
ଚଣ୍ଡିଗଡ଼, ୭ ସେପ୍ଟେମ୍ବର (ହି.ସ.)- ପଞ୍ଜାବ ସରକାରଙ୍କ ବିରୋଧ ସତ୍ୱେ ସୋମବାର ସକାଳେ ପଞ୍ଜାବ ଲୋକ ଭବନରେ ଆୟୋଜିତ ଏକ ସମାରୋହରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ୩୭ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ଅଶ୍ୱିନୀ କୁମାର ମିଶ୍ର ଶପଥ ଗ୍ରହଣ କରିଛନ୍ତି । ପଞ୍ଜାବ ରାଜ୍ୟପାଳ ଗୁଲାବ ଚାନ୍ଦ କଟାରିଆ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।
ଜଷ୍ଟିସ୍ ମିଶ୍ରାଙ୍କ ପୂର୍ବରୁ ଜଷ୍ଟିସ୍ ଶୀଲ ନାଗୁ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ । ୨୦୨୬ ମସିହା ଜୁନ୍ ମାସରେ ସେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ ।
ରବିବାର ଦିନ ପଞ୍ଜାବ ସରକାର ଜଷ୍ଟିସ୍ ମିଶ୍ରାଙ୍କ ନିଯୁକ୍ତିକୁ ବିରୋଧ କରିଥିଲେ । ରାଜ୍ୟ ସରକାର ଏକ ଜରୁରୀକାଳୀନ ବୈଠକ ଡାକି ଏହି ନିଯୁକ୍ତି ବିରୋଧରେ ଏକ ସଂକଳ୍ପ ପାରିତ କରିଥିଲେ । ସରକାର କହିଥିଲେ ଯେ, ନିଯୁକ୍ତି ସମୟରେ ପଞ୍ଜାବ ସରକାରଙ୍କ ମତାମତ ନିଆଯାଇନଥିଲା ଏବଂ ନିର୍ଦ୍ଧାରିତ ଏସ୍. ଓ. ପି. ର ଉଲ୍ଲଂଘନ ହୋଇଥିଲା । ଏହି ଆଧାରରେ ସରକାର ଶପଥ ଗ୍ରହଣ ଉପରେ ସ୍ଥଗିତାଦେଶ ମାଗିଥିଲେ ।
ପୂର୍ବ ଘୋଷଣା ଅନୁଯାୟୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ଏବଂ ରାଜ୍ୟ ସରକାରଙ୍କ ଅନ୍ୟ ମନ୍ତ୍ରୀମାନେ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇନଥିଲେ । ସମାରୋହ ସମୟରେ ବିକ୍ଷୋଭ ହେବାର ସମ୍ଭାବନା ବିଷୟରେ ଗୁଇନ୍ଦା ଏଜେନ୍ସିମାନେ ସୂଚନା ଦେଇଥିଲେ । ଏହାକୁ ଦୃଷ୍ଟିରେ ରଖି ଚଣ୍ଡିଗଡ଼ ପୋଲିସ ଅନେକ ମାର୍ଗକୁ ସିଲ୍ କରି ଏବଂ ଟ୍ରାଫିକକୁ ଡାଇଭର୍ଟ୍ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି । ପଞ୍ଜାବ ଲୋକ ଭବନ ଆଡ଼କୁ ଯାଉଥିବା ଗାଡ଼ିଗୁଡ଼ିକୁ ପୁଙ୍ଖାନୁପୁଙ୍ଖ ଭାବେ ଯାଂଚ୍ କରାଯାଇଥିଲା ।
ଏହି ଅବସରରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି ଏବଂ ରାଜ୍ୟପାଳ ପ୍ରଫେସର ଅସୀମ କୁମାର ଘୋଷ ଉପସ୍ଥିତ ଥିଲେ । ମଂଚରେ ପଞ୍ଜାବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ନିର୍ଦ୍ଧାରିତ ଚେୟାର ଖାଲି ରହିଥିଲା । ହରିୟାଣା କୃଷି ମନ୍ତ୍ରୀ ଶ୍ୟାମ ସିଂ ରାଣାଙ୍କ ସମେତ ଅନେକ ଅଧିକାରୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ