
କେନ୍ଦୁଝର, ୦୭ ସେପ୍ଟେମ୍ବର(ହି.ସ.) – ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଆଂଚଳିକ କାର୍ଯ୍ୟାଳୟ ପକ୍ଷରୁ କେନ୍ଦୁଝର ସହରର ବିଭିନ୍ନ ସ୍ଥାନରେ ରୋଟାରୀ କ୍ଲବ, କେନ୍ଦୁଝରଗଡ଼ ପୌରପାଳିକା, ସ୍କୁଲ ଛାତ୍ରଛାତ୍ରୀ, ଶିଳ୍ପ ସଂସ୍ଥାର ପ୍ରତିନିଧିଙ୍କ ମିଳିତ ସହଯୋଗରେ ସମୂହ ପରିବେଶ ସଚେତନତା କାର୍ଯ୍ୟକ୍ରମ ଏବଂ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପରିବେଶ ସୁରକ୍ଷା, ପରିଚ୍ଛନ୍ନତା, ସ୍ୱଚ୍ଛ ଓ ସବୁଜ ପରିବେଶରେ ଜନ ସାଧାରଣଙ୍କ ସକ୍ରୀୟ ଅଂଶଗ୍ରହଣ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। ଆଜି ସକାଳୁ କେନ୍ଦୁଝର ସରକାରୀ ବସଷ୍ଟାଣ୍ଡ, କେନ୍ଦୁଝର ଡେଲି ମାର୍କେଟ ଏବଂ ବଳଦେବଜୀଉ ମନ୍ଦିର ଚର୍ତୃପାଶ୍ୱର୍ରେ ସାମୂହିକ ସଫେଇ କରାଯିବା ସହ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍କାଉଟ ଗାଇଡ, ଏନ୍ସିସି କ୍ୟାଡେଟ, ସ୍କୁଲ ଛାତ୍ରଛାତ୍ରୀ ପରିବେଶ ସୁରକ୍ଷା ପାଇଁ ପ୍ଲା-କାର୍ଡ଼ ଧରି ସ୍ଲୋଗାନ ଦେଇ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ, ପଲିଥିନ ଏବଂ ବିଭିନ୍ନ ସମାଗ୍ରୀ ବ୍ୟବହାର ନକରିବାକୁ ସଚେତନ କରି ଝୋଟରେ ତିଆରି ବ୍ୟାଗ ବ୍ୟବହାର କରିବାକୁ ସଚେତନ କରିଥିଲେ। ଏହି ଅବସରରେ ଜନ ସହଭାଗିତାମୂଳକ ସଫେଇ ଅଭିଯାନ ଓ ଶୋଭାଯାତ୍ରାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼(କେନ୍ଦୁଝର)ର ସହକାରୀ ପରିବେଶ ବୈଜ୍ଞାନିକ ସୌମ୍ୟରଞ୍ଜନ ପ୍ରଧାନ, ସହକାରୀ ପରିବେଶ ବୈଜ୍ଞାନିକ ଇପ୍ସି ଗିରି, କନିଷ୍ଠ ସହାୟକ ସନ୍ତୋଷ କୁମାର ନାୟକ, ଡିଇଓ ଲୁଲୁ ନାୟକ, ରୋଟାରୀ କ୍ଲବର ସଭାପତି ରୋଟାରିୟାନ ନିରୁପମା ସ୍ୱାଇଁ, ସମ୍ପାଦକ ଡାକ୍ତର ମମତା ରାଣୀ ଜେନା, ରୋଟାରିୟାନ ଇଂ ଦେବବ୍ରତ ସ୍ୱାଇଁ, ପ୍ରଶାନ୍ତ ସ୍ୱାଇଁ, ଧରିତ୍ରୀ ରାଉତ, ଅମୀୟ ବେହେରା, ବିଜୟନାଥ କାପୁର, ସ୍କାଉଟ ଶିିକ୍ଷକ ଗୁରୁଦେବ ମହାନ୍ତ, ଏନ୍ସିସି ଅଫିସର ବିଜୟ କୁମାର ବେହେରା ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ଶେଷରେ ସଫେଇ ଅଭିଯାନରେ ସଂଗୃହିତ କଠିନ ବର୍ଜ୍ୟବସ୍ତୁକୁ ପୌରପାଳିକାର କଠିନ ବର୍ଜ୍ୟ ପରିଚାଳନା ୟୁନିଟ୍କୁ ପଠାଯାଇଥିଲା। ପରିବେଶ ସଚେତନତା ଅଭିଯାନ ଅବସରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ଉଚ୍ଚ ବିଦ୍ୟାଳୟ ସ୍ତରରେ ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ କଲେଜ ସ୍ତରରେ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA