ଧାମନଗରରେ ନିମ୍ନମାନର କାମ, ଛାତ ପକାଯିବାର ୧୦ ମିନିଟରେ ଭୁଶୁଡ଼ିଲା ମା' ବାସନ୍ତୀ ଦୁର୍ଗା ମଣ୍ଡପ ଛାତ, ଉଚ୍ଚସ୍ତରୀୟ ତଦନ୍ତ ଦାବି
ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ସ୍ୱଚ୍ଛ ପ୍ରଶାସନ ଓ ଦୁର୍ନୀତି ବିରୋଧରେ ସରକାରଙ୍କ ବଡ଼ବଡ଼ ଡିଣ୍ଡିମ ପିଟୁ ଥିବାବେଳେ ଧାମନଗର ବ୍ଲକ ରୁ ଆସିଛି ଏକ ଅତ୍ୟନ୍ତ ଚାଂଚଲ୍ୟକର ଘଟଣା। ହସନାବାଦ ପଂଚାୟତ ଅନ୍ତର୍ଗତ ଗୋପବନ୍ଧୁ ନଗର ହାଇସ୍କୁଲ ନିକଟସ୍ତ ‘ମା'' ବାସନ୍ତୀ ଦୁର୍ଗା ମଣ୍ଡପ ଘର ଛାତ ପକାଯିବାର ମା
DHAMNAGAR MAA BASANTI DURGA MANDAP CHATA BHUSUDILA


ଭଦ୍ରକ, ୮ ସେପ୍ଟେମ୍ବର (ହି.ସ.) - ସ୍ୱଚ୍ଛ ପ୍ରଶାସନ ଓ ଦୁର୍ନୀତି ବିରୋଧରେ ସରକାରଙ୍କ ବଡ଼ବଡ଼ ଡିଣ୍ଡିମ ପିଟୁ ଥିବାବେଳେ ଧାମନଗର ବ୍ଲକ ରୁ ଆସିଛି ଏକ ଅତ୍ୟନ୍ତ ଚାଂଚଲ୍ୟକର ଘଟଣା। ହସନାବାଦ ପଂଚାୟତ ଅନ୍ତର୍ଗତ ଗୋପବନ୍ଧୁ ନଗର ହାଇସ୍କୁଲ ନିକଟସ୍ତ ‘ମା' ବାସନ୍ତୀ ଦୁର୍ଗା ମଣ୍ଡପ ଘର ଛାତ ପକାଯିବାର ମାତ୍ର ୧୦ ମିନିଟ୍ ମଧ୍ୟରେ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି। ନିମ୍ନମାନର ସାମଗ୍ରୀ ବ୍ୟବହାର ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ସରକାରୀ ପାଣ୍ଠି କିପରି ପାଣିରେ ପଡ଼ୁଛି, ଏହି ଘଟଣା ତାହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛି। ଏହି ପ୍ରକଳ୍ପ ପାଇଁ ପୂର୍ବ ସରକାରଙ୍କ ସମୟରେ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମଲିକଙ୍କ ଉଦ୍ୟମରେ ୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇ ମୂଳ କାମ ଶେଷ ହୋଇଥିଲା। ଏହାପରେ ବର୍ତମାନର ସରକାରଙ୍କ ଅମଳରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଯୋଜନାରୁ ପ୍ରାୟ ୫ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇ ଛାତ କାମ କରାଯାଉଥିଲା। ମାତ୍ର ପ୍ରାୟ ୧୬ ଫୁଟ୍ ଉଚ୍ଚତାରେ ଏହି ଘର ନିର୍ମାଣ ହେଉଥିବାବେଳେ ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଅଘୋଷିତ ବୁଝାମଣା ଯୋଗୁଁ ନିମ୍ନମାନର ବାଉଁଶ ଓ ଭଙ୍ଗା ବାଉଁଶ ଦେଇ ସେଂଟ୍ରିଂ କରାଯାଇଥିଲା। ଫଳରେ ଛାତର ଭାର ସହି ନପାରି ନିର୍ମାଣ କାର୍ଯ୍ୟ ସରିବାର ମାତ୍ର କିଛି ମିନିଟ୍ ଭିତରେ ତାହା ଧୂଳିସାତ୍ ହୋଇଯାଇଥିଲା। ଭାଗ୍ୟ ବସତ କାହାର କିଛି କ୍ଷତି ହୋଇନାହିଁ।ସବୁଠାରୁ ବଡ଼ କଥା ହେଲା, ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ( ପ୍ରଭାତ ବେହେରାଙ୍କ ଅତ୍ୟଧିକ ଲାଭଖୋର ମନବୃତି ଏବଂ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ ଯୋଗୁଁ ଏଭଳି ସ୍ଥାୟୀ ନୁହେଁ ବରଂ ବିପଦପୂର୍ଣ୍ଣ କାମ କରାଯାଇଥିବା ଅଂଚଳରେ ଚର୍ଚ୍ଚା ହେଉଛି। ଜଣେ ଯନ୍ତ୍ରୀଙ୍କ ହାତରେ ଏକାସାଙ୍ଗେ ପ୍ରାୟ ୯ଟି ପଞ୍ଚାୟତର ଦାୟିତ୍ୱନ୍ୟସ୍ତ ଥିବାରୁ ସେ କୌଣସି ପ୍ରକଳ୍ପରେ ଠିକ୍ ଭାବେ ତଦାରଖ କରୁନାହାନ୍ତି ଏବଂ ଏହାର ସୁଯୋଗ ନେଇ ଠିକାଦାରମାନେ ମନମୁଖୀ କାମ କରି ସରକାରୀ ଟଙ୍କା ଲୁଟି ଚାଲିଛନ୍ତି।ସରକାରଙ୍କ ‘ଜିରୋ ଟଲରେନ୍ସ’ ନୀତିକୁ ଏଭଳି କର୍ମଚାରୀମାନେ ଖୋଲାଖୋଲି ଚ୍ୟାଲେଞ୍ଜ କରୁଥିବାରୁ ସାଧାରଣରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି। ଏହି ଦୁର୍ନୀତିର ପର୍ଦ୍ଦାଫାଶ କରିବା ସହ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦାୟୀ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୁଦ୍ଧରେ ଦୃଢ଼ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପରିଷଦ ସଭ୍ୟ ପ୍ରଦୀପ କୁମାର ମଲିକ ଦୃଢ଼ ଦାବି କରିଛନ୍ତି। ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବନବିହାରୀ ଦିନ୍ଧା ଙ୍କୁ ପଚାରିବାରୁ ସେ ଏହାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଶ୍ନ ଉଠୁଛି, କେବଳ ତଦନ୍ତର ପ୍ରତିଶ୍ରୁତି ରେ କଥା ସରିବ, ନା ପ୍ରକୃତରେ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ତାହାକୁ ହିଁ ଅପେକ୍ଷା।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande