

ଝାରସୁଗୁଡ଼ା , 06 ସେପ୍ଟେମ୍ବର (ହି.ସ.) : ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ନୂତନ ଟିମ୍ ଘୋଷଣା କରାଯାଇଛି। ଏହି ଟିମ୍ରେ ଝାରସୁଗୁଡ଼ା ଜିଲ୍ଲାକୁ ମଧ୍ୟ ପ୍ରତିନିଧିତ୍ୱ ମିଳିଛି। ଝାରସୁଗୁଡ଼ାର ଅମିତା ବିଶ୍ୱାଳଙ୍କୁ ପିସିସିର ରାଜ୍ୟ ସାଧାରଣ ସମ୍ପାଦିକା ଏବଂ ସଞ୍ଜୟ ମହାପାତ୍ରଙ୍କୁ ରାଜ୍ୟ ସମ୍ପାଦକ ଭାବେ ଦାୟିତ୍ୱ ଦିଆଯାଇଛି। ଅମିତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ପୁତ୍ରୀ।
ନୂତନ ନିଯୁକ୍ତି ପରେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ଶିବିରରେ ଉତ୍ସାହ ପ୍ରକାଶ ପାଇଛି। ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ନେତା, ଯୁବ, ଛାତ୍ର ଏବଂ ମହିଳା କଂଗ୍ରେସର କର୍ମକର୍ତ୍ତାମାନେ ଉଭୟ ନବନିଯୁକ୍ତ ରାଜ୍ୟ ପଦାଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଅମିତା ବିଶ୍ୱାଳ ଓ ସଞ୍ଜୟ ମହାପାତ୍ରଙ୍କୁ ରାଜ୍ୟ ସ୍ତରରେ ଦାୟିତ୍ୱ ମିଳିବା ଦ୍ୱାରା ଝାରସୁଗୁଡ଼ାରେ କଂଗ୍ରେସ ସଂଗଠନ ଆହୁରି ମଜବୁତ ହେବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି। ଏଥିସହ ଆଗାମୀ ଦିନରେ ତୃଣମୂଳସ୍ତରରେ ଦଳୀୟ ସଂଗଠନ ଓ କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବାରେ ନୂତନ ନିଯୁକ୍ତି ସହାୟକ ହେବ ବୋଲି ନେତା ଓ କର୍ମୀମାନେ ମତ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ