
କେନ୍ଦ୍ରାପଡ଼ା, ୦୮ ସେପ୍ଟେମ୍ବର(ହି.ସ.) – ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ା ତଥା ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ବାରୁଅ ସ୍ଥିତ ଭାବଗ୍ରାହୀ କଳା ନିକେତନ ଆନୁକୂଲ୍ୟରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ବାରୁଅ ସ୍ଥିତ ଶ୍ରୀରାଧାକୃଷ୍ଣ ମନ୍ଦିରରେ ପରିବେଷିତ ମନୋଜ୍ଞ ଆଧ୍ୟାତ୍ମିକ ନୃତ୍ୟ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କ ବଳିଷ୍ଠ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରତ୍ନମଞ୍ଜରୀ ପରିଡ଼ା, ପ୍ରତୀକ୍ଷା ନାୟକ, ଅଙ୍କିତା ପରିଡ଼ା, ଅର୍ପିତା ସାହୁ, ଅଙ୍କିତା ସାହୁ, ଅଭିଲିପ୍ସା ସାହୁ ପ୍ରମୁଖ କଳାକାରମାନେ ଚିତାକର୍ଷକ ନୃତ୍ୟ ପରିବେଷଣ କରିଥିଲେ। ପବିତ୍ର ଗୁରୁ ଦିବସ ଉପଲକ୍ଷେ ଭାବଗ୍ରାହୀ କଳା ନିକେତନର ଅକ୍ଷୟ ମହାନ୍ତି କକ୍ଷରେ ଅନୁଷ୍ଠିତ ଗୁରୁ ପୂଜନ ଓ ଗୁରୁ ବନ୍ଦନ କାର୍ଯ୍ୟକ୍ରମରେ ରଶ୍ମିତା ବେହେରା, ଶ୍ରାବଣୀ ନାଥ, ରୂପାଲି ସୂତାର, ଅଙ୍କିତା ପରିଡ଼ା, ରତ୍ନମଞ୍ଜରୀ ପରିଡ଼ା, ପାୟଲ ଦାସ, ହେନାଞ୍ଜଳି ଜେନା ଅଂଶଗ୍ରହଣ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ା ଏବଂ ସଙ୍ଗୀତ ଗୁରୁ ପ୍ରମୋଦ କୁମାର ଦାସ ଛାତ୍ର ଛାତ୍ରୀଙ୍କୁ ଗୁରୁ ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ବୁଝାଇଥିଲେ। ଧୂପ, ଦୀପ, ଫୁଲ, ଚନ୍ଦନ ଓ ନୈବେଦ୍ୟ ଅର୍ପଣ କରି ଗୁରୁମାନଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ଆଦର୍ଶ ଶିକ୍ଷକ ନେତା ଅବନି କୁମାର ମହାନ୍ତିଙ୍କ ଅମ୍ଳାନ ସ୍ମୃତିରେ ଅବଧି ମହାନ୍ତି ସ୍ମୃତି ସଂସଦ ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ଭବନରେ ଭାବଗ୍ରାହୀ କଳା ନିକେତନର କଳାକାରମାନେ ସଙ୍ଗୀତଜ୍ଞ ବିମଳ ପ୍ରସାଦ ପରିଡ଼ାଙ୍କ ବଳିଷ୍ଠ ସଂଯୋଜନାରେ ଭକ୍ତି ସଙ୍ଗୀତ ଓ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ପରିବେଷଣ କରିଥିଲେ। ଅନ୍ୟତମ ଅତିଥି ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ଉତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସଙ୍ଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ ରୂପାଲି ସୂତାର, ହେନାଞ୍ଜଳି ଜେନା, ରେଖାଞ୍ଜଳି ଜେନା, ରଶ୍ମିତା ବେହେରା, ଶ୍ରାବଣୀ ନାଥ, ପାୟଲ ଦାସ ଏବଂ ରତ୍ନମଞ୍ଜରୀ ପରିଡ଼ା ପ୍ରମୁଖ କଳାକାରମାନେ ଭଜନ ଏବଂ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ପରିବେଷଣ କରିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରବି