
ଝାରସୁଗୁଡ଼ା, ୮ ସେପ୍ଟେମ୍ବର (ହି.ସ.)- ଝାରସୁଗୁଡ଼ା ପୌରାଞ୍ଚଳର ୪ ନମ୍ବର ୱାର୍ଡ ଅନ୍ତର୍ଗତ ସିରିଆବଗିଚାରେ ନୂତନ ବିଦେଶୀ ମଦ ଦୋକାନ ଖୋଲାଯିବାକୁ ନେଇ ଅଞ୍ଚଳରେ ଅସନ୍ତୋଷ ତୀବ୍ର ହୋଇଛି। ଜନବସତି ନିକଟରେ ମଦ ଦୋକାନ ଖୋଲାଯାଇଥିବାରୁ ମହିଳା, ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କ ସୁରକ୍ଷା ନେଇ ଅଞ୍ଚଳବାସୀ ଚିନ୍ତା ପ୍ରକାଶ କରିଛନ୍ତି। ଦୋକାନଟିକୁ ତୁରନ୍ତ ଅନ୍ୟତ୍ର ସ୍ଥାନାନ୍ତର ଦାବିରେ ମଙ୍ଗଳବାର ଅଞ୍ଚଳବାସୀ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।
ସୂଚନା ଅନୁସାରେ, କିଛିମାସ ପୂର୍ବରୁ ହୋଇଥିବା ନିଲାମ ପ୍ରକ୍ରିୟାରେ ସିରିଆବଗିଚା ଅଞ୍ଚଳରେ ବିଦେଶୀ ମଦ ଦୋକାନ ପାଇଁ ଲାଇସେନ୍ସ ମିଳିଥିଲା। ଲାଇସେନ୍ସଧାରୀ ଚଳିତମାସ ୧ ତାରିଖରୁ ଏଠାରେ ମଦ ବିକ୍ରି ଆରମ୍ଭ କରିଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, ମଦ ଦୋକାନ ନିକଟସ୍ଥ ରାସ୍ତାଟି ରାଜପଥରୁ ସହରକୁ ଯିବା ପାଇଁ ଅଞ୍ଚଳର ଏକ ପ୍ରମୁଖ ରାସ୍ତା। ଏହି ରାସ୍ତା ଦେଇ ପ୍ରତିଦିନ ଛାତ୍ରଛାତ୍ରୀ, ଶିଶୁ, ମହିଳା ଓ କର୍ମଜୀବୀମାନେ ଯାତାୟାତ କରନ୍ତି। ମଦ ଦୋକାନ ଖୋଲିବା ପରେ ସନ୍ଧ୍ୟା ସମୟରେ ଏଠାରେ ମଦ୍ୟପଙ୍କ ଭିଡ଼ ଜମୁଥିବାରୁ ମହିଳାମାନେ ଅସୁରକ୍ଷିତ ଅନୁଭବ କରୁଥିବା ଅଭିଯୋଗ ହୋଇଛି। ଏହି ପରିସ୍ଥିତିରେ ମଦ ଦୋକାନଟିକୁ ଜନବସତି ଠାରୁ ଦୂରକୁ ସ୍ଥାନାନ୍ତର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଅଞ୍ଚଳବାସୀଙ୍କ ଅଭିଯୋଗ ଉପରେ ଜିଲ୍ଲାପାଳ କୁଣାଳ ମୋତିରାମ ଚହ୍ୱାଣ ଅବକାରୀ ଅଧୀକ୍ଷକଙ୍କ ସହ ଆଲୋଚନା କରିଥିବା ଏବଂ ସମସ୍ୟାର ସମାଧାନ ଦିଗରେ ସକାରାତ୍ମକ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଅଞ୍ଚଳବାସୀ କହିଛନ୍ତି।
ଗୁଲଜାର କୁମାର ଗୁପ୍ତା, ସୁବାସ ଅଗ୍ରୱାଲ, ନରେଶ ଅଗ୍ରୱାଲ, ବ୍ରିଜେଶ ତିୱାରୀ, ଅଭିଷେକ ଶର୍ମା, ରାଧେଶ୍ୟାମ ଭାରତୀ, ବିଜୟ କୁମାର, ଡ. ଅଶୋକ ଜଲାନ, ହୀରାମଣି ନାୟକ, ସୁରେଶ ଅଗ୍ରୱାଲ ଓ ଦିଲୀପ ତିୱାରୀଙ୍କ ନେତୃତ୍ୱରେ ବହୁ ପୁରୁଷ ଓ ମହିଳା ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଥିଲେ। ତେବେ ମଦ ଦୋକାନଟିକୁ ତୁରନ୍ତ ସ୍ଥାନାନ୍ତର କରାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ