
ବଲାଙ୍ଗୀର, ୦୮ ସେପ୍ଟେମ୍ବର(ହି.ସ.) – ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଗାନ୍ଧୀ ଷ୍ଟାଡିୟମ ଠାରେ ପ୍ରଥମ କ୍ୱାଟର ଫାଇନାଲ ଖେଳ ହୋଇଯାଇଛି। ଜିୱାଇଡିସି ନକଟାସର ୫-୧ ଗୋଲରେ ରାଇଜିଂ ଷ୍ଟାର ଟିଟିଲାଗଡ଼କୁ ହରାଇ ପ୍ରଥମ ଦଳ ଭାବେ ସେମିଫାଇନାଲକୁ ପ୍ରବେଶ କରିଛି। ନକଟାସର ତରଫରୁ ଶଙ୍କର ଭୁଏ ୩ଟି ଓ ବିକାଶ ଧରୁଆ ୨ଟି ଗୋଲ ଦେଇଥିବାବେଳେ ଟିଟିଲାଗଡ଼ ତରଫରୁ ଅଜୟ ସରାଫ ଗୋଟିଏ ଗୋଲ ସ୍କୋର କରିଥିଲେ। ଓଡ଼ିଶା ଫୁଟବଲ ଏସୋସିଏସନ ତଥା ଜିଲ୍ଲା କ୍ରୀଡ଼ା ସଂସଦ କାର୍ଯ୍ୟକାରୀ ସଭାପତି ଡ. ଶ୍ରୀକର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ କ୍ରୀଡ଼ା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, ଯୁଗ୍ମ ସଂପାଦକ ଶତୃଘନ ସିଂ, କ୍ରୀଡ଼ା ସଂପାଦକ ବିଭୂତି ଭୂଷଣ ପଣ୍ଡା, ବରିଷ୍ଠ ସଦସ୍ୟ ଜୟରାମ ମିଶ୍ର, ଶିଶିର କୁମାର ବହିଦାର ଓ ଡା. ସିଦ୍ଧେଶ୍ୱର ମିଶ୍ର ଯୋଗ ଦେଇଥିଲେ। ଜିଲ୍ଲା କ୍ରୀଡ଼ାଧିକାରୀ ପରାଶର ବାଗ ଓ ଶ୍ରୀକାନ୍ତ ରାଉତ ମଂଚାସିନ ଥିଲେ। କ୍ରୀଡ଼ା ସଂସଦର ସାଧାରଣ ସଂପାଦକ ହରିନାରାୟଣ ପୁଜାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଖେଳରେ କୋଷାଧ୍ୟକ୍ଷ ତଥା ଟୁର୍ଣ୍ଣାମେଂଟ କମିଟି ଅଧ୍ୟକ୍ଷ ହେମନ୍ତ କୁମାର ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଫୁଟବଲ ସଂପାଦକ ଶରତ କୁମାର ନନ୍ଦ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇ ଥିଲେ। ଖେଳକୁ ସଂଜିବ ମହାରଣା, ଉମେଶ ଭୋଇ, ସୁଶାନ୍ତ ନାଗ, ଜ୍ୟୋତି ରଂଜନ ମହାନନ୍ଦ ଓ ଜିତୁ ଦଲାଇ ପରିଚାଳନା କରିଥିଲେ। ବୁଧବାର ଆର୍.ଏନ୍. ସିଂଦେଓ ସ୍ପୋର୍ଟ କମ୍ପେ୍ଲସ ଠାରେ ସ୍ପୋର୍ଟ ହଷ୍ଟେଲ ବନାମ ରିଜର୍ଭ ପୋଲିସ ଏବଂ ଗାନ୍ଧୀ ଷ୍ଟାଡିୟମ ଠାରେ ବିକେସି ୟୁନାଇଟେଡ୍ ବନାମ ଜରାସିଂହା ମଧ୍ୟରେ ଖେଳ ହେବ ବୋଲି ସଂସଦ ପକ୍ଷରୁ ସୂଚନା ଦିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ