
ଝାରସୁଗୁଡ଼ା, ୬ ସେପ୍ଟେମ୍ବର (ହି.ସ.) - ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତାରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାର୍ରେ ହଠାତ୍ ନିଆଁ ଲାଗି ଗାଡ଼ିଟି ସମ୍ପୂର୍ଣ୍ଣ ଜଳିଯାଇଛି। ତେବେ କାର୍ରେ ଥିବା ସମସ୍ତ ଯାତ୍ରୀ ସମୟୋଚିତ ପଦକ୍ଷେପ ନେଇ ଗାଡ଼ିରୁ ବାହାରି ଆସିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି।
ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟା ପ୍ରାୟ ୬ଟା ୩୦ମିନିଟ୍ ସମୟରେ ମନମୋହନ ସ୍କୁଲ ନିକଟ ମୁଖ୍ୟ ରାସ୍ତା ଦେଇ ଏକ କାର୍ ଯାଉଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗିଥିଲା। କିଛି ସମୟ ମଧ୍ୟରେ ନିଆଁର ପ୍ରକୋପ ବଢ଼ିଯାଇ କାର୍ଟି ହୁହୁ ହୋଇ ଜଳିବାକୁ ଲାଗିଥିଲା।
କାରରେ ନିଆଁ ଲାଗିବା ଦେଖି ଭିତରେ ଥିବା ଯାତ୍ରୀମାନେ ତୁରନ୍ତ ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ। ଫଳରେ ସମସ୍ତେ ସୁରକ୍ଷିତ ଭାବେ ବର୍ତି ଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲା।
ତେବେ ଅଗ୍ନିକାଣ୍ଡରେ କାର୍ଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ଯାଇଛି। ପ୍ରାଥମିକ ଭାବେ ସର୍ଟ ସର୍କିଟ୍ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଘଟଣା ଯୋଗୁଁ ମୁଖ୍ୟ ରାସ୍ତାରେ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇ ରାସ୍ତାରେ ଭିଡ଼ ଜମିଥିଲା। ନିଆଁ ଲିଭିବା ପରେ ଯାତାୟାତ ସ୍ୱାଭାବିକ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ