
ନୂଆଦିଲ୍ଲୀ, ୮ ସେପ୍ଟେମ୍ବର (ହି.ସ.)- କଂଗ୍ରେସର ପଞ୍ଜାବ ପ୍ରଭାରୀ ଭାବରେ ନିଯୁକ୍ତ ହେବା ପରେ ଦଳର ସାଧାରଣ ସମ୍ପାଦକ ସଚିନ ପାଇଲଟ୍ ମଙ୍ଗଳବାର ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି । ଏହି ଅବସରରେ ପଞ୍ଜାବ କଂଗ୍ରେସର ସାଂଗଠନିକ ପ୍ରସଙ୍ଗ, ଆଗାମୀ ରାଜନୈତିକ କାର୍ଯ୍ୟକ୍ରମ ଏବଂ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଉପରେ ଆଲୋଚନା କରାଯାଇଥିଲା ।
ଦଳ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ସୋନିଆ ଗାନ୍ଧୀଙ୍କ ବାସଭବନରେ ଅନୁଷ୍ଠିତ ବୈଠକରେ ପାଇଲଟ୍ ରାହୁଲ ଗାନ୍ଧୀଙ୍କ ସହ ପଞ୍ଜାବ କଂଗ୍ରେସର ସାଂଗଠନିକ ସ୍ଥିତି, ଦଳର ନେତାଙ୍କ ମଧ୍ୟରେ ସମନ୍ୱୟ ଏବଂ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ବିଷୟରେ ଆଲୋଚନା କରିଥିଲେ । ରାହୁଲ ଗାନ୍ଧୀଙ୍କ ପ୍ରସ୍ତାବିତ ପଞ୍ଜାବ ଗସ୍ତ ଉପରେ ମଧ୍ୟ ଆଲୋଚନା ହୋଇଥିଲା ।
ଉଲ୍ଲେଖଯୋଗ୍ୟ ଯେ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ ନିକଟରେ ଏକ ସାଂଗଠନିକ ପୁନର୍ଗଠନରେ ସଚିନ ପାଇଲଟଙ୍କୁ ପଞ୍ଜାବର ପ୍ରଭାରୀ ନିଯୁକ୍ତ କରିଛନ୍ତି । ସେ ଏହି ପଦବୀରେ ଭୁପେଶ ବଘେଲଙ୍କ ସ୍ଥାନ ନେଇଛନ୍ତି ।
ବର୍ତମାନ ପଞ୍ଜାବରେ ଦଳର ସଂଗଠନକୁ ସୁଦୃଢ଼ କରିବା ଏବଂ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଦାୟିତ୍ୱ ପାଇଲଟ୍ଙ୍କ ଉପରେ ରହିବ । ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟରେ ସାଂଗଠନିକ କାର୍ଯ୍ୟକଳାପକୁ ତୀବ୍ର କରିବା ଉପରେ ଦଳର ନେତୃତ୍ୱ ଗୁରୁତ୍ୱ ଦେଉଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ