
ଝାରସୁଗୁଡ଼ା, ୦୬ ସେପ୍ଟେମ୍ବର (ହି.ସ.) - ଝାରସୁଗୁଡ଼ା ପୌରପାଳିକା ଅନ୍ତର୍ଗତ ୨୪ ନମ୍ବର ୱାର୍ଡର ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ଦାବିରେ ଆଂଚଳିକ ବିକାଶ ପରିଷଦ ପକ୍ଷରୁ ପୌରପରିଷଦର ନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଦାବିପତ୍ରରେ ୱାର୍ଡର ବିଭିନ୍ନ ଅଂଚଳରେ ରାସ୍ତାଘାଟର ମରାମତି, ଡ୍ରେନ୍ଗୁଡ଼ିକର ନିୟମିତ ସଫେଇ, ଆବଶ୍ୟକସ୍ଥଳରେ ନୂତନ ଡ୍ରେନ୍ ନିର୍ମାଣ ଏବଂ ଚାଲୁଥିବା ଉନ୍ନୟନମୂଳକ କାର୍ଯ୍ୟ ଶୀଘ୍ର ସମ୍ପନ୍ନ କରିବାକୁ ଦାବି କରାଯାଇଛି। ଏଥିସହ ସହରରେ ଯାତାୟାତ ବ୍ୟବସ୍ଥାକୁ ସୁଗମ କରିବା ସହ ସାଧାରଣ ଜନତାଙ୍କ ସୁବିଧା ପାଇଁ ଏକ ଜରୁରୀ ହେଲ୍ପଲାଇନ୍ ନମ୍ବର ବ୍ୟବସ୍ଥା କରିବାକୁ ମଧ୍ୟ ପରିଷଦ ପକ୍ଷରୁ ଦାବି ହୋଇଛି।
ସରକାରୀ ଜମିରେ ବେଆଇନ ଜବରଦଖଲ ଯୋଗୁଁ ଅନେକ ସ୍ଥାନରେ ଟ୍ରାଫିକ୍ ସମସ୍ୟା ଉପୁଜୁଥିବାରୁ ଏହାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଛି। ଏହା ସହିତ ୱାର୍ଡର ବିଭିନ୍ନ ଗଳିକନ୍ଦିରେ ନିୟମିତ ସଫେଇ, ପରିମଳ ବ୍ୟବସ୍ଥାରେ ସୁଧାର ଏବଂ ଆବଶ୍ୟକ ସ୍ଥାନରେ ଆଲୋକୀକରଣ ବ୍ୟବସ୍ଥା କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ଦାବିଗୁଡ଼ିକ ଉପରେ ନିର୍ବାହୀ ଅଧିକାରୀ ନିଶିକାନ୍ତ ଟେଟେ ଗୁରୁତ୍ୱ ଦେଇ ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପରିଷଦର ପ୍ରତିନିଧିମାନଙ୍କୁ ଆଶ୍ୱାସନା ଦେଇଥିଲେ।
ଏହି ଅବସରରେ ଆଂଚଳିକ ବିକାଶ ପରିଷଦର ସଭାପତି ମନମୋହନ ପାଣ୍ଡେଙ୍କ ସମେତ ରଘୁମଣି ପଟେଲ, ସୁରେଶ ଲୋକଚନ୍ଦନୀ, ରମେଶ ଗାନ୍ଧୀ, କୁଲଦୀପ ସିଂ, ବନ୍ଦନା ମୁନ୍ଦ୍ରାଙ୍କ ସହ ପରିଷଦର ବହୁ କର୍ମକର୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ