
ୱାଶିଂଟନ, ୦୭
ସେପ୍ଟେମ୍ବର (ହି.ସ.)। ଆମେରିକାର ମିଆମି ଅନ୍ତର୍ଜାତୀୟ ବିମାନବନ୍ଦରରେ ରବିବାର ଆମାଜନର ଏକ
ମାଲବାହୀ (କାର୍ଗୋ) ବିମାନ ରନୱେରୁ ବାହାରି ଏକ ଚାଷ ଜମିରେ ପହଞ୍ଚିଯାଇଥିଲା। ବିମାନଟି ଅନେକ
ଗାଡ଼ିକୁ ଧକ୍କା ଦେବା ପରେ ସେଥିରେ ନିଆଁ ଲାଗିଯାଇଥିଲା। ଅଧିକାରୀଙ୍କ ଅନୁଯାୟୀ, ଏହି
ଦୁର୍ଘଟଣାରେ ଅତି କମ୍ରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଅନ୍ୟ ୨
ଜଣଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଧିକାରୀମାନେ ଏହାର ସ୍ପଷ୍ଟୀକରଣ ଦେଇଛନ୍ତି।
ସେମାନେ କହିଛନ୍ତି ଯେ, ଦୁର୍ଘଟଣା ପରେ ବିମାନବନ୍ଦରରେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ବିମାନ
ଚଳାଚଳ ବନ୍ଦ ରହିଥିଲା।
ସିବିଏସ୍ ନ୍ୟୁଜ୍ର
ରିପୋର୍ଟ ଅନୁଯାୟୀ, ଦୁର୍ଘଟଣା ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଧିକାରୀମାନେ
କହିଥିଲେ ଯେ, ମାଲବାହୀ ବିମାନଟି ସ୍ଥାନୀୟ ସମୟ ଅନୁସାରେ ପ୍ରାୟ ଅପରାହ୍ଣ ୨ଟା
ବେଳେ ରନୱେରୁ ବାହାରିଯାଇଥିଲା। ଏହି ବିମାନଟି ପୁଏର୍ଟୋ ରିକୋର ସାନ୍ ଜୁଆନ୍ରୁ ମିଆମିରେ
ପହଞ୍ଚିଥିଲା। ଅଧିକାରୀମାନେ କହିଛନ୍ତି ଯେ,
ମୃତକମାନେ ବିମାନରେ ଥିଲେ ନା ବିମାନ ଧକ୍କା ଦେଇଥିବା ଗାଡ଼ିଗୁଡ଼ିକରେ
ଥିଲେ, ତାହା
ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
ଦୁର୍ଘଟଣା ପରେ ଆକାଶରେ କଳା
ଧୂଆଁ ଛାଇଯାଇଥିଲା। ମିଆମି-ଡେଡ୍ ରେସ୍କ୍ୟୁ ଫାୟାର ଚିଫ୍ ରେ ଜଦଲ୍ଲାହ କହିଛନ୍ତି ଯେ, ବିମାନର
କକ୍ପିଟ୍ରେ ପାଇଲଟ୍ ଏବଂ କୋ-ପାଇଲଟ୍ ଫସି ରହିଥିଲେ। କେତେକ ଲୋକ ଗାଡ଼ି ଭିତରେ ମଧ୍ୟ ଫସି
ରହିଥିଲେ। ଆଉ ଜଣେ ବ୍ୟକ୍ତି ଏକ ଗାଡ଼ି ତଳେ ଚାପି ହୋଇଯାଇଥିଲେ।
ଦୁର୍ଘଟଣା ପରେ ମିଆମି
ବିମାନବନ୍ଦରରେ ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ବିମାନ ଉଡ଼ାଣ ବନ୍ଦ ରହିଥିଲା। ବିମାନରୁ ଇନ୍ଧନ
ମଧ୍ୟ ଲିକ୍ ହେଉଥିଲା। ଦୁର୍ଘଟଣାର ଅନେକ ଘଣ୍ଟା ପରେ ମଧ୍ୟ ଦମକଳ କର୍ମଚାରୀମାନେ ଏହି ଲିକେଜ୍
ନିୟନ୍ତ୍ରଣ କରିବାରେ ଲାଗିଥିଲେ। ଦୁର୍ଘଟଣା ପରେ ପ୍ରାଇମ୍ ଏୟାରର ଏହି ବିମାନଟି ରାସ୍ତା କଡ଼ରେ
ଯାଇ ଅଟକି ରହିଥିଲା। ସେଠାରେ ଦୁଇଟି ବଡ଼ ଟ୍ରକ୍ ମଧ୍ୟ ଠିଆ ହୋଇଥିଲା। ଘଟଣାସ୍ଥଳର ଫଟୋରେ
ବିମାନଟି ତଳପଟେ ପଡ଼ିଥିବା ଦେଖାଯାଇଥିଲା। ନିଆଁ ଲାଗିଥିଲେ ମଧ୍ୟ ବିମାନର ଅଧିକାଂଶ ଅଂଶ
ସୁରକ୍ଷିତ ରହିଥିଲା।
ଏହି ବିମାନଟି ୩୨ ବର୍ଷ
ପୁରୁଣା ବୋଇଂ ୭୬୭। ଏହାକୁ ପ୍ରଥମେ ଯାତ୍ରୀ ପରିବହନ ପାଇଁ ନିର୍ମାଣ କରାଯାଇଥିଲା। ଦୁଇ
ଦଶନ୍ଧିରୁ ଅଧିକ ସମୟ ଧରି ଏହା ବିଭିନ୍ନ ଏୟାରଲାଇନ୍ସ ପାଇଁ ଉଡ଼ାଣ କରିଥିଲା। ୨୦୧୫ରେ ଏହାକୁ
ଏକ କାର୍ଗୋ ବିମାନରେ ପରିଣତ କରାଯାଇଥିଲା। ଏହି ଉଡ଼ାଣକୁ ଉତ୍ତର କାରୋଲିନାର କାର୍ଗୋ କମ୍ପାନୀ
‘୨୧ ଏୟାର’ ପରିଚାଳନା କରୁଥିଲା।
ଫ୍ଲାଇଟ୍ ଟ୍ରାକିଂ
ୱେବସାଇଟ୍ ଫ୍ଲାଇଟ୍ଅୱେୟାର ଅନୁଯାୟୀ,
ରବିବାର ଅପରାହ୍ଣ ପରେ ବିମାନବନ୍ଦରରେ ପ୍ରାୟ ୨୫୦ଟି ବିମାନ ଉଡ଼ାଣ
ବିଳମ୍ବିତ ହୋଇଥିଲା। ଜାତୀୟ ପରିବହନ ସୁରକ୍ଷା ବୋର୍ଡତଦନ୍ତ
ପାଇଁ ନିଜର ଏକ ଟିମ୍କୁ ମିଆମି ପଠାଇବାକୁ କହିଛି। ଏହି ଟିମ୍ର ନେତୃତ୍ୱ ବୋର୍ଡର ଅଧ୍ୟକ୍ଷା
ଜେନିଫର ହୋମେଣ୍ଡି କରିବେ। ଆମାଜନର ମୁଖପାତ୍ର କେଲି ନାଣ୍ଟେଲ କହିଛନ୍ତି ଯେ, କମ୍ପାନୀ
ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବ। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ନେଇ ଆମାଜନ ଦୁଃଖ ପ୍ରକାଶ
କରିଛି। କମ୍ପାନୀ ମୃତକଙ୍କ ପରିବାର, ନିକଟ ସମ୍ପର୍କୀୟ ଏବଂ ଦୁର୍ଘଟଣାରେ ପ୍ରଭାବିତ ସମସ୍ତଙ୍କ ପ୍ରତି
ସମବେଦନା ଜଣାଇଛି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା