
ଜୟପୁର 06 ସେପ୍ଟେମ୍ବର (ହି.ସ.)ବିକ୍ରମ ଦେବ ବିଶ୍ୱବିଦ୍ୟାଳୟ ପରିସରରେ ଭାରତର ପୂର୍ବତନ ରାଷ୍ଟ୍ରପତି, ମହାନ ଦାର୍ଶନିକ ଓ ଶିକ୍ଷାବିତ୍ ଡ଼. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମଦିନ ଅବସରରେ ଶିକ୍ଷକ ଦିବସ ଉତ୍ସାହ ଓ ଶ୍ରଦ୍ଧାର ସହ ପାଳନ କରାଯାଇଥିଲା।
ଏହି ଅବସରରେ ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳପତି ପ୍ରଫେସର ହୃଷୀକେଶ ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷକ ଦିବସର ମହତ୍ତ୍ୱ ଓ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ମୂଲ୍ୟବାନ ମତବ୍ୟକ୍ତ କରିଥିଲେ। ବିଶ୍ୱବିଦ୍ୟାଳୟର ମାନ୍ୟବର କୁଳସଚିବ ଶ୍ରୀ ମହେଶ୍ୱର ଚନ୍ଦ୍ର ନାୟକ ଏବଂ ପରୀକ୍ଷା ନିୟନ୍ତ୍ରକ ଶ୍ରୀ ରଞ୍ଜନ କୁମାର ପ୍ରଧାନ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିକ୍ଷକ ଓ ଶିକ୍ଷାର୍ଥୀଙ୍କୁ ଉତ୍ସାହିତ କରିଥିଲେ।
କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଓ ଗବେଷଣାରତ ଛାତ୍ରଛାତ୍ରୀମାନେ ଯୋଗଦେଇ ଶିକ୍ଷକଙ୍କ ଭୂମିକା, ଶିକ୍ଷାର ଉଦ୍ଦେଶ୍ୟ, ଗୁରୁ-ଶିଷ୍ୟ ପରମ୍ପରା ଏବଂ ଆଧୁନିକ ସମାଜ ଗଠନରେ ଶିକ୍ଷକଙ୍କ ଅବଦାନ ସମ୍ପର୍କରେ ନିଜ ନିଜର ମତାମତ ଓ ଅନୁଭୂତି ପ୍ରକାଶ କରିଥିଲେ।
ବକ୍ତାମାନେ କହିଥିଲେ ଯେ, ଶିକ୍ଷକ କେବଳ ପାଠ୍ୟପୁସ୍ତକର ଜ୍ଞାନ ପ୍ରଦାନ କରନ୍ତି ନାହିଁ; ସେମାନେ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ, ନୈତିକ ମୂଲ୍ୟବୋଧର ବିକାଶ ଏବଂ ଏକ ଉତ୍ତମ ସମାଜ ଗଠନରେ ମାର୍ଗଦର୍ଶକ ଭାବେ କାର୍ଯ୍ୟ କରନ୍ତି। ଡ଼. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜୀବନ ଓ ଦର୍ଶନରୁ ପ୍ରେରଣା ନେଇ ଶିକ୍ଷାକୁ ମାନବୀୟ ମୂଲ୍ୟବୋଧ ସହିତ ଯୋଡ଼ିବାର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।
ଏହି ସମ୍ମାନଜନକ କାର୍ଯ୍ୟକ୍ରମକୁ କ୍ୟାପ୍ଟେନ୍ ଡ଼. ଲକ୍ଷ୍ମଣ ପାତ୍ର ସମନ୍ୱୟ କରିଥିଲେ। ତାଙ୍କର ସୁଚାରୁ ସମନ୍ୱୟ ଓ ଉଦ୍ୟମ ଯୋଗୁଁ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।
ଶେଷରେ ଡ଼. ଅରୁଣ କୁମାର ରାଜ ଧନ୍ୟବାଦ ଅର୍ପଣ କରି ମାନ୍ୟବର କୁଳପତି, କୁଳସଚିବ, ପରୀକ୍ଷା ନିୟନ୍ତ୍ରକ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଗବେଷକ ଓ ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟକ୍ରମର ସଫଳତା ପାଇଁ କୃତଜ୍ଞତା ଜଣାଇଥିଲେ।
ଶିକ୍ଷକ ଦିବସର ଏହି ଆୟୋଜନ ଶିକ୍ଷକ-ଶିକ୍ଷାର୍ଥୀଙ୍କ ମଧ୍ୟରେ ଥିବା ଗୁରୁ-ଶିଷ୍ୟ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ସହିତ ଶିକ୍ଷାର ମହତ୍ତ୍ୱ ଓ ମାନବୀୟ ମୂଲ୍ୟବୋଧ ପ୍ରତି ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି