ରାଜ୍ୟସ୍ୱାର୍ଥ ପରିପନ୍ଥୀ ଏମଏମଡିଆର ଆଇନ ବିରୋଧରେ ସେପ୍ଟେମ୍ବର ୮ରେ ଚଣ୍ଡିଖୋଲରେ ଓଜେସିର ବିଶାଳ ପ୍ରତିବାଦ
ଭୁବନେଶ୍ୱର, 06 ସେପ୍ଟେମ୍ବର (ହି.ସ.) ସଂସଦରେ ନିକଟରେ ପାରିତ ହୋଇଥିବା ଏମଏମଡିଆର ଆଇନ, ୨୦୨୬କୁ ରାଜ୍ୟସ୍ୱାର୍ଥ ପରିପନ୍ଥୀ ଦର୍ଶାଇ ଏହାର ବିରୋଧରେ ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲଠାରେ ବିଶାଳ ପ୍ରତିବାଦ ସଭା ଓ ଅର୍ଥନୈତିକ ଅବରୋଧ କରିବାକୁ ଓଜେସି ନିଷ୍ପତ୍ତି ନେଇଛି।
ରାଜ୍ୟସ୍ୱାର୍ଥ ପରିପନ୍ଥୀ ଏମଏମଡିଆର ଆଇନ ବିରୋଧରେ ସେପ୍ଟେମ୍ବର ୮ରେ ଚଣ୍ଡିଖୋଲରେ ଓଜେସିର ବିଶାଳ ପ୍ରତିବାଦ


ଭୁବନେଶ୍ୱର, 06 ସେପ୍ଟେମ୍ବର (ହି.ସ.) ସଂସଦରେ ନିକଟରେ ପାରିତ ହୋଇଥିବା ଏମଏମଡିଆର ଆଇନ, ୨୦୨୬କୁ ରାଜ୍ୟସ୍ୱାର୍ଥ ପରିପନ୍ଥୀ ଦର୍ଶାଇ ଏହାର ବିରୋଧରେ ଆସନ୍ତା ସେପ୍ଟେମ୍ବର ୮ ତାରିଖରେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲଠାରେ ବିଶାଳ ପ୍ରତିବାଦ ସଭା ଓ ଅର୍ଥନୈତିକ ଅବରୋଧ କରିବାକୁ ଓଜେସି ନିଷ୍ପତ୍ତି ନେଇଛି।

ରବିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଜେସିର ମିଡିଆ ସେଲ୍‌ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ନୂଆ ଆଇନ ଯୋଗୁଁ ଓଡ଼ିଶାର ଆର୍ଥିକ ଅଧିକାର ଓ ରାଜସ୍ୱ ସ୍ୱାର୍ଥ ପ୍ରଭାବିତ ହେବାର ଆଶଙ୍କା ରହିଛି। ତେଣୁ ଏହି ଆଇନକୁ ପ୍ରତ୍ୟାହାର କରିବାକୁ ଓଜେସି ଦାବି କରିଛି।

ଶ୍ରୀ ଶତପଥୀଙ୍କ ଦାବି ଅନୁଯାୟୀ, ନୂଆ ଆଇନରେ ଯୋଡ଼ାଯାଇଥିବା ଧାରା ୯-ଡି ଦ୍ୱାରା ଓଡ଼ିଶାର ପୁରୁଣା ବକେୟା ରାଶି, ଯାହା ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ବୋଲି ସେ କହିଛନ୍ତି, ତାହା ଆଦାୟ କରିବାରେ ରାଜ୍ୟର ଅଧିକାର ପ୍ରଭାବିତ ହେବ। ଏଥିସହ ଟିକସ, ସେସ୍‌ ଓ ରୟାଲ୍‌ଟି ଆଦି ଆଦାୟ କରିବାର ଅଧିକାର ମଧ୍ୟ ରାଜ୍ୟଠାରୁ ଛଡ଼ାଇ ନିଆଯାଇଥିବା ସେ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ୨୦୨୪ରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଖଣିଜ ସମ୍ପଦ ଉପରେ ରାଜ୍ୟଗୁଡ଼ିକୁ ସ୍ୱତନ୍ତ୍ର ଭାବେ ଟିକସ ଆଦାୟ କରିବାର ଅଧିକାର ମିଳିଥିଲା। ଏଥିସହ ପୁରୁଣା ବକେୟା ରାଶିକୁ ୧୨ ବର୍ଷ ମଧ୍ୟରେ କିସ୍ତି ଆକାରରେ, ୨୦୨୬ ଏପ୍ରିଲ ୧ ତାରିଖରୁ ଆଦାୟ କରିବାର ବ୍ୟବସ୍ଥା ହୋଇଥିଲା ବୋଲି ସେ ଦାବି କରିଛନ୍ତି। ତେବେ ନୂଆ ଆଇନ ଏହି ଅଧିକାରକୁ ପ୍ରଭାବିତ କରିଛି ବୋଲି ଓଜେସି ପକ୍ଷରୁ କୁହାଯାଇଛି।

ପ୍ରଶାନ୍ତ ଶତପଥୀ ଅଭିଯୋଗ କରିଛନ୍ତି ଯେ, ଏହି ଆଇନ ରାଜ୍ୟର ପୁରୁଣା ବକେୟା ଟିକସ ଆଦାୟ, ନୂଆ ଟିକସ ଲାଗୁ କରିବା ଏବଂ ନିଜର ଖଣିଜ ସମ୍ପଦ ସମ୍ପର୍କରେ ସ୍ୱତନ୍ତ୍ର ନିଷ୍ପତ୍ତି ନେବା ଭଳି ଅର୍ଥନୈତିକ ଅଧିକାରକୁ ସଙ୍କୁଚିତ କରୁଛି।

ଏହି ପ୍ରସଙ୍ଗରେ ରାଜ୍ୟର ୨୦ ଜଣ ବିଜେପି ସାଂସଦ ଲୋକସଭାରେ ଏହା ବିରୋଧରେ ସ୍ୱର ଉଠାଇ ନଥିବା ନେଇ ମଧ୍ୟ ଓଜେସି ପ୍ରଶ୍ନ ଉଠାଇଛି। ରାଜ୍ୟର ସ୍ୱାର୍ଥ ପ୍ରଭାବିତ ହେଉଥିବା ଆଇନ ବିରୋଧରେ ବିଜେପି ପକ୍ଷରୁ ପ୍ରତିବାଦ ନକରିବାକୁ ସଂଗଠନ ପକ୍ଷରୁ ସମାଲୋଚନା କରାଯାଇଛି।

ଏଥିସହ ୨୦୦୪ ମସିହାର ବିଜେପି-ବିଜେଡି ମିଳିତ ସରକାର ସମୟରେ ଓରିସେଡ୍‌ ଆଇନକୁ ସମର୍ଥନ କରି ତତ୍କାଳୀନ ବିଧାନସଭା ସଦସ୍ୟମାନେ ମତ ରଖିଥିବା କଥା ଉଲ୍ଲେଖ କରି ଓଜେସି ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଅନ୍ୟ ବିଜେପି ନେତାଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଯାଇଛି।

ସେହି ସମୟରେ ବର୍ତ୍ତମାନର ରାଷ୍ଟ୍ରପତି ମଧ୍ୟ ବିଧାୟିକା ଭାବେ ଓଡ଼ିଶାର ଖଣିଜ ସମ୍ପଦ ଉପରେ ଟିକସ ଲାଗୁ କରିବାର ରାଜ୍ୟର ଅଧିକାରକୁ ସମର୍ଥନ କରିଥିଲେ ବୋଲି ସଂଗଠନ ଦାବି କରିଛି। ତେବେ ବର୍ତ୍ତମାନ ଉଭୟ ଦେଶ ଓ ରାଜ୍ୟର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ଅଳଙ୍କୃତ କରିଥିବା ବେଳେ ରାଜ୍ୟସ୍ୱାର୍ଥ ପ୍ରସଙ୍ଗରେ ନିରବତା ଅବଲମ୍ବନ କରିବା ଦୁଃଖଦାୟକ ବୋଲି ଓଜେସି ପକ୍ଷରୁ କୁହାଯାଇଛି।

ରାଜ୍ୟସ୍ୱାର୍ଥ ସୁରକ୍ଷା ଦାବିରେ ସେପ୍ଟେମ୍ବର ୮ ତାରିଖରେ ଚଣ୍ଡିଖୋଲଠାରେ ହେବାକୁ ଥିବା ପ୍ରତିବାଦ ଓ ଅର୍ଥନୈତିକ ଅବରୋଧରେ ବ୍ୟାପକ ଅଂଶଗ୍ରହଣ ପାଇଁ ଓଜେସି ଆହ୍ୱାନ ଦେଇଛି।

ସାମ୍ବାଦିକ ସମ୍ମିଳନୀରେ ଓଜେସି ଉପସଭାପତି ନିକୁଞ୍ଜ ପଶାୟତ, ନଜିବୁର ରହମାନ ଖାନ, ଓଜେସି ସେବା ସଂଗଠନ ଅଧ୍ୟକ୍ଷ ମନୋଜ ଜେନା ଓ କୃଷକ ମୋର୍ଚ୍ଚା ଅଧ୍ୟକ୍ଷ ସଂଗ୍ରାମ ମାଝୀ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande