
ଝାରସୁଗୁଡ଼ା, ୮ ସେପ୍ଟେମ୍ବର (ହି.ସ.)- ବ୍ରଜରାଜନଗରରେ ନିର୍ମାଣାଧୀନ ଅଟଳ ବସ୍ଷ୍ଟାଣ୍ଡ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ବ୍ରଜରାଜନଗରବାସୀ ଓ ଯାତ୍ରୀମାନଙ୍କ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ସୋମବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଖଲିଆକାନି ଗ୍ରାମବାସୀଙ୍କ ପକ୍ଷରୁ ପ୍ରକଳ୍ପକୁ ନେଇ ଉଠାଯାଇଥିବା ଆପତ୍ତିର ସମାଧାନ କରି ନିର୍ମାଣ କାର୍ଯ୍ୟରେ ଆଉ ବିଳମ୍ବ ନକରିବାକୁ ଦାବି କରାଯାଇଛି।
ଦାବିପତ୍ରରେ ଦର୍ଶାଯାଇଛି ଯେ, ପ୍ରସ୍ତାବିତ ବସ୍ଷ୍ଟାଣ୍ଡର ସ୍ଥାନ ଜନସାଧାରଣଙ୍କ ପାଇଁ ଅତ୍ୟନ୍ତ ସୁବିଧାଜନକ। ଏହା ନିକଟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଥିବାରୁ ଗ୍ରାମାଞ୍ଚଳର ରୋଗୀ, ଜରୁରୀକାଳୀନ ରୋଗୀ ଓ ବୃଦ୍ଧବୃଦ୍ଧାମାନେ ସହଜରେ ଚିକିତ୍ସା ସେବା ପାଇପାରିବେ।
ସେହିପରି ବ୍ରଜରାଜନଗର କଲେଜ ନିକଟରେ ବସ୍ଷ୍ଟାଣ୍ଡ ହେଲେ ଛାତ୍ରଛାତ୍ରୀ, ବିଶେଷକରି ଛାତ୍ରୀମାନଙ୍କ ଯାତାୟାତ ଅଧିକ ସୁରକ୍ଷିତ ଓ ସୁବିଧାଜନକ ହେବ। ନିକଟରେ ଆହାର କେନ୍ଦ୍ର ଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀ ଓ ଶ୍ରମିକମାନେ ସ୍ୱଳ୍ପ ମୂଲ୍ୟରେ ଭୋଜନ ପାଇପାରିବେ। ଏହାଛଡ଼ା ଇକୋ ପାର୍କ ନିକଟରେ ଏକ ନିୟମିତ ବସ୍ଷ୍ଟାଣ୍ଡ କାର୍ଯ୍ୟକ୍ଷମ ହେଲେ ଅନିୟମିତ ପାର୍କିଂ ହ୍ରାସ ପାଇବା ସହ ସହରର ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ ସୁଧୁରିବ ବୋଲି ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ନିର୍ମାଣାଧୀନ ଏହି ବୃହତ୍ ପ୍ରକଳ୍ପକୁ ଅଧାରୁ ବନ୍ଦ କରିବା କିମ୍ବା ଅନ୍ୟତ୍ର ସ୍ଥାନାନ୍ତର କଲେ ସରକାରଙ୍କ ଆର୍ଥିକ କ୍ଷତି ହେବା ସହ ଜନସାଧାରଣଙ୍କୁ ମିଳିବାକୁ ଥିବା ସୁବିଧା ଆହୁରି ବିଳମ୍ବିତ ହେବ ବୋଲି ଦାବିକାରୀମାନେ କହିଛନ୍ତି। ଖଲିଆକାନି ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ପାଇଁ ସୀମା ପ୍ରାଚୀର ନିର୍ମାଣ, ଟ୍ରାଫିକ୍ ପରିଚାଳନାକୁ କଡ଼ାକଡ଼ି କରିବା ଏବଂ ସବୁଜ ବଳୟ ସୃଷ୍ଟି ଭଳି ପଦକ୍ଷେପ ନିଆଯାଇପାରିବ ବୋଲି ସେମାନେ ପ୍ରସ୍ତାବ ଦେଇଛନ୍ତି।
ବ୍ରଜରାଜନଗରର ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଅଟଳ ବସ୍ଷ୍ଟାଣ୍ଡ ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରି ଆବଶ୍ୟକ ଅନୁମତି ଶୀଘ୍ର ପ୍ରଦାନ କରିବାକୁ ସନ୍ତୋଷ କୁମାର ଦାଶ, ସତ୍ୟବ୍ରତ ପ୍ରଧାନ, ଅଶୋକ କୁମାର ପ୍ରଧାନଙ୍କ ସମେତ ବ୍ରଜରାଜନଗରବାସୀ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ