ଝାରସୁଗୁଡ଼ା ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସମୂହ ସଂଗଠନର ବାର୍ଷିକ ବୈଠକ ଓ ୩ ଦିନିଆ ଶାରୀରିକ ଶିକ୍ଷା ଶିକ୍ଷକ ଏବଂ ଶିକ୍ଷୟତ୍ରି ମାନଙ୍କ ଅଭିମୁଖୀକରଣ କାର୍ଯ୍ୟକ୍ରମ ଉଦଘାଟିତ
Annual meeting of district school athletic
ଝାରସୁଗୁଡ଼ା ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସମୂହ ସଂଗଠନର ବାର୍ଷିକ


ଝାରସୁଗୁଡ଼ା, ୮ ସେପ୍ଟେମ୍ବର (ହି.ସ.)- ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଝାରସୁଗୁଡ଼ା ଆନୁକୂଲ୍ୟରେ ଝାରସୁଗୁଡ଼ା ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନର ବାର୍ଷିକ ସାଧାରଣ ବୈଠକ ତଥା ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କ ପାଇଁ ୩ ଦିନିଆ ଆବାସିକ ଅଭିମୁଖୀକରଣ କାର୍ଯ୍ୟକ୍ରମ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ତଥା ସଂଗଠନର ସମ୍ପାଦକ ସୁଶାନ୍ତ ବେହେରାଙ୍କ ତତ୍ତ୍ୱାବଧାନରେ ଅନ୍ନପୂର୍ଣ୍ଣା ମଣ୍ଡପମ, ଏଚ. କଟାପାଲି ଠାରେ ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସମୂହ ସଂଗଠନର ସଭାପତି ଡ. ରାଧାକାନ୍ତ ଗର୍ତିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରବୀନ୍ଦ୍ର ମାଝୀ, ଝାରସୁଗୁଡ଼ା ଜିଲ୍ଲା କ୍ରୀଡ଼ା ଅଧିକାରୀ ଅମ୍ରିତ ଆଚାର୍ଯ୍ୟ, ଲଇକେରା ଗୋଷ୍ଠୀ ଶିକ୍ଷା ଅଧିକାରୀ ହିମାଂଶୁ ବାଗ, କୋଲାବିରା ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରକାଶ ସାହୁ, ସ୍ଥାନୀୟ ରତ୍ନାକର ସରକାରୀ ଉଚ୍ଚ ବିଦ୍ୟାଳୟ, ଏଚ.କଟାପାଲିର ପ୍ରଧାନ ଶିକ୍ଷୟତ୍ରୀ ସଂଗୀତା ଭୋଇ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଜ୍ବଳ ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୦୦ ଜଣ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀ ଯୋଗଦେଇଛନ୍ତି। ବାର୍ଷିକ ବୈଠକରେ ଜିଲ୍ଲାରେ ଗତ ଶିକ୍ଷାବର୍ଷରେ ଅନୁଷ୍ଠିତ କ୍ରୀଡ଼ା କାର୍ଯ୍ୟକଳାପର ସମୀକ୍ଷା ସହ ଆଗାମୀ ଶିକ୍ଷାବର୍ଷ ପାଇଁ କ୍ରୀଡ଼ା ଯୋଜନା ଓ ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜୋନାଲ, ବ୍ଲକ, ଜିଲ୍ଲା ଓ ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାର ସୁଚାରୁ ଆୟୋଜନ, ଛାତ୍ରଛାତ୍ରୀଙ୍କ କ୍ରୀଡ଼ା ପ୍ରତିଭା ଚିହ୍ନଟ, କ୍ରୀଡ଼ା ଉପକରଣ ଯୋଗାଣ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ୩ ଦିନିଆ ଅଭିମୁଖୀକରଣ କାର୍ଯ୍ୟକ୍ରମରେ ହକି, ହ୍ୟାଣ୍ଡବଲ, କ୍ରିକେଟ, ବ୍ୟାଡମିଣ୍ଟନ, କରାଟେ, ନେଟବଲ, ତାଇକୋଣ୍ଡୋ, ଭାରୋତ୍ତୋଳନ, ଧନୁର୍ବିଦ୍ୟା, ଯୋଗ, ଖୋ-ଖୋ, କବାଡ଼ି ଓ ଫୁଟବଲ ଆଦି ବିଭିନ୍ନ କ୍ରୀଡ଼ାର ନିୟମ, ମୌଳିକ କୌଶଳ ଓ ଆଧୁନିକ ପ୍ରଶିକ୍ଷଣ ପଦ୍ଧତି ଉପରେ ତାତ୍ତ୍ୱିକ ଓ ପ୍ରାୟୋଗିକ ଅଧିବେଶନ ମାଧ୍ୟମରେ ପ୍ରଶିକ୍ଷଣ ଦିଆଯିବ। ପ୍ରଥମ ଦିବସରେ ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ପ୍ରଶିକ୍ଷକ ସତ୍ୟରଞ୍ଜନ ପଣ୍ଡା ପ୍ରଶିକ୍ଷଣ ଦେଇଥିବା ବେଳେ ରାଜ୍ୟ ନେଟ ବଳ ସଂଘର ଆନ୍ତରାଜ୍ୟ ଅମ୍ପାୟାର ରଞ୍ଜିତ ଦାସ ପ୍ରଶିକ୍ଷଣ ଦେଇଥିଲେ l ଏଥିସହିତ ଫିଟନେସ୍, ଯୋଗ, କ୍ରୀଡ଼ାଜନିତ ଆଘାତର ପ୍ରାଥମିକ ଚିକିତ୍ସା ଏବଂ କ୍ରୀଡ଼ା ପ୍ରତିଭା ଚିହ୍ନଟ ସମ୍ପର୍କରେ ମଧ୍ୟ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରଶିକ୍ଷଣ ଦିଆଯିବ। କାର୍ଯ୍ୟକ୍ରମରେ ଅତିଥିମାନେ ବିଦ୍ୟାଳୟସ୍ତରରେ କ୍ରୀଡ଼ାର ବିକାଶ ଓ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶରେ ଶାରୀରିକ ଶିକ୍ଷାର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। କ୍ରୀଡ଼ା ପ୍ରତିଭାକୁ ଉତ୍ସାହିତ କରି ଝାରସୁଗୁଡ଼ା ଜିଲ୍ଲାରୁ ଅଧିକ ସଂଖ୍ୟକ ଖେଳାଳିଙ୍କୁ ରାଜ୍ୟ ଓ ଜାତୀୟସ୍ତରକୁ ପଠାଇବା ନିମନ୍ତେ ସମସ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ଆହ୍ୱାନ ଦିଆଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ରବି ନାରାୟଣ ପୂଜାରୀ ଉପସ୍ଥିତ ଅତିଥି ଓ ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande