




ସମ୍ବଲପୁର, ୮ ସେପ୍ଟେମ୍ବର (ହି.ସ.)- ଆଜି ପୂର୍ବାହ୍ନରେ ସମ୍ବଲପୁର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ପରିସରରେ ଜିଲ୍ଲା ପ୍ରଶାସନ ଦ୍ଵାରା ସମ୍ବଲପୁରର ବିକାଶମୂଳକ କାର୍ଯ୍ୟକ୍ରମର ସମନ୍ଵୟ ଓ କାର୍ଯ୍ୟକାରିତା ଉପରେ ଏକ ସମୀକ୍ଷା (ଦିଶା) କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଆଲୋଚନା ହୋଇଥିଲା । ମୁଖ୍ୟତଃ ଜଳସେଚନ, ରେଳବାଇ, ଟେଲିକମ୍ ଓ ବିଦ୍ୟୁତ ବିଭାଗର କାର୍ଯ୍ୟକାରିତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବୈଠକରେ ବ୍ୟାପକ ରଣନୀତି ପ୍ରସ୍ତୁତ କରାଯାଇଛି ବୋଲି ସାଂସଦ, ଶ୍ରୀ ପ୍ରଧାନ କହିଥିଲେ । ବର୍ତ୍ତମାନ ଜିଲ୍ଲାର ପ୍ରାୟ ୫୦ ପ୍ରତିଶତ ଚାଷଜମି ଜଳସେଚିତ ଥିବା ବେଳେ ଧନକଉଡ଼ା ଓ ମାନେଶ୍ୱର ଭଳି ବ୍ଲକରେ ଏହା ୭୦ ରୁ ୮୦ ପ୍ରତିଶତ ରହିଛି । ଜିଲ୍ଲାରେ ବର୍ତ୍ତମାନ ୮୦ ହଜାର ହେକ୍ଟର ଜଳସେଚିତ ଜମି ସହିତ ଆଗାମୀ ୨ ରୁ ୫ ବର୍ଷ ମଧ୍ୟରେ ଆଉ ୫୦,୦୦୦ ହେକ୍ଟର ଜମି ଯୋଡ଼ିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିପାଇଁ ମହାନଦୀ କମାଣ୍ଡ ଅଞ୍ଚଳର ନାଳ, ଝରଣା, ବନ୍ଧ, କଟା ଓ ଇନଷ୍ଟ୍ରିମ୍ ଷ୍ଟୋରେଜ୍ ବ୍ୟବସ୍ଥାକୁ ଉପଯୋଗ କରି ଏକ 'ଜିଲ୍ଲା ହାଇଡ୍ରୋଲୋଜି ମ୍ୟାପିଂ' ପ୍ରସ୍ତୁତ କରିବା ସହ ବୃହତ, କ୍ଷୁଦ୍ର, ମେଗା ଲିଫ୍ଟ, ଡିଆରଡିଏ ଓ ମୃତ୍ତିକା ସଂରକ୍ଷଣ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରାଯିବ ବୋଲି ସାଂସଦ ଶ୍ରୀ ପ୍ରଧାନ କହିଥିଲେ । ମେଗା ଲିଫ୍ଟ ଇରିଗେସନ କ୍ଷମତାକୁ ୧୩,୦୦୦ ହେକ୍ଟରରୁ ଦ୍ୱିଗୁଣିତ କରିବା ଏବଂ ନାକ୍ଟିଦେଉଳ, ରେଢ଼ାଖୋଲ, କୁଚିଣ୍ଡା, ବାମରା ଓ ଜମନକିରା ଭଳି ଉଚ୍ଚାଞ୍ଚଳରେ ପିଏମ୍-କୁସୁମ ଯୋଜନାରେ ବ୍ୟାପକ ସୌର ପମ୍ପ ସଂଯୋଗ ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ହୀରାକୁଦ କେନାଲର ଜୀର୍ଣ୍ଣୋଦ୍ଧାର ଏବଂ ଅଯୋଧ୍ୟା ସାଗର ଭଳି ଇନଷ୍ଟ୍ରିମ୍ ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଉପରେ ଆଲୋଚନା ହୋଇଥିଲା ।
ରେଳବାଇ ଭିତ୍ତିଭୂମି ସମ୍ପର୍କରେ ସୂଚନା ଦେଇ ସାଂସଦ ପ୍ରକାଶ କରିଛନ୍ତି ଯେ, ପ୍ରାୟ ୩୫୦ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର ମୁଖ୍ୟ ରେଳ ଷ୍ଟେସନର ନବକଳେବର କରାଯାଉଛି। ଏହା ସହିତ ହୀରାକୁଦ, ସମ୍ବଲପୁର ସିଟି, ରେଢ଼ାଖୋଲ ଓ ରେଙ୍ଗାଲି ଷ୍ଟେସନର ଆଧୁନିକୀକରଣ ତଥା ତୃତୀୟ ଓ ଚତୁର୍ଥ ଲାଇନ ନିର୍ମାଣର ସମୀକ୍ଷା କରାଯାଇଛି। ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ବରେଇପାଲି, ଅଇଁଠାପାଲି, କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ୱ ଏବଂ ବାଗଡ଼ିଆପଡ଼ା ଭଳି ରେଳ ଧାରଣାର ଉଭୟ ପାର୍ଶ୍ୱରେ ଥିବା ବସ୍ତି ବାସିନ୍ଦାଙ୍କ ସୁରକ୍ଷିତ ଯାତାୟାତ ପାଇଁ ପାଦଚଲା ଓଭରବ୍ରିଜ୍ ନିର୍ମାଣର ସମ୍ଭାବ୍ୟତା ଅନୁଧ୍ୟାନ କରିବାକୁ ରେଳ ବିଭାଗ ଓ ମ୍ୟୁନିସିପାଲ କର୍ପୋରେସନକୁ ଦାୟିତ୍ୱ ଦିଆଯାଇଛି । ଜିଲ୍ଲାରେ ବର୍ତ୍ତମାନ ୨୦୨ଟି ଟେଲିକମ୍ ଟାୱାର କାର୍ଯ୍ୟକ୍ଷମ ଅଛି। ଜିଲ୍ଲା ପ୍ରଶାସନ ଓ ପୋଲିସ ବିଭାଗର ଆକଳନ ଅନୁସାରେ ପ୍ରାୟ ୩୦୦ ନୂଆ ଟାୱାର ଆବଶ୍ୟକ। ସେଥିମଧ୍ୟରୁ ୬୦ଟି ମଞ୍ଜୁର ହୋଇସାରିଛି ଏବଂ ଆଗାମୀ ଦିନରେ ଆଉ ୨୦୦ ରୁ ୨୫୦ଟି ଟାୱାର ସ୍ଥାପନ କରି ଜିଲ୍ଲାକୁ ଶତପ୍ରତିଶତ କନେକ୍ଟିଭିଟି ପ୍ରଦାନ କରାଯିବ। ସମସ୍ତ ଟାୱାରରେ ୪ଜି ସେବା ଓ ନିରବଚ୍ଛିନ୍ନ ବିଦ୍ୟୁତ ସଂଯୋଗ ସୁନିଶ୍ଚିତ କରିବା ସହ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ, ସ୍ୱାସ୍ଥ୍ୟ ଉପକେନ୍ଦ୍ର ଏବଂ ହାଇସ୍କୁଲଗୁଡ଼ିକୁ ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସହ ଯୋଡ଼ିବା ପାଇଁ ବିଏସଏନଏଲ ଓ ଟେଲିକମ୍ ବିଭାଗକୁ ଏକ ସ୍ୱତନ୍ତ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ସାଂସଦ ନିର୍ଦ୍ଦେଶ ଦେଇଥିଲେ। ଗ୍ରାମାଞ୍ଚଳର ଶେଷ ସୀମା ପର୍ଯ୍ୟନ୍ତ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ପାଇଁ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଓ ବିଧାୟକମାନଙ୍କ ପରାମର୍ଶ କ୍ରମେ ଭିତ୍ତିଭୂମିର ଉନ୍ନତିକରଣ କରାଯିବ। ଜିଲ୍ଲାରେ ଏପର୍ଯ୍ୟନ୍ତ ପ୍ରାୟ ୬,୦୦୦ ଘରେ 'ପିଏମ୍ ସୂର୍ଯ୍ୟ ଘର, ମୁଫ୍ତ ବିଜୁଳି ଯୋଜନା' ସ୍ଥାପନ ହୋଇସାରିଛି। ଏହାକୁ ଆହୁରି ବ୍ୟାପକ କରିବା ପାଇଁ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବ। ସୌର ଶକ୍ତି ବ୍ୟବହାରକୁ ଏକ ଜନ ଆନ୍ଦୋଳନରେ ପରିଣତ କରି ବିଦ୍ୟୁତ ଖର୍ଚ୍ଚ କମାଇବା ଓ କ୍ଷୁଦ୍ର କୁଟୀର ଶିଳ୍ପକୁ ପ୍ରୋତ୍ସାହିତ କରିବାକୁ ଆହ୍ୱାନ ଦେଇଥିଲେ। ନିର୍ମାଣାଧୀନ ନୂତନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନରେ ଶତପ୍ରତିଶତ ସୌର ଶକ୍ତି ସ୍ଥାପନ କରିବା ପାଇଁ ସାଂସଦ କହିଥିଲେ। ଜିଲ୍ଲାର ସାମଗ୍ରିକ ବିକାଶ ତଥା ଲୋକଙ୍କ ସୁବିଧା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଓ ଜନ ପ୍ରତିନିଧିମାନେ ପରସ୍ପର ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ସାଂସଦ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିଲେ।
ପ୍ରାରମ୍ଭରେ ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ସ୍ୱାଗତ ଭାଷଣ ଦେଇଥିଲାବେଳେ, ଶେଷରେ ଜିଲ୍ଲା ପରିଷଦର ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ର ଧନ୍ୟବାଦ ଭାଷଣ ପ୍ରଦାନ କରିଥିଲେ। ଆଜିର ବୈଠକରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ସୁର୍ଦର୍ଶନ ହରିପାଲ, ଜିଲ୍ଳାପରିଷଦ ଅଧ୍ୟକ୍ଷା କୁମୁଦିନି ନାୟକ, ଉତ୍ତରାଞ୍ଚଳ ରାଜସ୍ୱ ବିଭାଗୀୟ ଆୟୁକ୍ତ ସଂଗ୍ରାମ କେଶରୀ ମହାପାତ୍ର, ଉତ୍ତରାଞ୍ଚଳ ଆଇଜି ଚରଣ ସିଂହ ମୀନା, ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୂ ପ୍ରମୁଖ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ