
ଝାରସୁଗୁଡ଼ା, ୮ ସେପ୍ଟେମ୍ବର (ହି.ସ.)- ୟୁନେସ୍କୋ ଦ୍ୱାରା ପ୍ରତି ବର୍ଷ ସେପ୍ଟେମ୍ୱର ମାସ ଆଠ ତାରିଖକୁ ଆନ୍ତର୍ଜାତିକ ସାକ୍ଷରତା ଦିବସ ରୂପେ ପାଳନ କରାଯାଉଛି। ଏହି ମର୍ମରେ ଆଜି ସରବାହାଲ ସ୍ଥିତ ସଂସ୍କାର ପବ୍ଲିକ ସ୍କୁଲ ତରଫରୁ ଏହି ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ରବୀନ୍ଦ୍ର ମାଝି ଯୋଗ ଦେଇଥିବା ବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ, ପଞ୍ଚପଡ଼ା କ୍ଲଷ୍ଟର ସି ଆର ସି ସି ସରୋଜ ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
ଏହି ଅବସରରେ ବିଦ୍ୟାଳୟ ଇଂରାଜୀ ବିଭାଗର ପ୍ରାଚୀର ପତ୍ରିକା ' ଦ ବ୍ଲଜମ୍ ' ର ପ୍ରଥମ ବର୍ଷ ପ୍ରଥମ ସଂଖ୍ୟା ମୁଖ୍ୟ ଅତିଥିଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା। ଏଥିରେ ଛାତ୍ରଛାତ୍ରୀଙ୍କର ପ୍ରାୟ ୧୬ ଗୋଟି ନିଜସ୍ୱ କବିତା, କ୍ଷୁଦ୍ର ଗଳ୍ପ ପ୍ରକାଶିତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ମାଝୀ ଆଜି ଦିବସର ପାଳନର ଆଭିମୁଖ୍ୟ ବିଷୟରେ ଉପସ୍ଥାପନା କରିବା ସହିତ ଭବିଷ୍ୟତର ଉତ୍ତମ ନାଗରିକ ଗଠନ କରିବାରେ ବିଦ୍ୟାଳୟର ଶିକ୍ଷକଙ୍କ ସଂସ୍କାର ଭିତ୍ତିକ ଶିକ୍ଷା ଓ ନିଷ୍ଠାପର ପ୍ରଚେଷ୍ଟା ପ୍ରତି ଆଶା ପୋଷଣ କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ କନ୍ଦର୍ପ ସାହୁ ଓ ମୁଖ୍ୟ ଉପଦେଷ୍ଟା କୈଳାସ ଚନ୍ଦ୍ର ପଟ୍ଟନାୟକ ମଞ୍ଚାସିନ ଥିଲେ। ଶିକ୍ଷକ ଜସ୍ମିତ ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରିୟଙ୍କା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।
ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ