
ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆଗୁଆ ସୁରକ୍ଷା ପ୍ରସ୍ତୁତି ଉପରେ ଡିଜିପିଙ୍କ ଗୁରୁତ୍ୱାରୋପ
କଟକ/ଭୁବନେଶ୍ୱର, ୦୮ ସେପ୍ଟେମ୍ବର (ହି.ସ.) - ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ମଙ୍ଗଳବାର ପୂର୍ବାହ୍ନରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ରଙ୍କ ଅଧ୍ୟକ୍ଷତାରେ କେନ୍ଦ୍ରାଂଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାଗୁଡ଼ିକର ଆଇନ-ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ପୋଲିସ ବ୍ୟବସ୍ଥା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।
ବୈଠକରେ ଜିଲ୍ଲାଗୁଡ଼ିକର ସାମଗ୍ରିକ ଆଇନ-ଶୃଙ୍ଖଳା ସ୍ଥିତି ସହ ହତ୍ୟା, ଚୋରି, ଡକାୟତି ଓ ଲୁଣ୍ଠନ ଭଳି ଗୁରୁତର ଅପରାଧର ନିୟନ୍ତ୍ରଣ, ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁହାର ହ୍ରାସ, ଅବକାରୀ ଅପରାଧ ଦମନ, ‘ନିଶାମୁକ୍ତ ଓଡ଼ିଶା’ ଗଠନ ଦିଗରେ ପଦକ୍ଷେପ, ସାଇବର ଅପରାଧ, ମାମଲାର ତଦନ୍ତ ତ୍ୱରାନ୍ୱିତ କରି ସଠିକ୍ ସମୟରେ ଚାର୍ଜସିଟ୍ ଦାଖଲ ଏବଂ ଦଣ୍ଡାଦେଶ ହାର ବୃଦ୍ଧି ଆଦି ବିଷୟରେ ଡିଜିପି ଜିଲ୍ଲା ଏସ୍ପିମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
ଡିଜିପି ଶ୍ରୀ ମିଶ୍ର କହିଥିଲେ ଯେ, ରାଜ୍ୟର ଅନେକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା କେନ୍ଦ୍ରାଂଚଳ ରେଞ୍ଜ ଅଧୀନରେ ଥିବାରୁ ଏହି ଅଂଚଳର ଆଇନ-ଶୃଙ୍ଖଳା ସ୍ଥିତିର ବିଶେଷ ଗୁରୁତ୍ୱ ରହିଛି। ଆଗାମୀ ଦିନରେ ଗଣେଶ ପୂଜା, ନୂଆଖାଇ, ବିଶ୍ୱକର୍ମା ପୂଜା, ଦୁର୍ଗାପୂଜା, ଗଜଲକ୍ଷ୍ମୀ ପୂଜା, ଦୀପାବଳି/କାଳୀପୂଜା, ଅଁଳା ନବମୀ, ପଂଚୁକ ଓ ବାଲିଯାତ୍ରା ଭଳି ଅନେକ ପର୍ବପର୍ବାଣୀ ଅନୁଷ୍ଠିତ ହେବାକୁ ଥିବାରୁ ସେଗୁଡ଼ିକୁ ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ପରିବେଶରେ ସମ୍ପନ୍ନ କରିବା ପାଇଁ ଏବେଠାରୁ ଯୋଜନା ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ପାର୍ବଣ ସମୟରେ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପର୍ଯ୍ୟାପ୍ତ ପୋଲିସ ମୁତୟନ, ଭିଡ଼ ନିୟନ୍ତ୍ରଣ ଓ ସୁଚାରୁ ଟ୍ରାଫିକ ପରିଚାଳନା ଉପରେ ଡିଜିପି ଗୁରୁତ୍ୱାରୋପ କରିଥିଲେ। ଏଥିସହ ଶାନ୍ତି କମିଟି ବୈଠକ ଆୟୋଜନ କରିବା ସହ ସ୍ଥାନୀୟ ଜନପ୍ରତିନିଧି, ବିଭିନ୍ନ ସଂଗଠନ ଓ ସମ୍ପ୍ରଦାୟର ପ୍ରମୁଖ ବ୍ୟକ୍ତିବିଶେଷଙ୍କ ସହ ନିରନ୍ତର ସମନ୍ୱୟ ରକ୍ଷା କରିବାକୁ ସେ ଏସ୍ପିମାନଙ୍କୁ ପରାମର୍ଶ ଦେଇଥିଲେ। ସାମ୍ପ୍ରଦାୟିକ ଭାବେ ସମ୍ବେଦନଶୀଳ ଅଂଚଳରେ ନିୟମିତ ନଜର ରଖିବା ସହ ସମ୍ଭାବ୍ୟ ଅପ୍ରୀତିକର ଘଟଣାକୁ ପ୍ରତିହତ କରିବା ପାଇଁ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ ଉପରେ ସେ ଗୁରୁତ୍ୱ ଦେଇଥିଲେ।
ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ଉତମ ସମ୍ପର୍କ ଆଇନ-ଶୃଙ୍ଖଳା ରକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ବୋଲି ଡିଜିପି କହିଥିଲେ। ଏଥିପାଇଁ ସ୍ଥାନୀୟ ଥାନା ଅଧିକାରୀମାନେ ନିୟମିତ ଭାବେ ନିଜ ଅଂଚଳ ପରିଦର୍ଶନ କରି ସ୍ଥାନୀୟ ଜନପ୍ରତିନିଧି ଓ ବାସିନ୍ଦାଙ୍କ ସହ ଉତମ ସମ୍ପର୍କ ସ୍ଥାପନ କରି ସେମାନଙ୍କ ସମସ୍ୟା ଓ ଆଇନ-ଶୃଙ୍ଖଳା ସମ୍ପର୍କିତ ଅଭିଯୋଗ ପ୍ରତି ଦୃଷ୍ଟି ଦେବା ଦିଗରେ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି, ଏସ୍ଡିପିଓମାନେ ନିୟମିତ ଭାବେ ଅଧୀନସ୍ଥ ଥାନାଗୁଡ଼ିକ ପରିଦର୍ଶନ କରି ଥାନାର କାର୍ଯ୍ୟପ୍ରଣାଳୀ, ଅପରାଧ ତଦନ୍ତ, ମାମଲାର ଅଗ୍ରଗତି ଓ ପୋଲିସ ସେବା ପ୍ରଦାନ ବ୍ୟବସ୍ଥାର ତଦାରଖ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ।
ଅପରାଧ ନିୟନ୍ତ୍ରଣକୁ ଆହୁରି ପ୍ରଭାବଶାଳୀ କରିବା ଦିଗରେ ଅଭ୍ୟାସଗତ ଅପରାଧୀ ଓ ସଂଗଠିତ ଅପରାଧୀଙ୍କ ଗତିବିଧି ଉପରେ କଡ଼ା ନଜର ରଖି ସେମାନଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ବେଆଇନ ଗୋ-ଚାଲାଣ, ବେଆଇନ ଖଣିଜ ଉତ୍ତୋଳନ ଓ ପରିବହନ ରୋକିବା ପାଇଁ ନାକା ଚେକିଂ ଓ ପାଟ୍ରୋଲିଂକୁ ଅଧିକ ସୁଦୃଢ଼ କରିବା ସହ ନିୟମିତ ଚଢ଼ାଉ, ଯାନବାହନ ଯାଂଚ ଓ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଏସ୍?ପିମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି, ସୋସିଆଲ ମିଡିଆରେ ପ୍ରସାରିତ ଗୁଜବ, ଉତେଜନାମୂଳକ, ଆପତିଜନକ ଓ ବିଭ୍ରାନ୍ତିକର ତଥ୍ୟ ଉପରେ ନିରନ୍ତର ନଜର ରଖିବା ସହ ଏଭଳି ଅପପ୍ରଚାର ପ୍ରୟାସକୁ ମୁକାବିଲା କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଗୁଇନ୍ଦା ସୂଚନା ସଂଗ୍ରହ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରି ସମ୍ଭାବ୍ୟ ଅପରାଧ, ଅପ୍ରୀତିକର ଘଟଣା ଓ ଆଇନ-ଶୃଙ୍ଖଳା ସମ୍ପର୍କିତ ଆଶଙ୍କା ବିଷୟରେ ଆଗୁଆ ସୂଚନା ସଂଗ୍ରହ କରିବା ସହ ସେହି ଅନୁଯାୟୀ ତୁରନ୍ତ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ପୋଲିସର କାର୍ଯ୍ୟଦକ୍ଷତା ଆହୁରି ସଶକ୍ତ କରିବା ପାଇଁ ଥାନାଠାରୁ ଆରମ୍ଭ କରି ଜିଲ୍ଲା ଓ ରେଞ୍ଜ ସ୍ତର ପର୍ଯ୍ୟନ୍ତ ସମସ୍ତ ସ୍ତରରେ ଉତମ ସମନ୍ୱୟ, ନିୟମିତ ଯୋଗାଯୋଗ ଓ ଟିମ୍ୱର୍କ ବଜାୟ ରଖି ନିଷ୍ଠା ଓ ଦାୟିତ୍ୱବୋଧର ସହ କାର୍ଯ୍ୟ ସମ୍ପାଦନ କରିବାକୁ ଡିଜିପି ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ।
ଉକ୍ତ ବୈଠକରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ପ୍ରତୀକ ମହାନ୍ତି, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଏଚ୍ଆରପିସି) ୟତୀନ୍ଦ୍ର କୋଏଲ, ଆଇଜିପି (ପର୍ସୋନେଲ) ଏସ୍. ପ୍ରବୀଣ କୁମାର, ଆଇଜିପି (ଏସଟିଏଫ) ହିମାଂଶୁ ଲାଲ, ନିର୍ଦ୍ଦେଶକ(ଏସସିଆରବି) ଅବିନାଶ କୁମାର, ଡିଆଇଜିପି(ଏଚଆରପିସି) ରାଜେଶ ପଣ୍ଡିତ, ଆଇଜିପି (କ୍ରାଇମବ୍ରାଂଚ) ଡ଼ ସାର୍ଥକ ଷଡଙ୍ଗୀ, ଆଇଜିପି (ପ୍ରୋଭିଜନିଂ) ନୀତି ଶେଖର, ଆଇଜିପି (କେନ୍ଦ୍ରାଂଚଳ) ଡ଼ ସତ୍ୟଜିତ ନାଏକ, ଡିଆଇଜିପି (ପର୍ସୋନେଲ) ଯୁଗଳ କିଶୋର କୁମାର ବନୋଥଙ୍କ ସମେତ କେନ୍ଦ୍ରାଂଚଳ ରେଞ୍ଜ ଅଧୀନସ୍ଥ ଜିଲ୍ଲାର ଏସ୍ପିମାନେ ବୈଠକରେ ଯୋଗଦେଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା