ଟିକସ ବିବାଦରେ ଲଖନପୁର ଅଚଳ, ଅଟକିଛି ହଜାରେ ଟ୍ରକ୍
Still one thousand trucks were
ଟିକସ ବିବାଦରେ ଲଖନପୁର ଅଚଳ, ଅଟକିଛି ହଜାରେ ଟ୍ରକ୍


ଝାରସୁଗୁଡ଼ା, ୦୬ ସେପ୍ଟେମ୍ବର (ହି.ସ.) - ଟିକସ ବକେୟାକୁ ନେଇ ମହାନଦୀ କୋଲଫିଲ୍ଡସ୍ ଲିମିଟେଡ୍ (ଏମ୍ସିଏଲ୍) ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦର ପ୍ରଭାବ ଏବେ ଲଖନପୁର କୋଇଲା ଖଣି ଅଂଚଳରେ ସ୍ପଷ୍ଟ ହୋଇଛି। ପ୍ରାୟ ୧୩୦ କୋଟି ଟଙ୍କାର ଟିକସ ବକେୟା ବିବାଦ ଯୋଗୁଁ ଚଳିତ ମାସ ପ୍ରଥମ ଦିନରୁ କୋଇଲା ପରିବହନ ପାଇଁ ଆବଶ୍ୟକ ଟ୍ରାନଜିଟ୍ ପରମିଟ୍ ଜାରି ବନ୍ଦ ରହିଛି। ଫଳରେ ଅଂଚଳରେ କୋଇଲା ପରିବହନ ବ୍ୟବସ୍ଥା ପ୍ରାୟ ସମ୍ପୂର୍ଣ୍ଣ ଠପ୍ ହୋଇପଡ଼ିଛି।

ସମ୍ବଲପୁର ଖଣି ଉପନିର୍ଦ୍ଦେଶକ ଦୀନେଶ ଅଗ୍ରୱାଲଙ୍କ ସୂଚନା ଅନୁସାରେ, ରାଜ୍ୟ ସରକାର ଟ୍ରାନ୍ଜିଟ୍ ପରମିଟ୍ ଟିକସ ବ୍ୟବସ୍ଥାରେ ପରିବର୍ତନ କରି ସମସ୍ତ ଶ୍ରେଣୀର କୋଇଲାକୁ ସର୍ବୋଚ୍ଚ ଟିକସ ସ୍ଲାବ୍ରେ ଅନ୍ତର୍ଭୁକ୍ତ କରିଛନ୍ତି। ଏହି ନିଷ୍ପତିକୁ ଏମ୍ସିଏଲ୍ ଆଇନଗତ ଭାବେ ଚ୍ୟାଲେଞ୍ଜ କରିଛି ଏବଂ ମାମଲାଟି ବର୍ତମାନ ଟ୍ରିବ୍ୟୁନାଲ୍ରେ ବିଚାରାଧୀନ ରହିଛି। ବିବାଦୀୟ ହାରରେ ଟିକସ ଦେବାକୁ ଏମ୍ସିଏଲ୍ ଅସ୍ୱୀକାର କରିଥିବାରୁ ପରମିଟ୍ ଜାରି ବନ୍ଦ ରହିଥିବା କୁହାଯାଇଛି।

ପରିବହନ ବନ୍ଦ ହେବା ଯୋଗୁଁ ଲଖନପୁର ଅଂଚଳରେ ପ୍ରତିଦିନ ଚଳାଚଳ କରୁଥିବା ୧ ହଜାରରୁ ଅଧିକ ଟ୍ରକ୍ ଅଟକି ରହିଛି। ଏହାର ସିଧାସଳଖ ପ୍ରଭାବ ଟ୍ରକ୍ ମାଲିକ, ଚାଳକ, ହେଲ୍ପର୍ ଏବଂ ରାସ୍ତାକଡ଼ର ଛୋଟ ବ୍ୟବସାୟୀଙ୍କ ଉପରେ ପଡ଼ିଛି। ଏହି ସଙ୍କଟ ଯୋଗୁଁ ପ୍ରାୟ ୩ରୁ ୪ ହଜାର ପରିବାରର ଜୀବିକା ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

ସମସ୍ୟାର ତୁରନ୍ତ ସମାଧାନ ଦାବି କରି ବନ୍ଧବାହାଲ ଟ୍ରକ୍ ଆସୋସିଏସନ୍ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଛି। ତେବେ ଅଭିଯୋଗର ଦୁଇ ଦିନ ପରେ ମଧ୍ୟ ସ୍ଥିତିରେ କୌଣସି ସୁଧାର ଆସିନାହିଁ।

ଅନ୍ୟପକ୍ଷରେ, ବ୍ରଜରାଜନଗର ରେଳବାଇର ଏଆରଏମ୍ ଘନଶ୍ୟାମଙ୍କ ସୂଚନା ଅନୁଯାୟୀ, ଲଖନପୁରରୁ ରେଳ ରେକ୍ରେ କୋଇଲା ଲୋଡିଂ ମଧ୍ୟ ଯଥେଷ୍ଟ ହ୍ରାସ ପାଇଛି। ଗତ ଚାରି ଦିନ ଧରି ଖଣିରୁ ଉତ୍ପାଦନ ଜାରି ରହିଥିବାବେଳେ ପରିବହନ ବ୍ୟାହତ ହେବାରୁ ବିପୁଳ ପରିମାଣର କୋଇଲା ମହଜୁଦ ହୋଇରହିଛି।

ଦୀର୍ଘ ସମୟ ଧରି କୋଇଲା ଗଚ୍ଛିତ ହୋଇ ରହିଲେ ଆତ୍ମଦାହଜନିତ ଅଗ୍ନିକାଣ୍ଡର ଆଶଙ୍କା ରହିଥିବାରୁ ସୁରକ୍ଷା ନେଇ ମଧ୍ୟ ଚିନ୍ତା ବଢ଼ିଛି। ତେଣୁ ଟିକସ ବିବାଦର ଶୀଘ୍ର ସମାଧାନ କରି ଲଖନପୁର ଅଂଚଳରେ ପରିବହନ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ଅଂଚଳବାସୀ ଓ ପରିବହନ ସଂଘ ପକ୍ଷରୁ ଦାବି ହୋଇଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande