
ବାଗପତ (ଉତ୍ତରପ୍ରଦେଶ), ୦୭
ସେପ୍ଟେମ୍ବର (ହି.ସ.)। ବାଗପତ ଜିଲ୍ଲାର ଖେକଡ଼ା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଏକ
ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୩୨ ଜଣ ଆହତ
ହୋଇଛନ୍ତି। ରାଜସ୍ଥାନରୁ ବଦାୟୁଁ ଯାଉଥିବା ଯାତ୍ରୀଭର୍ତ୍ତି ଏକ ଗାଡ଼ି ଡିଭାଇଡରରେ ଧକ୍କା ଖାଇ
ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ଏହି ଦୁର୍ଘଟଣା ଘଟିଥିଲା।
ପୁଲିସ ସୂଚନା ଅନୁଯାୟୀ, ରାତି
ପ୍ରାୟ ୧୨ଟା ୩୦ ମିନିଟ୍ରେ ଡାଏଲ୍-୧୧୨ ମାଧ୍ୟମରେ ଦୁର୍ଘଟଣା ସମ୍ପର୍କରେ ସୂଚନା ମିଳିଥିଲା।
ସୂଚନା ପାଇବା ମାତ୍ରେ ଖେକଡ଼ା ଥାନା ପୁଲିସ,
୪ଟି ପିଆରଭି ଗାଡ଼ି ଏବଂ ଆମ୍ବୁଲାନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି
ତୁରନ୍ତ ରାହାତ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତମାନଙ୍କୁ ତୁରନ୍ତ ୩ଟି ହସ୍ପିଟାଲରେ
ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କୁ ସିଏଚ୍ସି ଖେକଡ଼ା, ସିଏଚ୍ସି ବାଗପତ ଏବଂ
ଜିଲ୍ଲା ହସ୍ପିଟାଲ ବାଗପତରେ ଚିକିତ୍ସା କରାଯାଉଛି। ଏମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା
ଗୁରୁତର ଥିବା କୁହାଯାଉଛି। ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଉଚ୍ଚତର ଚିକିତ୍ସା କେନ୍ଦ୍ରକୁ
ରେଫର କରାଯାଇଛି। ବାଗପତ ଏସ୍ପି ସୂରଜ କୁମାର ରାୟ ଏବଂ ଜିଲ୍ଲାପାଳ ଅସ୍ମିତା ଲାଲ ଘଟଣାସ୍ଥଳରେ
ପହଞ୍ଚି ସ୍ଥିତି ସମ୍ପର୍କରେ ଅବଗତ ହୋଇଛନ୍ତି। ସମସ୍ତ ଆହତଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ
ଦିଆଯାଇଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା
ସୃଷ୍ଟି ହୋଇଥିଲା। ତେବେ ପୁଲିସ ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଯାତାୟାତ ବ୍ୟବସ୍ଥାକୁ
ସ୍ୱାଭାବିକ କରିଥିଲା। ଏଥିସହ ମୃତକ ଓ ଆହତମାନଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରିବାର
ପ୍ରୟାସ ଜାରି ରହିଛି।
ବାଗପତ ଏସ୍ପି ସୂରଜ କୁମାର
ରାୟ ସୂଚନା ଦେଇଛନ୍ତି ଯେ, ଦୁର୍ଘଟଣାରେ ଆହତ ଓ ମୃତକଙ୍କ ସମ୍ପର୍କରେ ସୂଚନା ପାଇବା ପାଇଁ
ପରିବାର ସଦସ୍ୟମାନେ ୯୪୫୪୪୧୭୩୮୩ ନମ୍ବରରେ ଯୋଗାଯୋଗ କରିପାରିବେ। ଏହି ଦୁର୍ଘଟଣାରେ
ଏପର୍ଯ୍ୟନ୍ତ ୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା