ସରକାରୀ ଅର୍ଥ ହେରଫେର ଅଭିଯୋଗରେ ୪ ସରକାରୀ କର୍ମଚାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ
ସରକାରୀ ଅର୍ଥ ହେରଫେର ଅଭିଯୋଗରେ ୪ ସରକାରୀ କର୍ମଚାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ
ସରକାରୀ ଅର୍ଥ ହେରଫେର ଅଭିଯୋଗରେ ୪ ସରକାରୀ କର୍ମଚାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ


ସମ୍ବଲପୁର, ୦୮, ସେପ୍ଟେମ୍ବର (ହି.ସ.) ସରକାରୀ ଅର୍ଥ ହେରଫେର ଓ ଦୁର୍ନୀତି ବିରୋଧରେ ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଧରପଗଡ ହୋଇଛି। ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ମଙ୍ଗଳବାର ୪ ଜଣ ସରକାରୀ କର୍ମଚାରୀଙ୍କୁ ପୃଥକ ଜିଲ୍ଲାରୁ ଗିରଫ କରାଯାଇଛି।

ସମ୍ବଲପୁର ଜିଲ୍ଲା ଫାସିମାଲ ଓ ଗୋବିନ୍ଦପୁର ସିଏଚ୍ସିର ଜୁନିୟର ଆସିଷ୍ଟାଣ୍ଟ ମିର୍ ଇମତିଆଜ ଅଲୀକୁ ସରକାରୀ ଅର୍ଥ ୧ କୋଟି ୧୫ ଲକ୍ଷ ୧୪ ହଜାର ୫୩୯ ଟଙ୍କା ହେରଫେର ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି।

ଭିଜିଲାନ୍ସର ତଦନ୍ତ ଅନୁସାରେ, ୨୦୨୧-୨୨ରୁ ୨୦୨୬-୨୭ ଆର୍ଥିକ ବର୍ଷ ମଧ୍ୟରେ ଅଭିଯୁକ୍ତ ଅବସରପ୍ରାପ୍ତ କର୍ମଚାରୀଙ୍କ ନାମରେ ମିଥ୍ୟା ଅନଲାଇନ୍ ଓ ଅଫଲାଇନ୍ ବିଲ୍ ପ୍ରସ୍ତୁତ କରିଥିଲେ। ଏଥିରେ ବକେୟା ଦରମା, ଅବ୍ୟବହୃତ ଛୁଟି ନଗଦୀକରଣ ଓ ପ୍ରୋଭିଜନାଲ୍ ପେନସନ୍ ଭଳି ବିଭିନ୍ନ ଖାତା ସାମିଲ ଥିଲା।

ଫାସିମାଲ ସିଏଚ୍ସିରେ ଏହି ପ୍ରକ୍ରିୟାରେ ୭୦ ଲକ୍ଷ ୫୭ ହଜାର ୪୫୦ ଟଙ୍କା ନିଜ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର କରିଥିବାବେଳେ, ଗୋବିନ୍ଦପୁର ସିଏଚ୍ସିରେ ୪୪ ଲକ୍ଷ ୫୭ ହଜାର ୮୯ ଟଙ୍କା ହେରଫେର କରିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି।ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ୮ ସେପ୍ଟେମ୍ବର ୨୦୨୬ରେ କେସ୍ ନମ୍ବର ୧୪ ଓ ୧୫ ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ସ୍ପେଶାଲ୍ ଜଜ୍, ଭିଜିଲାନ୍ସ, ସମ୍ବଲପୁରଙ୍କ ଅଦାଲତରେ ହାଜର କରାଯିବ। ଘଟଣାର ତଦନ୍ତ ଜାରି ରହିଛି। ଅନ୍ୟପକ୍ଷରେ, ବାଲେଶ୍ୱର ଜିଲ୍ଲାରେ ବୃଦ୍ଧାବସ୍ଥା ପେନସନ୍ ପାଇଁ ଉଦ୍ଦିଷ୍ଟ ୧୬ ଲକ୍ଷ ୭୬ ହଜାର ୫୦୦ ଟଙ୍କା ହେରଫେର ଅଭିଯୋଗରେ ୩ ଜଣ ପଞ୍ଚାୟତ ସ୍ତରୀୟ ଅଧିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଧିକାରୀ ମାନେ ହେଲେ କଖରା ପଞ୍ଚାୟତର ପୂର୍ବତନ ପଞ୍ଚାୟତ ଏକ୍ସିକ୍ୟୁଟିଭ୍ ଅଫିସର (ପିଇଓ) ସୁବ୍ରତ କୁମାର ପତି, କୁମ୍ଭାରମୁଳି ଗ୍ରାମ ପଞ୍ଚାୟତର ପୂର୍ବତନ ପିଇଓ ଚିତ୍ତରଞ୍ଜନ ବାଗସିଂ ଏବଂ ଜଳେଶ୍ୱରପୁର ପଞ୍ଚାୟତର ଆକାଉଣ୍ଟାଣ୍ଟ-କମ୍-ଡାଟା ଏଣ୍ଟ୍ରି ଅପରେଟର ଗୌତମ ଦଳାଇ। ଭିଜିଲାନ୍ସ ତଦନ୍ତ ଅନୁସାରେ, ୨୦୨୨ରୁ ୨୦୨୫ ମଧ୍ୟରେ ଏହି ଅଧିକାରୀମାନେ ଭୋଗରାଇ ବ୍ଲକ୍ ଉନ୍ନୟନ କାର୍ଯ୍ୟାଳୟରୁ ବୃଦ୍ଧ ହିତାଧିକାରୀଙ୍କୁ ମାସିକ ସାମାଜିକ ସୁରକ୍ଷା ପେନସନ୍ ବଣ୍ଟନ ପାଇଁ ଅଗ୍ରିମ ଅର୍ଥ ଉଠାଉଥିଲେ। ତେବେ ବଣ୍ଟନ ପରେ ଅବ୍ୟବହୃତ ଅର୍ଥ ଫେରସ୍ତ କିମ୍ବା ହିସାବ ଦେବା ପରିବର୍ତ୍ତେ ମୋଟ ୧୬,୭୬,୫୦୦ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି।

ଏହି ମାମଲାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୨, ତାରିଖ ୮ ସେପ୍ଟେମ୍ବର ୨୦୨୬ରେ ମାମଲା ରୁଜୁ ହୋଇଛି। ତିନି ଅଭିଯୁକ୍ତଙ୍କୁ ସ୍ପେଶାଲ୍ ଜଜ୍, ଭିଜିଲାନ୍ସ, ବାଲେଶ୍ୱରଙ୍କ ଅଦାଲତରେ ହାଜର କରାଯାଇଥିବା ଜଣାପଡିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande