
ମାଲକାନଗିରି, ୮ ସେପ୍ଟେମ୍ବର (ହି.ସ.)- ଆଜି ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାର ସମସ୍ତ ଉନ୍ନୟନମୂଳକ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ପ୍ରଥମେଶ ଅରବିନ୍ଦ ରାଜେଶିର୍କେଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଜିଲ୍ଲାର ସମସ୍ତ ୭ଟି ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲା ପରିଷଦ ଅଧୀନରେ ଚାଲିଥିବା ଗ୍ରାମୀଣ ଭିତ୍ତିଭୂମି, ପାନୀୟ ଜଳ ଯୋଗାଣ, ରାସ୍ତାଘାଟ ନିର୍ମାଣ, ଶିକ୍ଷା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ପର୍କରେ ନିର୍ଦ୍ଦିଷ୍ଟ ବ୍ଲକୱାରୀ ବିସ୍ତୃତ ଆଲୋଚନା କରାଯାଇଥିଲା। ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନାର ସୁଫଳ ଯେପରି ଗାଁର ଶେଷ ଧାଡ଼ିରେ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଖରେ ସୁଚାରୁରୂପେ ପହଞ୍ଚିପାରିବ ଏବଂ କୌଣସି ଯୋଗ୍ୟ ହିତାଧିକାରୀ ଯେପରି ଏଥିରୁ ବଞ୍ଚିତ ନ ହୁଅନ୍ତି, ସେଥିପ୍ରତି ସଜାଗ ରହି କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ସମସ୍ତ ବିଡ଼ିଓ ଓ କ୍ଷେତ୍ରୀୟ କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ, ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବା ସହ କାର୍ଯ୍ୟର ମାନ ଓ ସ୍ୱଚ୍ଛତା ବଜାୟ ରଖିବାକୁ ସିଡିଓ ଗୁରୁତ୍ୱାରୋପ କରିଥିଲେ। ଏହା ସହିତ ବିକାଶମୂଳକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ ଓ ପ୍ରତିଯୋଗିତାମୂଳକ କରିବା ପାଇଁ ଆଗାମୀ ସମୀକ୍ଷା ବୈଠକରେ ପ୍ରତ୍ୟେକ ବ୍ଲକର ବିଡ଼ିଓ ସେମାନଙ୍କ ଅଞ୍ଚଳରେ କାର୍ଯ୍ୟକାରୀ ହୋଇଥିବା ଗୋଟିଏ ଲେଖାଏଁ ଶ୍ରେଷ୍ଠ ଓ ଅଭିନବ ପ୍ରକଳ୍ପ ସମ୍ପର୍କରେ ସ୍ୱତନ୍ତ୍ର ଉପସ୍ଥାପନ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ସରକାରୀ ଯୋଜନାର ସଫଳ ରୂପାୟନ ମାଧ୍ୟମରେ ମାଲକାନଗିରି ଜିଲ୍ଲାର ପ୍ରତ୍ୟେକ ଗ୍ରାମାଞ୍ଚଳରେ ବିକାଶ ପ୍ରକ୍ରିୟାକୁ ଆହୁରି ଜୋରଦାର କରିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ