କୁଡାଲୋଇ କୋଲବ୍ଲକକୁ ଗ୍ରାମବାସୀଙ୍କ ଦୃଢ଼ ବିରୋଧ
Villagers oppose Kodaloi coal block
କୁଡାଲୋଇ କୋଲବ୍ଲକକୁ ଗ୍ରାମବାସୀଙ୍କ ଦୃଢ଼ ବିରୋଧ


ପୂର୍ବ ଅଭିଯୋଗର ସମାଧାନ ନହେଲେ ଜମି ଓ ଜଙ୍ଗଲ ଛାଡ଼ିବୁ ନାହିଁ: ଗ୍ରାମବାସୀ

ଝାରସୁଗୁଡା , 06 ସେପ୍ଟେମ୍ବର (ହି.ସ.) : କୁଡାଲୋଇ କୋଲବ୍ଲକ ଅଞ୍ଚଳରେ କୋଇଲା ଖଣି କାର୍ଯ୍ୟକୁ ନେଇ ଗ୍ରାମବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି। ଗତ ଜୁଲାଇ ୨୫ ତାରିଖରେ କୁଡାଲୋଇ ଗ୍ରାମ୍ୟ ଜଙ୍ଗଲରୁ ଗଛ ଉପାଡ଼ିବା ପାଇଁ ବେଦାନ୍ତ କମ୍ପାନୀ ପକ୍ଷରୁ ପୁଲିସ ବାହିନୀ ସହ ଆସିଥିବା ଅଭିଯୋଗ କରି ଗ୍ରାମବାସୀ ଏହାକୁ ଦୃଢ଼ ବିରୋଧ କରିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ସେମାନେ ଦେଇଥିବା ବିଭିନ୍ନ ଆପତ୍ତି ଓ ଅଭିଯୋଗକୁ ଅଣଦେଖା କରାଯାଇଛି। ଏପରିକି ଗ୍ରାମସଭା ବିବରଣୀରେ ହେରଫେର, ସାମାଜିକ ସମୀକ୍ଷା ସମୟରେ ଗ୍ରାମବାସୀଙ୍କ ମତାମତ ନନେଇ ଭୁଲ ଓ ବିଭ୍ରାନ୍ତିକର ତଥ୍ୟ ଆଧାରରେ ରିପୋର୍ଟ ପ୍ରସ୍ତୁତ କରାଯିବା ଏବଂ ଗ୍ରାମବାସୀଙ୍କ ବିରୋଧ ସତ୍ତ୍ୱେ ତାହାକୁ ଗ୍ରହଣ କରାଯିବା ଭଳି ଅଭିଯୋଗ ରହିଛି। ଏହାସହ ଫର୍ଜରୀ ଗ୍ରାମସଭା ଆଧାରରେ ଜଙ୍ଗଲ ଜମି ଡାଇଭର୍ସନ ପାଇଁ ଅନୁମୋଦନ ଦିଆଯାଇଥିବା ନେଇ ମଧ୍ୟ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି।

ଉପରୋକ୍ତ ଅଭିଯୋଗ ଓ ସମସ୍ୟାଗୁଡ଼ିକୁ ଜିଲ୍ଲା ପ୍ରଶାସନ ସମ୍ମୁଖରେ ଉପସ୍ଥାପନ କରିବା ପାଇଁ ଗ୍ରାମବାସୀ ଲଖନପୁର ତହସିଲଦାରଙ୍କୁ ପ୍ରସ୍ତାବ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଶନିବାର ଅପରାହ୍ନ ୩ଟା ସମୟରେ ପରଧିଆ ଡେରା ଜଂଘା ବଡ଼ଦେଓ ମନ୍ଦିର ପରିସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡା, ଏବଂ ଲଖନପୁର ତହସିଲଦାର ପ୍ରସନ୍ନ କୁମାର ପଟେଲ ଉପସ୍ଥିତ ଥିଲେ। ଗ୍ରାମବାସୀ ଏହି ଅବସରରେ ନିଜର ବିଭିନ୍ନ ଅଭିଯୋଗ ଓ ଆପତ୍ତି ପ୍ରଶାସନିକ ଅଧିକାରୀଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।

ଗ୍ରାମବାସୀଙ୍କ ଅଭିଯୋଗ ଶୁଣିବା ପରେ ଉପଜିଲ୍ଲାପାଳ ଝାରସୁଗୁଡ଼ା ଜିଲ୍ଲାରେ ଥଇଥାନ ଓ ପୁନର୍ବାସ ସମ୍ପର୍କିତ କେଉଁ କେଉଁ ସୁବିଧା ଯୋଗାଇ ଦିଆଯାଇପାରିବ, ସେ ସମ୍ପର୍କରେ ଗ୍ରାମବାସୀଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ। ତେବେ ଗ୍ରାମବାସୀ ନିଜ ଦାବିରେ ଅଟଳ ରହିଥିବା ଜଣାପଡ଼ିଛି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପୂର୍ବରୁ ଦିଆଯାଇଥିବା ଅଭିଯୋଗଗୁଡ଼ିକର ସମାଧାନ ନକରି କୋଇଲା ଖଣି ପାଇଁ ଆଗକୁ ବଢ଼ିବାକୁ ସେମାନେ ସମ୍ମତ ନୁହନ୍ତି। ଜୟବୁଡ଼ିଆର ସମସ୍ତ ଗ୍ରାମବାସୀ ଏକସ୍ୱରରେ କୋଇଲା ଖଣିକୁ ବିରୋଧ କରିଥିବା ସେମାନେ ପ୍ରକାଶ କରିଛନ୍ତି।

ପରେ ପ୍ରଶାସନିକ ଅଧିକାରୀମାନେ ବନଜାରୀ ଗ୍ରାମକୁ ଯାଇ ସେଠାରେ ଦ୍ୱିତୀୟ ବୈଠକ କରିଥିଲେ। ସେଠାରେ ମଧ୍ୟ ଗ୍ରାମବାସୀ ସମାନ ଭାବରେ ନିଜର ଆପତ୍ତି ଓ ଅଭିଯୋଗ ଉପସ୍ଥାପନ କରିଥିଲେ। ପୂର୍ବରୁ ଦିଆଯାଇଥିବା ସମସ୍ତ ଅଭିଯୋଗର ସମାଧାନ ନହେଲେ ଆଗାମୀ ଦିନରେ ସମସ୍ତ ଗ୍ରାମବାସୀ ଏକଜୁଟ ହୋଇ ଖଣି ବିରୋଧରେ ଦୃଢ଼ ପ୍ରତିବାଦ ଜାରି ରଖିବେ ବୋଲି ମତ ପ୍ରକାଶ କରିଥିଲେ।

କୁଡାଲୋଇ କୋଲବ୍ଲକକୁ ନେଇ ପ୍ରଶାସନ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ଗ୍ରାମବାସୀଙ୍କ ମୂଳ ଦାବିଗୁଡ଼ିକର ସମାଧାନ ନହେବା ପର୍ଯ୍ୟନ୍ତ ବିରୋଧ ଜାରି ରହିବ ବୋଲି ଉଭୟ ଗ୍ରାମର ଲୋକମାନେ ସ୍ପଷ୍ଟ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande