
ନୂଆଦିଲ୍ଲୀ, ୦୬ ସେପ୍ଟେମ୍ବର (ହି.ସ.)। କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା
ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରରେ ଛାତ୍ରମାନଙ୍କ ଆନ୍ଦୋଳନକୁ ସମର୍ଥନ
କରି କହିଛନ୍ତି ଯେ, ରାସ୍ତାକୁ
ଓହ୍ଲାଇଥିବା ହଜାର ହଜାର ଛାତ୍ରଙ୍କ ସମସ୍ୟା କେବଳ କୌଣସି ଗୋଟିଏ ପରୀକ୍ଷା କିମ୍ବା ନିଯୁକ୍ତି
ସହ ଜଡ଼ିତ ନୁହେଁ। ବରଂ ଏହା ସମଗ୍ର ବ୍ୟବସ୍ଥା ଉପରୁ ଭାଙ୍ଗିଯାଇଥିବା ବିଶ୍ୱାସର ପରିଣାମ।
ଛାତ୍ରମାନଙ୍କ ପ୍ରତ୍ୟେକ ଦାବି ସେମାନଙ୍କ ସଫଳ ଭବିଷ୍ୟତ ପାଇଁ ଯଥାର୍ଥ ଏବଂ ସରକାର ସେମାନଙ୍କ
ସ୍ୱର ଶୁଣି ତୁରନ୍ତ ପଦକ୍ଷେପ ନେବା ଉଚିତ ବୋଲି ସେ କହିଛନ୍ତି।
ରାହୁଲ ଗାନ୍ଧୀ ‘ଏକ୍ସ’ରେ କହିଛନ୍ତି ଯେ, ମହାରାଷ୍ଟ୍ରରେ
ହଜାର ହଜାର ଛାତ୍ର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଛନ୍ତି। କେନ୍ଦ୍ର ଓ ରାଜ୍ୟର ବିଜେପି
ସରକାରକୁ ନେଇ ଛାତ୍ରମାନେ ଅସନ୍ତୁଷ୍ଟ ଅଛନ୍ତି। ପେପର ଲିକ୍, ଅଟକି ରହିଥିବା
ନିଯୁକ୍ତି, ଶିକ୍ଷା ଖର୍ଚ୍ଚ
ବୃଦ୍ଧି, ଛାତ୍ରାବାସରେ
ଅମାନବୀୟ ପରିସ୍ଥିତି, ଖରାପ ଖାଦ୍ୟ ଏବଂ
ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି)ରେ କଥିତ ଠକେଇ ଭଳି ସମସ୍ୟାରେ ଛାତ୍ରମାନେ ଜୁଝୁଛନ୍ତି।
ମହାରାଷ୍ଟ୍ର ଲୋକସେବା ଆୟୋଗ (ଏମ୍ପିଏସ୍ସି) ଭଳି ସାମ୍ବିଧାନିକ
ସଂସ୍ଥାର ବିଶ୍ୱସନୀୟତାକୁ ନେଇ ମଧ୍ୟ ସେ ପ୍ରଶ୍ନ ଉଠାଇଛନ୍ତି। ଏହି ସଂସ୍ଥାକୁ ନିଜ
ନିୟନ୍ତ୍ରଣକୁ ନେଇ ଏହାର ବିଶ୍ୱସନୀୟତାକୁ କ୍ଷତି ପହଞ୍ଚାଯାଇଛି ବୋଲି ସେ କହିଛନ୍ତି।
ରାହୁଲ ଗାନ୍ଧୀ ସରକାରଙ୍କୁ ଛାତ୍ରମାନଙ୍କ ଦାବି ଉପରେ ତୁରନ୍ତ
ପଦକ୍ଷେପ ନେବାକୁ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଯଦି ଛାତ୍ରମାନଙ୍କ ସ୍ୱର ଶୁଣା ନଯାଏ, ତେବେ ନ୍ୟାୟ ମିଳିବା
ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନର ସ୍ୱର ଆହୁରି ତୀବ୍ର ହୋଇଚାଲିବ।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା