
ମାଲକାନଗିରି, ୮ ସେପ୍ଟେମ୍ବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୯ (ରାମନଗର) ଠାରେ ମିନି ବସଷ୍ଟାଣ୍ଡ ନିର୍ମାଣ ଦାବି ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ସହ ଅଞ୍ଚଳବାସୀ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି ।
ସୂଚନା ଅନୁସାରେ, ଏମଭି-୭୯ ର ଯୁବକ ସୁରଜ କୁମାର ବେହେରାଙ୍କ ନେତୃତ୍ୱରେ ଏହି ଦାବି ଉପସ୍ଥାପନ କରାଯାଇଥିଲା । ଜାତୀୟ ରାଜପଥ ନମ୍ବର ୩୨୬ କଡ଼ରେ ଥିବା ଏମଭି-୭୯ ଏକ ପ୍ରମୁଖ ବାଣିଜ୍ୟିକ ଓ ଯାତାୟାତ କେନ୍ଦ୍ର । ଏଠାରେ ସ୍ଥାୟୀ ବସଷ୍ଟାଣ୍ଡ ନଥିବାରୁ ବସ୍ ଗୁଡ଼ିକ ରାସ୍ତା କଡ଼ରେ ରହୁଛି, ଫଳରେ ଯାତାୟାତରେ ବାଧା ଓ ଦୁର୍ଘଟଣା ଆଶଙ୍କା ରହୁଛି । ଯାତ୍ରୀ ପ୍ରତୀକ୍ଷାଳୟ ଓ ମୁଖ୍ୟ ଛକରେ ଡ୍ରେନେଜ ବ୍ୟବସ୍ଥାର ଉନ୍ନତି ପାଇଁ ମଧ୍ୟ ଦାବି ହୋଇଛି । ଏହାର ଜବାବରେ ମନ୍ତ୍ରୀ ଏମଭି-୭୯ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ବୋଲି କହିବା ସହ କାଲିମେଳାରେ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଚାଲିଛି ଓ ଏମଭି-୭୯ ପାଇଁ ବିଭାଗୀୟ ସର୍ଭେ ପରେ ନିୟମ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଭିଡିଓ କନଫରେନ୍ସରେ ପଲ୍ଲୀମଙ୍ଗଳ କମିଟି ସମ୍ପାଦକ ସଲିଲ ଆଇଚ, ସଞ୍ଜୟ ଦାଶ, ଶଶାନ ସାନା, ସନ୍ଦୀପ ହାଲଦାର, ପ୍ରହଲ୍ଲାଦ ଦାସ, ଗୁଲୁମ କର ପ୍ରମୁଖ ଯୋଗ ଦେଇଥିଲେ । ମନ୍ତ୍ରୀଙ୍କ ଆଶ୍ୱାସନା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ