
ନୂଆଦିଲ୍ଲୀ, ୮ ସେପ୍ଟେମ୍ବର (ହି.ସ.)- କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଦଳର ଗଣମାଧ୍ୟମ ଏବଂ ପ୍ରଚାର ବିଭାଗର ଅଧ୍ୟକ୍ଷ ପୱନ ଖେରା ଦିଲ୍ଲୀରେ ମଣିପୁରର ପ୍ରସିଦ୍ଧ ସଙ୍ଗୀତଜ୍ଞ ଚୋଙ୍ଗଥାମ ବିକ୍ରମ ସିଂହଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣାର ତୁରନ୍ତ ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ନେତାମାନେ ଦାବି କରିଛନ୍ତି ।
ମଲ୍ଲିକାର୍ଜୁନ୍ ଖର୍ଗେ ମଙ୍ଗଳବାର ଦିନ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ' ରେ କହିଛନ୍ତି ଯେ, ଏକ ଭିଡ଼ ଦ୍ୱାରା ଚୋଙ୍ଗଥାମ ବିକ୍ରମ ସିଂଙ୍କ ନୃଶଂସ ହତ୍ୟା ବିଜେପି ଶାସନରେ ଆଇନ ଶୃଙ୍ଖଳା ପରିସ୍ଥିତି ସହିତ ଜଡ଼ିତ ଆଉ ଏକ ଗୁରୁତର ଘଟଣା । ଛାତ୍ରଛାତ୍ରୀମାନେ ସୁରକ୍ଷିତ ନୁହନ୍ତି, ମହିଳାମାନଙ୍କ ଉପରେ ଅତ୍ୟାଚାର ହେଉଛି ଏବଂ ଉତର-ପୂର୍ବାଂଚଳର ଲୋକଙ୍କ ପ୍ରତି ଭେଦଭାବ ଭଳି ଘଟଣା ସାମ୍ନାକୁ ଆସୁଛି ବୋଲି ସେ କହିଛନ୍ତି ।
ଦିଲ୍ଲୀରେ ଅପରାଧର ସ୍ଥିତି ପାଇଁ ଉତରଦାୟିତ୍ୱ ଦାବି କରି ଖର୍ଗେ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ପୀଡ଼ିତ ପରିବାରକୁ ନ୍ୟାୟ ମିଳିବା ଉଚିତ୍ ଏବଂ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍ ବୋଲି କହିଛନ୍ତି ।
ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ଚୋଙ୍ଗଥାମ ବିକ୍ରମ ସିଂହ ତାଙ୍କ ଘର ବାହାରେ କିଛି ଲୋକଙ୍କୁ ଶବ୍ଦ ହ୍ରାସ କରିବାକୁ କହିଥିଲେ, କିନ୍ତୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ସେ କହିଛନ୍ତି ଯେ, ଏହି ଘଟଣା ଦିଲ୍ଲୀରେ ରହୁଥିବା ଉତର-ପୂର୍ବାଚଂଳର ପରିବାରଗୁଡ଼ିକର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି । ରାହୁଲ ଏହି ମାମଲାର ତ୍ୱରିତ ତଦନ୍ତ ଏବଂ ଦୋଷୀମାନଙ୍କୁ ନ୍ୟାୟର କାଠଗଡ଼ାକୁ ଆଣିବା ପାଇଁ ଦାବି କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ