
ନିବାରଣକୁ କିଶୋର ନ୍ୟାୟ ବ୍ୟବସ୍ଥାର କେନ୍ଦ୍ରରେ ରଖିବା ଆବଶ୍ୟକ: ମୁଖ୍ୟ ବିଚାରପତି ହରିଶ ଟଣ୍ଡନ
ଭୁବନେଶ୍ୱର, 06 ସେପ୍ଟେମ୍ବର (ହି.ସ.): କିଶୋର ନ୍ୟାୟ (ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫ର କାର୍ଯ୍ୟକାରିତାର ଏକ ଦଶନ୍ଧି ପୂର୍ତ୍ତି ଅବସରରେ ଶିଶୁ ସୁରକ୍ଷା, ଥଇଥାନ ଓ ନିବାରଣ ବ୍ୟବସ୍ଥାକୁ ନେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।
“କିଶୋର ନ୍ୟାୟ (ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା) ଆଇନ, ୨୦୧୫: କାର୍ଯ୍ୟକାରିତାର ଏକ ଦଶନ୍ଧି ଏବଂ ଆଗାମୀ ପନ୍ଥା” ଶୀର୍ଷକ ଏହି ଆଲୋଚନାଚକ୍ରରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ବିଚାରପତି ହରିଶ ଟଣ୍ଡନ, କିଶୋର ନ୍ୟାୟ କମିଟିର ଅଧ୍ୟକ୍ଷା ବିଚାରପତି ସାବିତ୍ରୀ ରଥୋ, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ. ମୃଣାଳିନୀ ଦର୍ସ୍ୱାଲ ଏବଂ ୟୁନିସେଫ୍ ଓଡ଼ିଶାର ଫିଲ୍ଡ ଅଫିସ୍ ମୁଖ୍ୟ ପ୍ରଶାନ୍ତ ଦାଶଙ୍କ ସମେତ ବରିଷ୍ଠ ନ୍ୟାୟିକ ଅଧିକାରୀ, ସରକାରୀ ଓ ପୁଲିସ ଅଧିକାରୀ, ଶିଶୁ ଅଧିକାର ବିଶେଷଜ୍ଞ ଏବଂ ବେସରକାରୀ ସଂଗଠନର ପ୍ରତିନିଧିମାନେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ମୁଖ୍ୟ ବିଚାରପତି ବିଚାରପତି ହରିଶ ଟଣ୍ଡନ କିଶୋର ନ୍ୟାୟ ବ୍ୟବସ୍ଥାରେ ନିବାରଣମୂଳକ ପଦକ୍ଷେପର ଗୁରୁତ୍ୱ ଉପରେ ଜୋର ଦେଇଥିଲେ। ସେ କହିଥିଲେ, କିଶୋର ନ୍ୟାୟର କେନ୍ଦ୍ରବିନ୍ଦୁରେ ନିବାରଣ ବ୍ୟବସ୍ଥା ରହିବା ଆବଶ୍ୟକ। ତୃଣମୂଳ ସ୍ତରରେ ରହିଥିବା ଦୁର୍ବଳତାଗୁଡ଼ିକର ସମାଧାନ କରାଗଲେ ଶିଶୁମାନେ ଆଇନ ସହ ସଂଘର୍ଷରେ ଆସିବା କିମ୍ବା ଆନୁଷ୍ଠାନିକ ଯତ୍ନ ବ୍ୟବସ୍ଥାରେ ପ୍ରବେଶ କରିବାରୁ ରୋକାଯାଇପାରିବ ବୋଲି ସେ ମତ ଦେଇଥିଲେ।
ଉଦ୍ଘାଟନୀ ଅଧିବେଶନରେ ବିଚାରପତି ସାବିତ୍ରୀ ରଥୋ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡ. ମୃଣାଳିନୀ ଦର୍ସ୍ୱାଲ କିଶୋର ନ୍ୟାୟ ଆଇନ ଓ ଓଡ଼ିଶାରେ ଏହାର କାର୍ଯ୍ୟକାରିତା ନେଇ ଆଲୋକପାତ କରିଥିଲେ। ୟୁନିସେଫ୍ ଓଡ଼ିଶାର ଫିଲ୍ଡ ଅଫିସ୍ ମୁଖ୍ୟ ପ୍ରଶାନ୍ତ ଦାଶ ଆଇନର ଦଶ ବର୍ଷର କାର୍ଯ୍ୟକାରିତା ଓ ନିବାରଣମୂଳକ ଆଭିମୁଖ୍ୟ ଉପରେ ମତ ରଖିଥିଲେ।
ଆଲୋଚନାଚକ୍ରରେ ଚାରିଟି ପ୍ୟାନେଲ୍ ମାଧ୍ୟମରେ ଶିଶୁ ସୁରକ୍ଷା ଓ କିଶୋର ନ୍ୟାୟ ସମ୍ପର୍କିତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ବୈଷୟିକ ଆଲୋଚନା ହୋଇଥିଲା।
ପ୍ରଥମ ପ୍ୟାନେଲରେ ଆଇନ ସହ ସଂଘର୍ଷରେ ଥିବା ଶିଶୁମାନଙ୍କର ଅଧିକାର, ଜଘନ୍ୟ ଅପରାଧରେ ପ୍ରାଥମିକ ଆକଳନ ଏବଂ ଥଇଥାନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ଓଡ଼ିଶା ପୁଲିସର ମହିଳା ଓ ଶିଶୁ ବିରୋଧୀ ଅପରାଧ ଶାଖାର ଅତିରିକ୍ତ ମହାନିର୍ଦ୍ଦେଶକ ସାଇନି ଏସ୍, ଖୋର୍ଦ୍ଧା ଶିଶୁ ଅଦାଲତର ଅତିରିକ୍ତ ଜିଲ୍ଲା ଜଜ୍ ତଥା ବିଚାର ବିଭାଗୀୟ ଅଧିକାରୀ ହର ପ୍ରସାଦ ପଟ୍ଟନାୟକ, ରାୟଗଡ଼ା କିଶୋର ନ୍ୟାୟ ବୋର୍ଡର ପ୍ରଧାନ ମାଜିଷ୍ଟ୍ରେଟ୍ ତଥା ସିଭିଲ୍ ଜଜ୍ ଆଶିଷ ପଟ୍ଟନାୟକ, ୟୁନିସେଫ୍ର ଶିଶୁ ସୁରକ୍ଷା ବିଶେଷଜ୍ଞ ମନନ ବିଶ୍ୱାସ ଏବଂ ସମ୍ବଲପୁରର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁସ୍ମିତା ପଟ୍ଟନାୟକ ଅଂଶଗ୍ରହଣ କରିଥିଲେ।
ଦ୍ୱିତୀୟ ପ୍ୟାନେଲରେ ଶିଶୁ କଲ୍ୟାଣ ସମିତିର କାର୍ଯ୍ୟକାରିତା, ସ୍ୱତନ୍ତ୍ର ଆବଶ୍ୟକତା ଥିବା ଶିଶୁମାନଙ୍କର ଥଇଥାନ ଏବଂ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଉପରେ ଆଲୋଚନା ହୋଇଥିଲା। ଏଥିରେ ନିମିଷା ଶ୍ରୀବାସ୍ତବ ସମ୍ବଳ ବ୍ୟକ୍ତି ଭାବେ ଯୋଗ ଦେଇଥିଲେ। ସ୍କୁଲ ଓ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଡ. ଏନ୍. ଥିରୁମାଲା ନାୟକ, ରାଜ୍ୟ ଭିନ୍ନକ୍ଷମ କମିଶନର ବ୍ରତତୀ ହରିଚନ୍ଦନଙ୍କ ସମେତ ପୁଲିସ ଓ ଶିଶୁ ସୁରକ୍ଷା ବିଭାଗର ଅଧିକାରୀମାନେ ଆଲୋଚନାରେ ଅଂଶ ନେଇଥିଲେ।
ତୃତୀୟ ପ୍ୟାନେଲରେ ପରିବାର ସୁଦୃଢ଼ୀକରଣ, ପୋଷ୍ୟ ସନ୍ତାନ ଗ୍ରହଣ ଓ ପାଳକ ଯତ୍ନ ଉପରେ ଗୁରୁତ୍ୱ ଦିଆଯାଇଥିଲା। ପ୍ରଭାତ କୁମାରଙ୍କ ପରିଚାଳନାରେ ହୋଇଥିବା ଏହି ଆଲୋଚନାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର, ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ ଏବଂ ଗଞ୍ଜାମ ଜିଲ୍ଲାପାଳ କୀର୍ତ୍ତି ଭାସନ ଭି. ପ୍ରମୁଖ ଯୋଗ ଦେଇଥିଲେ।
ଚତୁର୍ଥ ପ୍ୟାନେଲରେ ଶିଶୁମାନଙ୍କ ବିରୋଧରେ ହେଉଥିବା ଅପରାଧର ନିରାକରଣ, ପୁଲିସ ଓ ଅଦାଲତରେ ଶିଶୁ-ଅନୁକୂଳ ପ୍ରକ୍ରିୟା ଏବଂ ପୀଡ଼ିତମାନଙ୍କୁ ଆଇନଗତ ସହାୟତା ନେଇ ଆଲୋଚନା ହୋଇଥିଲା। ଏଥିରେ ପଦ୍ମଶ୍ରୀ ସୁନିତା କ୍ରିଷ୍ଣନ, ଆଇଜି ଡ. ଉମାଶଙ୍କର ଦାଶଙ୍କ ସମେତ ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା ଆଇନ ସହ ଜଡ଼ିତ ବିଶେଷଜ୍ଞମାନେ ଅଂଶଗ୍ରହଣ କରିଥିଲେ।
ଆଲୋଚନାଚକ୍ରରେ କିଶୋର ନ୍ୟାୟ ଆଇନ, ୨୦୧୫ ମାଧ୍ୟମରେ ଆସିଥିବା ବିଭିନ୍ନ ସଂସ୍କାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଶିଶୁ କଲ୍ୟାଣ ସମିତି ଓ କିଶୋର ନ୍ୟାୟ ବୋର୍ଡଗୁଡ଼ିକୁ ଅଧିକ ସୁଦୃଢ଼ କରିବା ସହ ମିଶନ୍ ବାତ୍ସଲ୍ୟ ଅଧୀନରେ ଶିଶୁ ସୁରକ୍ଷା ସେବାଗୁଡ଼ିକୁ ସମନ୍ୱିତ କରିବା ଉପରେ ମତବିନିମୟ ହୋଇଥିଲା।
ବର୍ତ୍ତମାନ ସମୟରେ ଶିଶୁମାନଙ୍କ ସମ୍ମୁଖୀନ ହେଉଥିବା ନୂଆ ବିପଦ, ଯଥା ସାଇବର ଅପରାଧ, ଅନଲାଇନ୍ ଶୋଷଣ, ମାନବ ଚାଲାଣ ଓ ନିଶାଦ୍ରବ୍ୟ ସେବନରୁ ସୁରକ୍ଷା ପାଇଁ ବ୍ୟବସ୍ଥାର ଭିତ୍ତିଭୂମି ସୁଦୃଢ଼ କରିବା ଏବଂ ସମ୍ପୃକ୍ତ କର୍ମଚାରୀଙ୍କ ଦକ୍ଷତା ବିକାଶ ଉପରେ ମଧ୍ୟ ଜୋର ଦିଆଯାଇଥିଲା।
ଶେଷରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ତଥା କିଶୋର ନ୍ୟାୟ କମିଟିର ସଦସ୍ୟ ବିଚାରପତି ଏମ୍.ଏସ୍. ରମଣ ମୁଖ୍ୟ ବିଚାରପତି, ଅନ୍ୟ ନ୍ୟାୟିକ ଅଧିକାରୀ, ଅଧିକାରୀବୃନ୍ଦ, ବିଶେଷଜ୍ଞ ଓ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସକ୍ରିୟ ସହଯୋଗ ଏବଂ ଅଂଶଗ୍ରହଣ ପାଇଁ ଧନ୍ୟବାଦ ଜଣାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ