
ପୁରୀ, ୦୫ ସେପ୍ଟେମ୍ବର (ହି.ସ.) - ପାରମ୍ପରିକ ହସ୍ତଶିଳ୍ପ, ହସ୍ତତନ୍ତ ତଥା ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିର ସୁରକ୍ଷା, ପ୍ରଚାର-ପ୍ରସାର ଏବଂ କାରିଗରମାନଙ୍କୁ ଉପଯୁକ୍ତ ବଜାର ସହ ଯୋଡ଼ିବା ଓ ସେମାନଙ୍କୁ ସମ୍ମାନ ପ୍ରଦାନ ଉଦ୍ଦେଶ୍ୟରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପୁରୀରେ ସଫଳତାର ସହ ସମାପ୍ତ ହୋଇଛି। ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳ ଓ ‘ସଂପର୍କ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପାରମ୍ପରିକ କଳା, ଶିଳ୍ପୀ ଓ କାରିଗରମାନଙ୍କ ଅବଦାନକୁ ସମ୍ମାନିତ କରାଯିବା ସହ ଏହି ଐତିହ୍ୟକୁ ନୂଆ ପିଢ଼ି ନିକଟରେ ପହଂଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ଟେରାକୋଟା, ପଟ୍ଟଚିତ୍ର, ହସ୍ତତନ୍ତ, ପାରମ୍ପରିକ ଅଳଙ୍କାର, ମାଟି ଶିଳ୍ପ ସମେତ ବିଭିନ୍ନ ଲୋକକଳା ଓ ହସ୍ତଶିଳ୍ପର କଳାକୃତି ପ୍ରଦର୍ଶିତ ହୋଇଥିଲା। ବିଭିନ୍ନ ପାରମ୍ପରିକ ଶିଳ୍ପ ସହ ଜଡ଼ିତ କାରିଗର ଓ ଶିଳ୍ପୀମାନେ ନିଜର ସୃଜନଶୀଳତା, କଳାକୃତି ଓ କାରିଗରୀ ଦକ୍ଷତା ପ୍ରଦର୍ଶନ କରିଥିଲେ। ମୁଖ୍ୟ ଅତିଥି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ସମରେନ୍ଦ୍ର ସାହୁ କହିଥିଲେ, “ପାରମ୍ପରିକ କଳା ଓ ହସ୍ତଶିଳ୍ପକୁ ଜୀବନ୍ତ ରଖିବା ପାଇଁ ଯୁବପିଢ଼ିଙ୍କ ଅଧିକ ଭାଗୀଦାରି ଆବଶ୍ୟକ। କାରିଗରମାନଙ୍କୁ ଉପଯୁକ୍ତ ବଜାର, ସମ୍ମାନ ଓ ସୁଯୋଗ ମିଳିଲେ ଓଡ଼ିଶାର ଏହି ଅମୂଲ୍ୟ ଐତିହ୍ୟ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ଆହୁରି ପରିଚିତ ହୋଇପାରିବ।ପୂର୍ବତନ ପ୍ରଶାସକ ପଦ୍ମନାଭ ପଣ୍ଡା କହିଥିଲେ, “ହସ୍ତଶିଳ୍ପ କ୍ଷେତ୍ରରେ ମହିଳା କାରିଗରମାନଙ୍କ ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମହିଳା କାରିଗରଙ୍କୁ ଆବଶ୍ୟକ ପ୍ରଶିକ୍ଷଣ, ବଜାର ସୁଯୋଗ ଓ ପ୍ରୋତ୍ସାହନ ମିଳିଲେ ସେମାନେ ଆର୍ôଥକ ଭାବେ ଅଧିକ ସ୍ୱାବଲମ୍ବୀ ହୋଇପାରିବେ। ଏଥିସହ ପାରମ୍ପରିକ କଳାର ସୁରକ୍ଷା ମଧ୍ୟ ନିଶ୍ଚିତ ହେବ। ଅବସରପ୍ରାପ୍ତ ଖାଉଟି ବିଭାଗ ଅଧିକାରୀ ସନ୍ତୋଷ କୁମାର ମହାନ୍ତି କହିଥିଲେ, “କାରିଗରମାନେ ଯେଉଁ ଉତ୍ପାଦ ତିଆରି କରୁଛନ୍ତି, ତାହାର ଗୁଣବତା ସହ ଉପଯୁକ୍ତ ମୂଲ୍ୟ ଓ ଗ୍ରାହକଙ୍କ ବିଶ୍ୱାସ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। କାରିଗରଙ୍କ ଉତ୍ପାଦକୁ ସିଧାସଳଖ ଗ୍ରାହକଙ୍କ ନିକଟରେ ପହଂଚାଇବା ଏବଂ ନ୍ୟାୟସଙ୍ଗତ ବଜାର ସୃଷ୍ଟି କରିବା ଦିଗରେ ଏଭଳି ପଦକ୍ଷେପ ଅତ୍ୟନ୍ତ ପ୍ରଶଂସନୀୟ।ହସ୍ତ ଶିଳ୍ପ ବିକାଶ ଉନ୍ନୟନ,ଭାରତ ସରକାରଙ୍କ ଉପନିର୍ଦ୍ଦେଶକ ଯୋଗ ଦେଇ କହିଥିଲେ କହିଥିଲେ, “ଆମ ପାରମ୍ପରିକ କଳା ଓ କାରିଗରୀ ପରମ୍ପରା ପିଢ଼ି ପରେ ପିଢ଼ି ଆସିଛି। ଏହାକୁ ଆଗାମୀ ପିଢ଼ି ନିକଟରେ ପହଂଚାଇବା ଆମ ସମସ୍ତଙ୍କ ଦାୟିତ୍ୱ। ଗୁରୁକୁଳ ମାଧ୍ୟମରେ ଯୁବପିଢ଼ିଙ୍କୁ ପାରମ୍ପରିକ କଳା ଓ କାରିଗରୀ ସହ ଯୋଡ଼ିବା ସହ କାରିଗରମାନଙ୍କୁ ଏକ ସୁଦୃଢ଼ ମଂଚ ଦେବା ଆମର ଲକ୍ଷ୍ୟ। ସଂପର୍କ’ର ସାଧାରଣ ସମ୍ପାଦକ ସୌମେନ୍ଦ୍ର ଦାସ କହିଥିଲେ, “ପାରମ୍ପରିକ ହସ୍ତତନ୍ତ କେବଳ ଏକ ଉତ୍ପାଦ ନୁହେଁ; ଏହା ଆମ ମାଟି, ଐତିହ୍ୟ ଓ ସଂସ୍କୃତିର ପରିଚୟ। ଆମ କାରିଗରମାନଙ୍କ ସୃଜନଶୀଳତା ଓ ଦକ୍ଷତାକୁ ଆଧୁନିକ ବଜାର ଏବଂ ଯୁବପିଢ଼ି ସହ ଯୋଡ଼ିବା ଆଜିର ସମୟର ଆବଶ୍ୟକତା। ‘ସଂପର୍କ’ ଏହି ଦିଗରେ ନିରନ୍ତର ପ୍ରୟାସ ଜାରି ରଖିବ।”
ଜିଲ୍ଲା ହସ୍ତ ଶିଳ୍ପ କେନ୍ଦ୍ର ର ଉପନିର୍ଦ୍ଦେଶକ ବିଷ୍ଣୁପଦ ମାରାଣ୍ଡି,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଉପଦେଷ୍ଟା କୃଷ୍ଣ ଚନ୍ଦ୍ର ରାୟ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ହୋଇ ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପ ଓ ଲୋକକଳାର ସୁରକ୍ଷା ସହ କାରିଗରମାନଙ୍କ ଜୀବନଜୀବିକାର ଉନ୍ନତି ପାଇଁ ସରକାରୀ ଓ ବେସରକାରୀସ୍ତରରେ ଅଧିକ ପଦକ୍ଷେପ ନେବା ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ।ସେମାନେ କହିଥିଲେ ଯେ, କାରିଗରଙ୍କ କଳାକୃତିକୁ ଆଧୁନିକ ବଜାର, ଡିଜିଟାଲ ପ୍ଲାଟଫର୍ମ ଓ ନୂଆ ପିଢ଼ି ସହ ଯୋଡ଼ିପାରିଲେ ପାରମ୍ପରିକ ହସ୍ତଶିଳ୍ପ କେବଳ ସୁରକ୍ଷିତ ହେବ ନାହିଁ, ବରଂ ଏହା କାରିଗରମାନଙ୍କ ପାଇଁ ଏକ ସ୍ଥାୟୀ ଜୀବିକାର ମାଧ୍ୟମ ଭାବେ ମଧ୍ୟ ଆହୁରି ସୁଦୃଢ଼ ହୋଇପାରିବ।
ଆଳନ୍ଦିଆ ଗାମୁଛା ପ୍ରସ୍ତୁତ କରୁଥିବା ସଦରଥାନା ତନ୍ତୁବାୟ ସହଜୋଗ ସମିତି ଲିମିଟେଡ ଏବଂ ମା ମଙ୍ଗଳା ହସ୍ତ ତନ୍ତ ଉତ୍ପାଦକ ଗୋଷ୍ଠୀ ଙ୍କୁ ସମ୍ମାନିତ୍ କରାଯାଇଥିଲା।ଶିଶୁଶିଳ୍ପୀ ସମ୍ମାନ ୫ଜଣ ଆୟୁଷ ରଞ୍ଜନ ପାତ୍ର,ଅଙ୍କିତା ରଣସିଂହ , ଆଦ୍ୟାସ୍ମିତା ମହାନ୍ତି, ଅଶ୍ୱିନୀ କୁମାର ମହାନ୍ତି,ସାଇ ସୁଭ୍ରାଂଶୁ ସାହୁ ଶିଳ୍ପୀକୁଳ ସମ୍ମାନ,କବି ମହାନ୍ତି, ଗୋଲକ ଚନ୍ଦ୍ର ପାତ୍ର, ଚନ୍ଦ୍ରଶେଖର ମହାନ୍ତି ଶଶି ଦେଇ ଶିଳ୍ପୀ ପରିବାର ସମ୍ମାନ କେସୁ ଦାସ ଓ କନକଲତା ଦାସ (ଯୁଗଳବନ୍ଦୀ), କର୍ଣ୍ଣ ମେହେର ଓ ଯଶୋବନ୍ତୀ ମେହେର (ଯୁଗଳବନ୍ଦୀ ), ପବିତ୍ର କୁମାର ମହାରଣା ଓ ନିରୁପମା ମହାରଣା (ଯୁଗଳବନ୍ଦୀ ),ଶିଳ୍ପୀ ସମ୍ମାନ କୁଶ ସାହୁ, ଅଶୋକ ଜେନା ହରିହର ସୂତାର , ଚାନ୍ଦମଣି ମହାନ୍ତି ସୁକାନ୍ତି ଦାସ, ପ୍ରିୟଦର୍ଶିନୀ ମିଶ୍ର ,କାଶୀନାଥ ସ୍ମୃତି ଶିଳ୍ପୀ ପ୍ରତିଭା ସମ୍ମାନ ସଞ୍ଜୁକ୍ତା କୁମାରୀ,ପାର୍ବତୀ ସ୍ୱାଇଁ ,ସୋମନାଥ ପଟ୍ଟନାୟକ,ରତ୍ନା ଦାଶ ନରେନ୍ଦ୍ର କୁମାର ପ୍ରମୁଖଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ସାହିତ୍ୟିକ ସୁରେଶ କୁମାର ପଟ୍ଟନାୟକ ମଂଚ ସଂଯୋଜନା କରିଥିବା ବେଳେ ସତ୍ୟ ନାରାୟଣ ମହାନ୍ତି ଶେଷରେ କାର?୍ୟ୍ୟକ୍ରମର ସଫଳତା ପାଇଁ ସମସ୍ତ କାରିଗର, ଶିଳ୍ପୀ, ଅତିଥି, ସହଯୋଗୀ ଓ ଉପସ୍ଥିତ ଦର୍ଶକମାନଙ୍କୁ ପାରମ୍ପରିକ ହସ୍ତଶିଳ୍ପ ଗୁରୁକୁଳ ଓ ‘ସଂପର୍କ’ ପକ୍ଷରୁ ଧନ୍ୟବାଦ ଅର୍ପଣ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ବିଜୟ