
ସମସ୍ୟାର ସମାଧାନ ନହେଲେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ
ଭୁବନେଶ୍ଵର 06 ସେପ୍ଟେମ୍ବର (ହି.ସ.)ବିଜେପି ସରକାରରେ ଓଡ଼ିଶାବାସୀ ବାରମ୍ୱାର ଉପେକ୍ଷିତ ହେଉଛନ୍ତି। କେନ୍ଦ୍ର ସରକାର ଓଡ଼ିଶାକୁ ପୁଣି ଉପେକ୍ଷା କରିଥିବା ବେଳେ ଏଫସିଆଇ ଓଡ଼ିଶାରୁ ଚାଉଳ ଉଠାଉନାହିଁ। ଯାହା ଫଳରେ ରାଜ୍ୟର ମଣ୍ଡିରେ ଚାଉଳ ପଡି ରହିଥିବା ବେଳେ ଖରିପ ଧାନ ସଂଗ୍ରହ ବାଧା ପ୍ରାପ୍ତ ହେବାର ସମ୍ଭବନା ସୃଷ୍ଟି ହୋଇଛି। ଏନେଇ ବିଜେଡି ରାଜ୍ୟ ଉପ ସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା ପ୍ରେସ ବିବୃତ୍ତି ଜରିଆରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରାଜ୍ୟରୁ ଏଫସିଆଇ ଚାଉଳ ନଉଠାଇବା ପ୍ରସଙ୍ଗରେ ସମବାୟ ମନ୍ତ୍ରୀ ଦେଇଥିବା ବୟାନ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ। ପୂର୍ବରୁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ନିଜ ବକ୍ତବ୍ୟରେ କେନ୍ଦ୍ର ସରକାର ଆମ କଥା ଶୁଣୁ ନାହାନ୍ତି ବୋଲି କହି ନିଜ ଅସହାୟତା ପ୍ରକାଶ କରିଥିଲେ। ବର୍ତ୍ତମାନ ସମବାୟ ମନ୍ତ୍ରୀ ନିଜ ବକ୍ତବ୍ୟ ଜରିଆରେ ହତାଶଭାବକୁ ପରିପ୍ରକାଶ କରିଛନ୍ତି। ଡବଲ ଇଞ୍ଜିନ୍ ସରକାରରେ ଓଡ଼ିଶାର ଜଣେ ମନ୍ତ୍ରୀ ଭାବେ ନିଜେ ଉତ୍ତରଦାୟିତ୍ବ ନେଇ ହକ୍ ହାସଲ କରିବା ପାଇଁ ଲଢେଇ କରିବା ବଦଳରେ କେନ୍ଦ୍ର ସରକାରଙ୍କ ନିକଟରେ ନିଜର ଅସହାୟତା ପ୍ରକାଶ କରିଛନ୍ତି ବୋଲି ଶ୍ରୀଯୁକ୍ତ ଦାସବର୍ମା ପ୍ରତିକ୍ରିୟାରେ କହିଛନ୍ତି। ଆହୁରି ମଧ୍ୟ କହିଛନ୍ତି ଯେ, ମନ୍ତ୍ରୀଙ୍କ ଏହିପରି ବକ୍ତବ୍ୟ ପ୍ରଦାନ କରିବା ସାଢେ ୪ କୋଟି ଓଡିଶାବାସୀ ତଥା ଚାଷୀକୂଳଙ୍କ ପାଇଁ ଘୋର ଅପମାନ ଅଟେ। ଗତ ୨୦୨୪ ନିର୍ବାଚନ ସମୟରେ ଓଡିଆ ଅସ୍ମିତାର ଦ୍ୱାହି ଦେଉଥିବା ବିଜେପି ସରକାର କେନ୍ଦ୍ର ସରକାରଙ୍କ ନିକଟରେ ନିଜକୁ ସମର୍ପଣ କରିଛନ୍ତି। ଏଥିପାଇଁ ଓଡିଶାବାସୀ ଆପଣ ମାନଙ୍କୁ ଭୋଟ୍ ଦେଇଥିଲେ ବୋଲି ପ୍ରଶ୍ନ କରିଛନ୍ତି। ଓଡ଼ିଶାରୁ ନିର୍ବାଚିତ ୨୦ଜଣ ବିଜେପି ସାଂସଦ ମାନେ ଦିଲ୍ଲୀରେ କଣ କରୁଛନ୍ତି? ରାଜ୍ୟର ହକ ପାଇଁ ନଲଢ଼ି କେଉଁ କାରଣ ପାଇଁ ଚୁପ ବସିଛନ୍ତି? ଯଦି ଆଗାମୀ ଦିନରେ ଚାଷୀ କୂଳଙ୍କ ସମସ୍ୟାର ସମାଧାନ ନହୁଏ ତେବେ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ଏବଂ ଚାଷୀ ମାନଙ୍କ ହକ୍ ପାଇଁ ଲଢେଇ କରିବ ବୋଲି କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା