ଘର ଭିତରୁ ମିଳିଲା ଗଳିତ ମୃତଦେହ
Deadbady recovered from house
ଘର ଭିତରୁ ମିଳିଲା ଗଳିତ ମୃତଦେହ


ଝାରସୁଗୁଡ଼ା, ୮ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ମହିଜୋର ଅଞ୍ଚଳରେ ଏକ ଘର ଭିତରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ମୃତକ ହେଲେ ମହିଜୋରର ଗୋଲବଦନ ପାଣ୍ଡେ (୫୫)।

ସୂଚନା ଅନୁଯାୟୀ, ଗୋଲବଦନ କିଛିଦିନ ଧରି ନିଜ ଘରୁ ବାହାରକୁ ଆସୁନଥିଲେ। ପଡ଼ୋଶୀମାନେ ତାଙ୍କୁ ଦେଖିବାକୁ ନପାଇ ପ୍ରଥମେ ସନ୍ଦେହ କରିଥିଲେ ମଧ୍ୟ ଏହାକୁ ଗୁରୁତ୍ୱ ଦେଇନଥିଲେ। ତେବେ ମଙ୍ଗଳବାର ଘର ଆଖପାଖରୁ ପ୍ରବଳ ଦୁର୍ଗନ୍ଧ ବାହାରିବା ପରେ ପଡ଼ୋଶୀମାନଙ୍କ ସନ୍ଦେହ ଘନୀଭୂତ ହୋଇଥିଲା। ଏହାପରେ କିଛି ପଡ଼ୋଶୀ ଘର ନିକଟକୁ ଯାଇ ଖୋଜାଖୋଜି କରିବା ବେଳେ ଘର ଭିତରେ ଗୋଲବଦନଙ୍କ ଗଳିତ ମୃତଦେହ ପଡ଼ିଥିବା ଦେଖିଥିଲେ। ଘଟଣା ସମ୍ପର୍କରେ ତୁରନ୍ତ ବେଲପାହାଡ଼ ପୁଲିସକୁ ଖବର ଦିଆଯାଇଥିଲା। ଖବର ପାଇ ବେଲପାହାଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଗୋଲବଦନଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଲା ଏବଂ ଏହା ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande