


ବଲାଙ୍ଗୀର, ୦୮ ସେପ୍ଟେମ୍ବର(ହି.ସ.) – ଶିକ୍ଷା ଓ ସାକ୍ଷରତାର ମହତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟର କନଫରେନ୍ସ ହଲ୍ଠାରେ ଅନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସୁଧାଂଶୁ ଶେଖର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାକ୍ଷରତାକୁ ସମାଜର ସାମଗ୍ରିକ ବିକାଶର ମୁଖ୍ୟ ଆଧାର ଭାବେ ଗୁରୁତ୍ୱାରୋପ କରାଯାଇଥିଲା। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ନୋଡାଲ ଅଧିକାରୀ ରୀନା କୁମାରୀ ବେହେରା ଯୋଗଦେଇ ସାକ୍ଷରତା ଦିବସର ଉଦ୍ଦେଶ୍ୟ ଓ ଏହାର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିବା ସହ ସାକ୍ଷରତା କେବଳ ପଢ଼ିବା ଓ ଲେଖିବାରେ ସୀମିତ ନୁହେଁ; ଏହା ଜ୍ଞାନ, ସୁଯୋଗ, ସମାନତା ଓ ଉନ୍ନତିର ଦ୍ୱାର ଖୋଲିଥାଏ ବୋଲି ସେ ନିଜ ବକ୍ତବ୍ୟରେ କହିଥିଲେ। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରବୀର କୁମାର ପଣ୍ଡା ଓ ସେବାଶ୍ରୀ ଭୋଇ ମଧ୍ୟ ନିଜ ବକ୍ତବ୍ୟ ରଖି ସମାଜର ପ୍ରତ୍ୟେକ ବର୍ଗଙ୍କ ମଧ୍ୟରେ ଶିକ୍ଷା ଓ ସାକ୍ଷରତାର ପ୍ରସାର ପାଇଁ ସମସ୍ତଙ୍କ ମିଳିତ ପ୍ରୟାସ ଆବଶ୍ୟକ ବୋଲି କହିଥିଲେ। ଏହି ଅବସରରେ ପିଏମ୍ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଓ ପିଏମ୍ଶ୍ରୀ ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟର ଛାତ୍ରମାନେ ସଚେତନତା ରାଲିରେ ସାମିଲ ହୋଇ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସାକ୍ଷରତାର ଆବଶ୍ୟକତା, ଶିକ୍ଷାର ମହତ୍ୱ ଓ ସମାଜରେ ଜ୍ଞାନର ପ୍ରସାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିଥିଲେ। ପରେ ଆୟୋଜିତ ସଭାରେ ଛାତ୍ରଛାତ୍ରୀ ମାନେ ସାକ୍ଷରତା ଓ ଶିକ୍ଷାର ପ୍ରସାର ପାଇଁ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର ଓ ଶିକ୍ଷକ କୃଷ୍ଣ ଚନ୍ଦ୍ର ଶତପଥୀ ମଂଚାସୀନ ଥିଲେ। ଜିଲ୍ଲାର ୧୪ଟି ବ୍ଲକରୁ ଉଲ୍ଲାସ' କାର୍ଯ୍ୟକ୍ରମରେ ଯୋଡି ହୋଇ ଅକ୍ଷର ଜ୍ଞାନ ହାସଲ କରିଥିବା ନବସାକ୍ଷରମାନେ ଏଥିରେ ଯୋଗଦେଇଥିଲେ। ସେମାନେ ଅକ୍ଷର ଜ୍ଞାନ ଶିଖିବା ପୂର୍ବର ଜୀବନ ଓ ଶିକ୍ଷା ହାସଲ କରିବା ପରେ ଆସିଥିବା ପରିବର୍ତନ ସମ୍ପର୍କରେ ନିଜ ଅଭିଜ୍ଞତା ବଖାଣିଥିଲେ। ଅକ୍ଷର ଚିହ୍ନିବା, ନିଜ ନାମ ଲେଖିବା ଓ ଦୈନନ୍ଦିନ ଜୀବନରେ ପଢ଼ାଲେଖାର ଉପଯୋଗ କରିପାରୁଥିବାର ଅନୁଭବ ସେମାନଙ୍କ ମୁହଁରେ ଆତ୍ମସନ୍ତୋଷ ଓ ଆତ୍ମବିଶ୍ୱାସ ଆଣିଥିବା ପ୍ରକାଶ ପାଇଥିଲା।ସେମାନଙ୍କ ଅଭିଜ୍ଞତା ଉପସ୍ଥିତ ଅନ୍ୟମାନଙ୍କୁ ମଧ୍ୟ ଅନୁପ୍ରାଣିତ କରିଥିଲା। ଶିକ୍ଷକ ହେମନ୍ତ ପଧାନ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଶିକ୍ଷକ ଜଗଦୀଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବ୍ଲକ ର ସିଆରସିସି ଓ ନବସାକ୍ଷରମାନେ ଯୋଗ ଦେଇଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ