
ଝାରସୁଗୁଡ଼ା, ୫ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ପୌରପାଳିକାରେ ସରକାରୀ ପାଣ୍ଠିର ଆର୍ଥିକ ଅନିୟମିତତା ଓ ହେରଫେର ଅଭିଯୋଗକୁ ନେଇ ଭିଜିଲାନ୍ସ ତଦନ୍ତ ଜୋରଦାର ହୋଇଛି। ୨୦୨୩-୨୪ ଓ ୨୦୨୪-୨୫ ଆର୍ଥିକ ବର୍ଷରେ ପ୍ରାୟ ୪୦ ଲକ୍ଷ ଟଙ୍କାର ସରକାରୀ ଅର୍ଥରେ ଅନିୟମିତତା ହୋଇଥିବା ଅଭିଯୋଗରେ ତଦନ୍ତ ଚାଲିଥିବା ଜଣାପଡ଼ିଛି। ଏହି ଘଟଣାରେ ଝାରସୁଗୁଡ଼ା ଭିଜିଲାନ୍ସ ୟୁନିଟ୍ ର ଡିଏସପି କଳାବତୀ ବାଗଙ୍କ ପକ୍ଷରୁ ପୌରାଧ୍ୟକ୍ଷା ରାନୀ ହାତୀଙ୍କୁ ନୋଟିସ୍ ଜାରି କରାଯାଇଛି। ନୋଟିସ୍ ନମ୍ବର ୬୮୨/୨୦୨୬ ଅନୁଯାୟୀ, ରାଉରକେଲା ଭିଜିଲାନ୍ସ ଫାଇଲ୍ ନମ୍ବର ୨/୨୦୨୬ ଆଧାରରେ ଏହି ତଦନ୍ତ କରାଯାଉଛି।
ନୋଟିସ୍ ରେ ଆର୍ଥିକ ଅନିୟମିତତା ଓ ଅର୍ଥ ହେରଫେର ସମ୍ପର୍କିତ ଅଭିଯୋଗର ଛାନଭିନ୍ ପାଇଁ ସେପ୍ଟେମ୍ବର ୮ ତାରିଖ ପୂର୍ବାହ୍ନ ୧୦ଟା ୩୦ରେ ଝାରସୁଗୁଡ଼ା ଭିଜିଲାନ୍ସ ୟୁନିଟ୍ କାର୍ଯ୍ୟାଳୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ ପୌରାଧ୍ୟକ୍ଷାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପୌରପାଳିକାର ଅର୍ଥ କାରବାର ଓ ଏଥିରେ ଅଧିକାରୀଙ୍କ ସମ୍ଭାବ୍ୟ ସଂପୃକ୍ତି ନେଇ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି। ତେବେ ତଦନ୍ତ ଶେଷ ହେବା ପରେ ହିଁ ଅଭିଯୋଗର ସତ୍ୟତା ଓ ଦାୟୀ ବ୍ୟକ୍ତିଙ୍କ ସମ୍ପର୍କରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ