
ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ଥାନା ମୁକୁନ୍ଦପୁର ପଂଚାୟତ ଅଧୀନ ଗୁଡ଼ୁପାଳ ଗ୍ରାମର ମାନସ ଦାସ (୪୧)ନାମକ ଜଣେ ଯୁବକଙ୍କର ଗୋପାଳିଆ କେନାଲରେ ଭାସିଯାଇ ମୃତ୍ୟୁ ହୋଇଥିବା ଜଣାଯାଇଛି। ସୋମବାର ରାତିରେ ମାନସ ଶୌଚ ହେବାକୁ ଯାଇ ଘରକୁ ଫେରିନଥିଲେ । ତାଙ୍କ ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର ପତା ମିଳିନଥିଲା । ମଙ୍ଗଳବାର ଯୁବକଙ୍କ ମୃତଦେହ ଗୋପାଳିଆ କେନାଲରେ ଭାସୁଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ପରେ ତାଙ୍କ ମୃତଦେହକୁ କେନାଲରୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଯୁବକଙ୍କ ବାପା ଗୌତମ ଦାସ ଏ ସମ୍ପର୍କରେ ଥାନାରେ ଲିଖିତ ଭାବେ ଜଣାଇବା ପରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାଯାଇଛି। ଯୁବକଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟାଖେଳିଯାଇଛି।ମୃତକଙ୍କ ପରିବରାଜୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ କୀର୍ତନ ରାଉତ ଓ ବିଜେଡି ପଂଚାୟତ ସଭାପତି ଗଣେଷ ପ୍ରସାଦ ନାୟକ ଦାବି କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ