
ଝାରସୁଗୁଡ଼ା, ୦୬ ସେପ୍ଟେମ୍ବର (ହି.ସ.) - ଝାରସୁଗୁଡ଼ା ଜିଲ୍ଲାର ପ୍ରାୟ ୪ ଲକ୍ଷ ୯୬ ହଜାର ୮୩୮ ଜଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟରେ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ପ୍ରଶାସନିକ ଅବହେଳା ଓ ରକ୍ଷଣାବେକ୍ଷଣ ଅଭାବରୁ ଅନେକ ଅଂଚଳରେ ଲୋକଙ୍କ ଘରେ ପାନୀୟ ଜଳ ପହଂଚୁନଥିବା ବେଳେ ଫାଟିଥିବା ପାଇପ୍ରୁ ବିଶୁଦ୍ଧ ଜଳ ଡ୍ରେନକୁ ବୋହି ନଷ୍ଟ ହେଉଛି।
୨୦୧୮ ଜୁଲାଇ ୨୭ରେ ବ୍ରଜରାଜନଗରଠାରେ ୩୨୪ କୋଟି ଟଙ୍କା ବ୍ୟୟରେ ଏହି ମେଗା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ହୀରାକୁଦ ଜଳଭଣ୍ଡାରରୁ ଜଳ ଆଣି ବନହରପାଲିଠାରେ ବିଶୋଧନ କରାଯାଇ ପ୍ରତିଦିନ ୧୦୦ ଲକ୍ଷ ଲିଟର ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି। ଏଥିରୁ ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ ପୌରାଂଚଳକୁ ୫୦ ଲକ୍ଷ ଲିଟର ଏବଂ ଗ୍ରାମାଂଚଳକୁ ୫୦ ଲକ୍ଷ ଲିଟର ପାଣି ଯୋଗାଣର ଲକ୍ଷ୍ୟ ରହିଛି। ୱାଟକୋ ପକ୍ଷରୁ ଝାରସୁଗୁଡ଼ା ପୌର ପରିଷଦକୁ ୨୫ ଲକ୍ଷ, ବ୍ରଜରାଜନଗରକୁ ୧୩ ଲକ୍ଷ ଓ ବେଲପାହାଡ଼କୁ ୧୨ ଲକ୍ଷ ଲିଟର ପାଣି ଯୋଗାଇବାର ବ୍ୟବସ୍ଥା ହୋଇଛି।
ତେବେ ପ୍ରକଳ୍ପ କାର୍ଯ୍ୟକାରୀ ହେବାର ବର୍ଷ ବିତିଯାଇଥିଲେ ମଧ୍ୟ ଅନେକ ଅଂଚଳରେ ନିୟମିତ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ। ଅନେକ ସ୍ଥାନରେ ପାଇପ୍ ବିଛାଇ ପ୍ରଶାସନ ଦାୟିତ୍ୱ ସାରିଦେଇଥିବା ଅଭିଯୋଗ ହୋଇଛି। ପାଇପ୍ରେ ତ୍ରୁଟି ଓ ଫାଟ ଯୋଗୁଁ ଜଳ ଯୋଗାଣ ବାଧାପ୍ରାପ୍ତ ହେବା ସହ ବହୁ ପରିମାଣର ବିଶୁଦ୍ଧ ଜଳ ଅଯଥାରେ ନଷ୍ଟ ହେଉଛି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ୧୧ ନମ୍ବର ୱାର୍ଡର ବେହେରମାଲ ନୂଆପଡ଼ା ଅଂଚଳ ଏହାର ଏକ ଉଦାହରଣ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ଗତ ପ୍ରାୟ ଦୁଇ ବର୍ଷ ଧରି ଏଠାରେ ପାନୀୟ ଜଳ ଯୋଗାଣ ଠିକ୍ ଭାବେ ହେଉନଥିଲା। ଦୀର୍ଘ ଦିନ ପରେ ପାଣି ଆସିଥିଲେ ମଧ୍ୟ ଏବେ ପାଇପ୍ ଫାଟିଯିବାରୁ ଜଳ ଘରକୁ ଯିବା ପରିବର୍ତେ ସିଧାସଳଖ ଡ୍ରେନକୁ ବୋହିଯାଉଛି।
ପାଇପ୍ ମରାମତି ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା ସେମାନେ କହିଛନ୍ତି। ଫଳରେ ଗୋଟିଏ ପଟେ ଲୋକେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଥିବା ବେଳେ ଅନ୍ୟପଟେ ମୂଲ୍ୟବାନ ବିଶୁଦ୍ଧ ଜଳ ଡ୍ରେନ୍ରେ ପଡ଼ି ନଷ୍ଟ ହେଉଛି।
ଝାରସୁଗୁଡ଼ା, ବ୍ରଜରାଜନଗର ଓ ବେଲପାହାଡ଼ ପୌର ପରିଷଦର ବିଭିନ୍ନ ୱାର୍ଡ ଓ ଗଳିକନ୍ଦିରେ ହୋଇଥିବା ପାଇପ୍ ସଂଯୋଗଗୁଡ଼ିକର ତୁରନ୍ତ ଯାଂଚ କରାଯାଇ ତ୍ରୁଟି ଚିହ୍ନଟ କରିବାକୁ ଦାବି ହୋଇଛି। ଏଥିସହ ଫାଟିଥିବା ପାଇପ୍ଗୁଡ଼ିକର ଶୀଘ୍ର ମରାମତି କରି ପ୍ରତ୍ୟେକ ଘରକୁ ନିୟମିତ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବାକୁ ସ୍ଥାନୀୟ ଲୋକେ ୱାଟକୋ କର୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି।
ଏ ସମ୍ପର୍କରେ ୱାଟକୋ ଅଧିକାରୀ ସୁବ୍ରତ ନାୟକଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିନଥିଲା।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ