଗ୍ରୱାଲ, ପ୍ରୋଜେକ୍ଟ ଡାଇରେକ୍ଟର ରାକେଶ ଅଗ୍ରୱାଲ, ରାକେଶ ସା, ମନିଷ ସା, ବିକାଶ ବଧାନ, ଅଶୋକ କେଡିଆ, ସୁନୀଲ କେଡିଆ, ନୀରବ ଆଥା, ରଞ୍ଜିତ ଚୌଧୁରୀ, ଅଶୋକ ଗାନ୍ଧୀ, ଚୁନ୍ନି କକାନି ପ୍ରମୁଖ ଉପସ୍ଥିତ ଥିଲେ।
ଏହାସହ ପୁଲିସ୍ ଅଧିକାରୀ ଓ ସିପାହୀଙ୍କ ସମେତ ସହରର ବହୁ ଲୋକ ଉପସ୍ଥିତ ରହି ନେପାଳ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ଶୋକ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ