
ଭୁବନେଶ୍ୱର, 07 ସେପ୍ଟେମ୍ବର (ହି.ସ.)- ପାରାଦୀପ ବନ୍ଦରର ୱେଷ୍ଟର୍ଣ୍ଣ ଡକ୍-୧ରେ
ପ୍ରଥମଥର ପାଇଁ ସଫଳତାର ସହ ଏକ କ୍ୟାପସାଇଜ୍ ଜାହାଜର ବର୍ଥିଂକୁ ପ୍ରଶଂସା କରିଛନ୍ତି
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ସୋସିଆଲ ହ୍ୟାଣ୍ଡେଲରେ ଏକ ବାର୍ତ୍ତା ଜାରି କରି
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶାର ସାମୁଦ୍ରିକ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ
ମାଇଲଖୁଣ୍ଟ। ପାରାଦୀପ ବନ୍ଦରର ୱେଷ୍ଟର୍ଣ୍ଣ ଡକ୍-୧ରେ ପ୍ରଥମଥର ପାଇଁ ଏକ କ୍ୟାପସାଇଜ୍ ଜାହାଜ
ସଫଳତାର ସହ ବର୍ଥିଂ କରାଯାଇଛି। ଏହା ଗଭୀର ଡ୍ରାଫ୍ଟ ଜାହାଜ ପରିଚାଳନା କ୍ଷମତାରେ ଏକ ବଡ଼
ଅଗ୍ରଗତିକୁ ସୂଚିତ କରୁଛି।
କଳିଙ୍ଗର ଐତିହାସିକ ସାମୁଦ୍ରିକ ପରମ୍ପରାଠାରୁ ଆରମ୍ଭ କରି
ଆଜିର ଆଧୁନିକ ବିଶ୍ୱ ବାଣିଜ୍ୟ ପର୍ଯ୍ୟନ୍ତ, ଓଡ଼ିଶା ଅଧିକ କ୍ଷମତା, ମଜବୁତ ଯୋଗାଯୋଗ ବ୍ୟବସ୍ଥା ଏବଂ
ଶିଳ୍ପ ବିକାଶର ନୂତନ ସୁଯୋଗ ସହ ନିଜର ସାମୁଦ୍ରିକ ଦିଗନ୍ତକୁ କ୍ରମାଗତ ଭାବେ ବିସ୍ତାର
କରିଚାଲିଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ
ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନ ଏବଂ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଜୀଙ୍କ ସହଯୋଗରେ ଓଡ଼ିଶା
ଭାରତର ଏକ ପ୍ରମୁଖ ସାମୁଦ୍ରିକ ପ୍ରବେଶଦ୍ୱାର ଭାବେ ନିଜର ଭୂମିକାକୁ ଆହୁରି ସୁଦୃଢ଼ କରୁଛି। କଳିଙ୍ଗର
ସାମୁଦ୍ରିକ ପରମ୍ପରାରୁ ପାରାଦୀପର ଆଧୁନିକ ସାମୁଦ୍ରିକ ଶକ୍ତି ପର୍ଯ୍ୟନ୍ତ—ଓଡ଼ିଶା ନିରନ୍ତର
ଭାବେ ଆଗକୁ ବଢ଼ିଚାଲିଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା