
ଜୟପୁର, ୦୭ ସେପ୍ଟେମ୍ବର (ହି.ସ.) - ରୋଟାରୀ କ୍ଲବ୍ ଅଫ୍ ଜୟପୁର ପ୍ରାଇଡ୍ ପକ୍ଷରୁ ଶିକ୍ଷକ ଦିବସ ଅବସରରେ ଫୁଲବାଡ଼ସ୍ଥିତ ବିଜ୍ଞାନ ଇଣ୍ଟରନ୍ୟାସନାଲ୍ ସ୍କୁଲ ପରିସରରେ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା। କ୍ଲବ୍ ସଭାପତି ରୋଟାରିଆନ୍ କାଳୁରାମ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଏସ୍ଡିପିଓ ଆଇପିଏସ୍ ଅର୍ଚ୍ଚିତା ମିତଲ ଏବଂ ଡ. ମନୋରଞ୍ଜନ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ। ଜୟପୁର ସହରର ବିଭିନ୍ନ ଘରୋଇ ଉଚ୍ଚ ବିଦ୍ୟାଳୟର ୧୨ ଜଣ ଶିକ୍ଷକଙ୍କୁ ‘ନେସନ୍ ବିଲ୍ଡର୍ ଆୱାର୍ଡ’ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା। ଶିକ୍ଷା କ୍ଷେତ୍ରରେ ଅବଦାନ ଓ ଜାତି ଗଠନରେ ଭୂମିକା ପାଇଁ ସେମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ଏଥିସହ ଶିକ୍ଷା କ୍ଷେତ୍ର ସହ ଜଡ଼ିତ ୪ ଜଣ ରୋଟାରିଆନ୍ଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଏସ୍ଡିପିଓ ଅର୍ଚ୍ଚିତା ମିତଲଙ୍କ ନେତୃତ୍ୱରେ ଆୟୋଜିତ ‘ଇଣ୍ଡିଆ ଅ୨୦୪୭: ଟୁଡେ’ସ୍ ୟୁଥ୍ ବିଲ୍ଡିଂ ଟୁମରୋ’ସ୍ ନେସନ୍’ ବିଷୟକ ସୃଜନଶୀଳ ପ୍ରତିଯୋଗିତାର କୃତୀ ୩୬ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ଦିଆଯାଇଥିଲା। ଓଡ଼ିଆ ଓ ଇଂରାଜୀ ପ୍ରବନ୍ଧ, କବିତା, ଚିତ୍ରାଙ୍କନ, ସୁନ୍ଦର ହସ୍ତାକ୍ଷର ଓ ପୋଷ୍ଟର ଡିଜାଇନ୍ ଇତ୍ୟାଦି ୬ଟି ବର୍ଗରେ ପ୍ରତିଯୋଗିତା ହୋଇଥିଲା। କ୍ଲବ୍ ସମ୍ପାଦକ ରୋଟାରିଆନ୍ ନରେଶ ମହାକୁଳ ମଂଚାସୀନ ଥିବାବେଳେ ବରିଷ୍ଠ ରୋଟାରିଆନ୍ ଜି.ଭି. ରାଓ ମଂଚ ପରିଚାଳନା କରିଥିଲେ। ରୋଟାରିଆନ୍ ରାମନାଥ ସାହୁ, ମୁରଲୀଧର ସାବତ, ରାମହରି ପଣ୍ଡା, ପ୍ରକାଶ ନାୟକ ଓ ସୁରେଶ ପାଣିଗ୍ରାହୀଙ୍କ ସମେତ ଅନ୍ୟ ରୋଟାରିଆନ୍ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି