
ଭୁବନେଶ୍ୱର, ୦୫ ସେପ୍ଟେମ୍ୱର (ହି.ସ)-ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଶନିବାର ଭୁବନେଶ୍ୱରସ୍ଥିତ ଏମଏମଆଇଟି ଅଡିଟୋରିୟମରେ ଜାତୀୟ ସ୍ତରୀୟ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ସାମର୍ଥ୍ୟ ୨୦୨୬' ସଫଳତାର ସହ ଆୟୋଜିତ ହୋଇଯାଇଛି। ସିନେମା ମାଧ୍ୟମରେ ଦିବ୍ୟାଙ୍ଗଜନଙ୍କ ପ୍ରତିଭା, ଇଚ୍ଛାଶକ୍ତି ଓ ଅସାଧାରଣ ସଫଳତାକୁ ସମ୍ମାନ ଜଣାଇବା ପାଇଁ ଏହି ଉତ୍ସବରେ ଚଳଚ୍ଚିତ୍ର ନିର୍ମାତା, ଅଧିକାରୀ, କଳାକାର ଓ ସାମାଜିକ କାର୍ଯ୍ୟକର୍ତାମାନେ ଏକାଠି ହୋଇଥିଲେ।
ପୂର୍ବ ବର୍ଷଗୁଡ଼ିକରେ କେବଳ ଦିବ୍ୟାଙ୍ଗତା ବିଷୟରେ ସଚେତନତା ସୃଷ୍ଟି କରାଯାଉଥିବା ବେଳେ, ଏଥର ସାମର୍ଥ୍ୟ ୨୦୨୬'ରେ ଦିବ୍ୟାଙ୍ଗଜନଙ୍କ ସଫଳତା, ଆତ୍ମବିଶ୍ୱାସ ଓ ସମାଜ ପ୍ରତି ସେମାନଙ୍କର ସକାରାତ୍ମକ ଯୋଗଦାନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ପ୍ରତିକୂଳ ପରିସ୍ଥିତିକୁ ଏଡ଼ାଇ ଆଗକୁ ବଢ଼ିବାର କାହାଣୀଗୁଡ଼ିକୁ ପ୍ରଦର୍ଶିତ କରି ସମାଜର ପୁରୁଣା ମାନସିକତାକୁ ବଦଳାଇବା ଏବଂ ଦିବ୍ୟାଙ୍ଗତା ପଛରେ ଥିବା ପ୍ରକୃତ ସାମର୍ଥ୍ୟକୁ ଚିହ୍ନିବା ପାଇଁ ଏହି ମହୋତ୍ସବ ପ୍ରୟାସ କରିଛି।
ଏହି ମହୋତ୍ସବ ପାଇଁ ସାରା ଦେଶରୁ ଅଭୂତପୂର୍ବ ପ୍ରତିକ୍ରିୟା ମିଳିଥିଲା ଏବଂ ମୋଟ ୬୨ଟି ସିନେମା ଆସିଥିଲା, ଯେଉଁଥିରେ ୨୦ଟି ଜାତୀୟ ସ୍ତରର ଓ ୪୨ଟି ଆଂଚଳିକ ଭାଷାର ଚଳଚ୍ଚିତ୍ର ଅନ୍ତର୍ଭୁକ୍ତ ଥିଲା। ‘ଆରଆର ଇଭେଣ୍ଟସ ଆଣ୍ଡ ସିନେ ପ୍ରୋଡକ୍ସନ’ ଦ୍ୱାରା ଦୁଇଟି ପର୍ଯ୍ୟାୟର ଯାଂଚ ପରେ ୩୮ଟି ଚଳଚ୍ଚିତ୍ର ଚୂଡ଼ାନ୍ତ ପ୍ରଦର୍ଶନ ପାଇଁ ନିର୍ବାଚିତ ହୋଇଥିଲା। ବାର୍ତାକୁ ସପୃକ୍ତ ଓ ପ୍ରଭାବଶାଳୀ ରଖିବା ପାଇଁ ପ୍ରତ୍ୟେକ ଚଳଚ୍ଚିତ୍ରର ସମୟସୀମା ସର୍ବାଧିକ ୫ ମିନିଟ୍ ରଖାଯାଇଥିଲା। ଏହାସହ ଦୃଷ୍ଟିହୀନ ଓ ବାଧିର ଦର୍ଶକଙ୍କ ସୁବିଧା ପାଇଁ ସିନେମାଗୁଡ଼ିକରେ ଅଡିଓ ଡିସ୍କ୍ରିପସନ୍' ଏବଂ ସାଙ୍କେତିକ ଭାଷା'ର ବ୍ୟବସ୍ଥା କରାଯାଇଥିଲା।
ଯୁଗଳ ଦେବତାଙ୍କ ଅଧ୍ୟକ୍ଷତାରେ ଗଠିତ ଜୁରୀ କମିଟିରେ ଶ୍ରୀମତୀ ତ୍ରିପୁରା ମିଶ୍ର ଏବଂ ସିନେମାରେ ସମାନ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଶ୍ରୀଯୁକ୍ତ ଜିତେନ୍ଦ୍ର ବିଶ୍ୱାଳ ପ୍ରମୁଖ ବିଚାରକ ଭାବେ ଦାୟିତ୍ୱ ତୁଲାଇ ଚୂଡ଼ାନ୍ତ ବିଜେତାମାନଙ୍କୁ ଚୟନ କରିଥିଲେ।
ଜାତୀୟ ବିଭାଗରେ ଟ୍ୟୁନ୍ ଅଫ୍ ଲାଇଫ୍ ଏବଂ ମେଡାଲ ଯୌଥ ଭାବେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏହାସହ ଟ୍ୟୁନ୍ ଅଫ୍ ଲାଇଫ୍ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଅଭିନେତା (ସାହୁ ଜୟସିଂହରାଓ ସାବେକର) ଓ ଶ୍ରେଷ୍ଠ ପ୍ରପ୍ ବ୍ୟବହାର ପୁରସ୍କାର ହାସଲ କରିଥିଲା। ଏ ଲିଟଲ ବିଗ୍ ଡ୍ରିମ୍ କୁ ପ୍ୟାନେଲ୍ ଏକ୍ସପର୍ଟ କମିଟି ପକ୍ଷରୁ ଶ୍ରେଷ୍ଠ ସିନେମା ଓ ଶ୍ରେଷ୍ଠ ଚିତ୍ରଗ୍ରହଣ ପୁରସ୍କାର ମିଳିଥିବା ବେଳେ ପ୍ଲିଆ ଚଳଚ୍ଚିତ୍ର ଶ୍ରେଷ୍ଠ କାହାଣୀ/ସ୍କ୍ରିନ୍-ପ୍ଲେ' ଏବଂ ଶ୍ରେଷ୍ଠ ଅଭିନେତ୍ରୀ (ଆତ୍ରେୟୀ ବାନାର୍ଜୀ) ପୁରସ୍କାର ଜିତିଥିଲା।
ଓଡ଼ିଆ ବିଭାଗରେ ଅନ୍ତର୍ଦୃଷ୍ଟି ଏବଂ ଲିକ୍ ଯୌଥ ଭାବେ ଶ୍ରେଷ୍ଠ ଚଳଚ୍ଚିତ୍ର ସମ୍ମାନ ପାଇଥିଲେ। ଲିକ୍ ଚଳଚ୍ଚିତ୍ରଟି ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଚିତ୍ରଗ୍ରହଣ ସହ ଶ୍ରେଷ୍ଠ ଅଭିନେତା (ବିକ୍ରମ କେଶରୀ ମହାନ୍ତି) ଓ ଶ୍ରେଷ୍ଠ ଅଭିନେତ୍ରୀ (ଦୀପିକା ତ୍ରିପାଠୀ) ପୁରସ୍କାର ହାସଲ କରିଥିଲା। ଏହାବାଦ ଅନ୍ତଃସ୍ୱର କୁ ସଚେତନତା ପାଇଁ ସ୍ୱତନ୍ତ୍ର ପୁରସ୍କାର ଏବଂ ଚନ୍ଦ୍ରାରୋହଣ ଓ ଦି ହ୍ୱିଲ୍ କୁ ପ୍ୟାନେଲ୍ ଏକ୍ସପର୍ଟ କମିଟି ଦ୍ୱାରା ସମ୍ମାନିତ କରାଯାଇଥିଲା।
ଏହି ସମାରୋହରେ ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଏସଏସଇପିଡି ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ରଜନୀ ଜାନୀ, ଓଡ଼ିଶା ଭିନ୍ନକ୍ଷମ ଆୟୋଗର କମିଶନର ଶ୍ରୀମତୀ ବ୍ରତତୀ ହରିଚନ୍ଦନ ଏବଂ ବିଭାଗୀୟ ଆର୍ôଥକ ସଲାହାକାର ଶ୍ରୀମତୀ ଜୟଶ୍ରୀ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଏହା ସହିତ କାର୍ଯ୍ୟକ୍ରମର ବ୍ରାଣ୍ଡ ଆମ୍ବାସାଡର ଅଭିନେତ୍ରୀ ଶୀତଲ ପାତ୍ର, ଏସଏସଇପିଡି ବିଭାଗର ବରିଷ୍ଠ ଅଧିକାରୀ ମାନଙ୍କ ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନଗୁଡି଼କ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ଭାବରେ ସମାପ୍ତ କରି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା