
ସମ୍ବଲପୁର, ୦୬, ସେପ୍ଟେମ୍ବର (ହି.ସ.) - ସମ୍ବଲପୁର ଟାଉନ୍ ଥାନା ଅଂଚଳର ସେନ୍ ପାର୍କ ନିକଟରେ ନିଜ ସ୍ତ୍ରୀ'କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ସ୍ୱାମୀଙ୍କୁ ପୋଲିସ ଗିରଫ କରିଛି। ଏନେଇ ଟାଉନ୍ ଥାନାରେ ପୋଲିସ ୨୮୧/୨୬ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।
ପୋଲିସ ସୂଚନା ଅନୁଯାୟୀ ମୃତ ମହିଳା ୪୦ ବର୍ଷିୟା ହୀନା ବେଗମ୍ ଙ୍କୁ ହତ୍ୟା କରିଥିବା ନେଇ ମୃତା ମହିଳାଙ୍କ ସ୍ୱାମୀ ୪୫ ବର୍ଷିୟ ସୟଦ୍ ସମସାଦ୍ ଅଲୀକୁ ହତ୍ୟା ଅଭିଯୁକ୍ତ ଭାବେ ଗିରଫ କରାଯାଇଛି । ଗତ ସେପ୍େଟମ୍ବର ୫ ତାରିଖ ରାତି ସାଢେ ୯ ଟାରୁ ୧୦ଟା ମଧ୍ୟରେ ସମସାଦ୍ ନିଜ ସ୍ତ୍ରୀ' ହୀନାକୁ ସେନ୍ ପାର୍କ ସମ୍ମୁଖ ଭେଟେରିନାରୀ ଅଫିସ୍ ନିକଟ ଏକ ନିର୍ଜନ ସ୍ଥାନକୁ ଡାକି ନେଇଥିଲା । ସେଠାରେ ଆଉ କାହା ସହିତ ଅନୈତିକ ଶାରୀରିକ ସମ୍ପର୍କ ଥିବା ନେଇ ଗାଳିଗୁଲଜ କରିବା ପରେ ସେହିଠାରେ କୌଣସି ଧାରୁଆ ଅସ୍ତ୍ରରେ ଏକାଧିକ ଥର ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ହୀନାର ମୁଣ୍ଡ, ହାତ ସମେତ ଶରୀରର ବିଭିନ୍ନ ସ୍ଥାନରୁ ପ୍ରବଳ ମାତ୍ରାରେ ରକ୍ତସ୍ରାବ ହେଉଥିବା ବେଳେ ନୃଶଂସତାର ଚରମ ସୀମାକୁ ଯାଇ ଏକ ବଡ଼ ପଥରରେ ହୀନାର ମୁଣ୍ଡକୁ ଛେଚି ଛେଚି ହତ୍ୟା କରିଥିଲା । ହୀନାକୁ ହତ୍ୟା କରିବା ପରେ ଅଭିଯୁକ୍ତ ସମସାଦ୍ ଘଟଣାସ୍ଥଳରେ ଅସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଛାଡ଼ି ନିଜ ଘରକୁ ଫେରି ଆସିଥିଲା। ପରବର୍ତୀ ସମୟରେ ସର୍ବସାଧାରଣରେ ନିଜ ସ୍ତ୍ରୀଙ୍କୁ ହତ୍ୟା କରିଥିବା ସମସାଦ୍ ସ୍ୱୀକାର କରିଥିଲା ବୋଲି ପୋଲିସ ପ୍ରେସ୍ ବ୍ରିଫ୍ରେ ଉଲ୍ଲେଖ କରିଛି।
ପୋଲିସ ଅଭିଯୁକ୍ତ ସମସାଦକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣାର ତଦନ୍ତ ଏବେ ବି ଜାରି ରଖିଥିବା ଜଣାପଡିଛି ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ