
ଭୁବନେଶ୍ୱର, ୦୫ ସେପ୍ଟେମ୍ୱର (ହି.ସ)- ଶିକ୍ଷକ ଦିବସର ପବିତ୍ର ଅବସରରେ ଓଡ଼ିଶା ସରକାରଙ୍କ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଏକ ବୃହତ୍ ଉଦ୍ୟାନ କୃଷି ସଚେତନତା ଓ ପ୍ରସାର କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଯୁବପିଢ଼ିଙ୍କୁ ବ୍ୟବହାରିକ ବୈଷୟିକ ଜ୍ଞାନକୌଶଳ ଏବଂ ଆତ୍ମନିଯୁକ୍ତି କ୍ଷେତ୍ରରେ ସକ୍ଷମ କରିବା ଲକ୍ଷ୍ୟରେ ଆୟୋଜିତ ଏହି ଅଭିଯାନରେ ୨୨୦ରୁ ଅଧିକ ମହାବିଦ୍ୟାଳୟର ୨୬,୯୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ କ୍ଷେତ୍ର ସ୍ତରୀୟ ଅଧିକାରୀ, ଯେପରିକି ଉପ-ଉଦ୍ୟାନ କୃଷି ନିର୍ଦ୍ଦେଶକ, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଏବଂ ସହକାରୀ କୃଷି ଯନ୍ତ୍ରୀ ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରି ଶିକ୍ଷାଗତ ଜ୍ଞାନକୁ ବ୍ୟବହାରିକ କୃଷି ପ୍ରଣାଳୀ ସହ ଯୋଡ଼ିବା ପାଇଁ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ।
ଓଡ଼ିଶାର ବିବିଧ କୃଷି-ଜଳବାୟୁ ପରିସ୍ଥିତିକୁ ବିନିଯୋଗ କରି ଉଦ୍ୟାନ କୃଷି ମାଧ୍ୟମରେ ଚାଷୀଙ୍କ ରୋଜଗାର ବୃଦ୍ଧି, କୃଷି ବିବିଧିକରଣ ଏବଂ ଗ୍ରାମୀଣ ନିଯୁକ୍ତି ସୃଷ୍ଟି କରିବାର ବିପୁଳ ସମ୍ଭାବନା ରହିଛି, ଯାହା ରାଜ୍ୟ ଅର୍ଥନୈତିକ ସର୍ବେକ୍ଷଣରେ ମଧ୍ୟ ଉଲ୍ଲେଖ କରାଯାଇଛି। ଏହି ସମ୍ଭାବନାକୁ ବାସ୍ତବ ଅର୍ଥନୈତିକ ସୁଯୋଗରେ ରୂପାନ୍ତରିତ କରିବା ପାଇଁ ନିର୍ଦ୍ଦେଶାଳୟ ପକ୍ଷରୁ କୃଷି କ୍ଷେତ୍ରର ସମ୍ପ୍ରସାରଣ, ଗୁଣାତ୍ମକ ଉତ୍ପାଦନ, ସୁରକ୍ଷିତ ଚାଷ, ଛତୁ ଚାଷ, ମହୁମାଛି ପାଳନ, ଅମଳ ପରବର୍ତୀ ପରିଚାଳନା, ମୂଲ୍ୟ ବୃଦ୍ଧି (ଠବକ୍ଷଙ୍କର ଇୟୟସଗ୍ଧସକ୍ଟଦ୍ଭ) ଏବଂ ବଜାର ସଂଯୋଗୀକରଣ ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋକପାତ କରାଯାଇଥିଲା। ବ୍ୟବହାରିକ ପ୍ରଶିକ୍ଷଣ ଏବଂ କ୍ଷେତ୍ର ପ୍ରଦର୍ଶନୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ସ୍ୱାବଲମ୍ବୀ ହେବା ଏବଂ କୃଷି-ଉଦ୍ୟୋଗ କ୍ଷେତ୍ରକୁ କ୍ୟାରିଅର ଭାବେ ଆପଣାଇବା ପାଇଁ ଆବଶ୍ୟକ ଦକ୍ଷତା ଯୋଗାଇ ଦେଇଛି।
ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ଏହି କାର୍ଯ୍ୟକ୍ରମକୁ ଏକ ଅପୂର୍ବ ସଫଳତା ଭାବେ ଘୋଷଣା କରିବା ସହ ଏହା ଗ୍ରାମୀଣ ଯୁବକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ବ୍ୟବହାରିକ ଦକ୍ଷତା ବୃଦ୍ଧି ଏବଂ ଉଦ୍ୟୋଗୀ ହେବାର ଆକାଂକ୍ଷାକୁ ସଫଳତାର ସହ ପ୍ରୋତ୍ସାହିତ କରିଛି ବୋଲି ପ୍ରକାଶ କରିଛି। ଶିକ୍ଷକ ଦିବସ ପାଳନ ସହ ଜ୍ଞାନ ଆଦାନପ୍ରଦାନ ଏବଂ ଦକ୍ଷତା ବିକାଶକୁ ଯୋଡ଼ି ଏହି ପଦକ୍ଷେପ ରାଜ୍ୟରେ ସ୍ଥାୟୀ କୃଷି ବିକାଶ ଏବଂ ଯୁବ-ନେତୃତ୍ୱାଧୀନ ଅର୍ଥନୈତିକ ପ୍ରଗତି ପାଇଁ ଏକ ସୁଦୃଢ଼ ଭିତ୍ତିପ୍ରସ୍ତର ସ୍ଥାପନ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା