
ଇସଲାମାବାଦ, ୦୬ ସେପ୍ଟେମ୍ବର (ହି.ସ.)। ପାକିସ୍ତାନର ଅଶାନ୍ତ ରାଜ୍ୟ ଖୈବର
ପଖ୍ତୁନଖ୍ୱାରେ ଅତି କମରେ ୨୧ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନାର ଗଣମାଧ୍ୟମ ଶାଖା
ଇଣ୍ଟର-ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ (ଆଇଏସପିଆର) ରବିବାର ଏକ ବିବୃତିରେ ଏହି ସୂଚନା ଦେଇଛି।
ଆଇଏସପିଆର ଅନୁସାରେ, ସେପ୍ଟେମ୍ବର ୩ରୁ ୫
ତାରିଖ ମଧ୍ୟରେ ହୋଇଥିବା ବିଭିନ୍ନ ମୁହାଁମୁହିଁ ଗୁଳିବିନିମୟରେ ଏହି ଆତଙ୍କବାଦୀମାନେ ନିହତ
ହୋଇଛନ୍ତି।
ଦି ନ୍ୟୁଜ୍ର ରିପୋର୍ଟ ଅନୁସାରେ, ଆଇଏସପିଆରର ବିବୃତିରେ କୁହାଯାଇଛି, “୩୧ ଅଗଷ୍ଟ/୧
ସେପ୍ଟେମ୍ବର ୨୦୨୬ ରାତିରେ ଉତ୍ତର ୱଜିରିସ୍ତାନ ଜିଲ୍ଲାର ପାକିସ୍ତାନ-ଆଫଗାନିସ୍ତାନ ସୀମାରେ
ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନ ପରେ ଅଞ୍ଚଳରେ ଲୁଚି ରହିଥିବା ଆଉ ୧୦ ଜଣ ଆତଙ୍କବାଦୀଙ୍କୁ
ନିହତ କରାଯାଇଛି। ଏହା ଫଳରେ ଅନୁପ୍ରବେଶ ଉଦ୍ୟମ କରୁଥିବା ନିହତ ଆତଙ୍କବାଦୀଙ୍କ ମୋଟ ସଂଖ୍ୟା
୨୫ରେ ପହଞ୍ଚିଛି।”
ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୩ରୁ ୫ ତାରିଖ ମଧ୍ୟରେ ନିହତ ହୋଇଥିବା ୨୧ ଜଣ
ଆତଙ୍କବାଦୀଙ୍କ ମଧ୍ୟରେ କୋହାଟ ଏବଂ ଡେରା ଇସ୍ମାଇଲ ଖାନ୍ ଜିଲ୍ଲାରେ ମିଳିତ ଅଭିଯାନ ସମୟରେ
ଦୁଇଟି ପୃଥକ ମୁହାଁମୁହିଁ ଗୁଳିବିନିମୟରେ ନିହତ ହୋଇଥିବା ୪ ଜଣ ଆତଙ୍କବାଦୀ ମଧ୍ୟ ସାମିଲ
ଅଛନ୍ତି।
ଆଇଏସପିଆର କହିଛି, “ଆଫଗାନ ତାଲିବାନ ସରକାର ସୀମାର ପ୍ରଭାବଶାଳୀ ପରିଚାଳନା ସୁନିଶ୍ଚିତ
କରିବା ସହ ଆତଙ୍କବାଦ ବିରୋଧୀ ଅନ୍ତର୍ଜାତୀୟ ଦାୟିତ୍ୱ ପୂରଣ କରିବାରେ କ୍ରମାଗତ ଭାବେ ବିଫଳ
ହୋଇଛି। ଦେଶର ସୀମାର ସୁରକ୍ଷା କରିବା ପାଇଁ ସୁରକ୍ଷା ବାହିନୀ ନିଜ ସଂକଳ୍ପରେ ଅଟଳ ରହିଛି।”
ସେଣ୍ଟର ଫର୍ ରିସର୍ଚ୍ଚ ଆଣ୍ଡ ସିକ୍ୟୁରିଟି ଷ୍ଟଡିଜ୍ର ରିପୋର୍ଟ
ଅନୁସାରେ, ୨୦୨୧ରେ ଆଫଗାନ
ତାଲିବାନ କ୍ଷମତାକୁ ଆସିବା ପରଠାରୁ ପାକିସ୍ତାନରେ, ବିଶେଷକରି ଖୈବର ପଖ୍ତୁନଖ୍ୱା (କେପି) ଏବଂ ବାଲୋଚିସ୍ତାନ ପ୍ରଦେଶରେ
ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ୨୦୨୬ର ଦ୍ୱିତୀୟ ତ୍ରୈମାସିକରେ ମଧ୍ୟ ଏହି ଦୁଇ
ପ୍ରଦେଶ ହିଂସାର ପ୍ରମୁଖ କେନ୍ଦ୍ର ହୋଇ ରହିଥିଲେ। ଏଥିରେ କେପି ସବୁଠାରୁ ଅଧିକ ପ୍ରଭାବିତ
ଅଞ୍ଚଳ ଥିଲା।
ରିପୋର୍ଟରେ କୁହାଯାଇଛି ଯେ, ଏହି ତ୍ରୈମାସିକରେ ହିଂସା ସହ ଜଡ଼ିତ ମୋଟ ମୃତ୍ୟୁର ପ୍ରାୟ ୯୬
ପ୍ରତିଶତ କେପି ଏବଂ ବାଲୋଚିସ୍ତାନରେ ଘଟିଛି। ମୋଟ ମୃତ୍ୟୁ ମଧ୍ୟରୁ ୬୧ ପ୍ରତିଶତରୁ ଅଧିକ
ଅର୍ଥାତ୍ ୪୭୫ ଜଣଙ୍କ ମୃତ୍ୟୁ କେପିରେ ହୋଇଥିବା ବେଳେ ବାଲୋଚିସ୍ତାନରେ ୩୪ ପ୍ରତିଶତ ଅର୍ଥାତ୍
୨୬୫ ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି। କେପିରେ ହିଂସାର ସର୍ବାଧିକ ଘଟଣା ମଧ୍ୟ ରେକର୍ଡ
ହୋଇଛି। ଏଠାରେ ୧୫୧ଟି ଘଟଣା ଘଟିଥିବା ବେଳେ ଏହା ଦେଶବ୍ୟାପୀ ମୋଟ ଘଟଣାର ୫୭ ପ୍ରତିଶତ। ଏହା
ପରେ ବାଲୋଚିସ୍ତାନର ସ୍ଥାନ ରହିଛି, ଯେଉଁଠାରେ ୯୪ଟି ଘଟଣା ଅର୍ଥାତ୍ ୩୫ ପ୍ରତିଶତ ଘଟଣା ରେକର୍ଡ ହୋଇଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା