
ନୂଆଦିଲ୍ଲୀ, ୮ ସେପ୍ଟେମ୍ବର (ହି.ସ.)- ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ର ଦକ୍ଷିଣ-ପୂର୍ବ ଏସିଆ ଆଂଚଳିକ କମିଟିର ୭୯ତମ ଅଧିବେଶନରେ ଭାରତର ଜନସ୍ୱାସ୍ଥ୍ୟ ସଫଳତାକୁ ଗୁରୁତ୍ୱପୂର୍ଣ୍ଣ ସମ୍ମାନ ମିଳିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ. ପି. ନଡ୍ଡା ଭାରତ ତରଫରୁ ଦୁଇଟି ସମ୍ମାନଜନକ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦକ୍ଷିଣ-ପୂର୍ବ ଏସିଆ ଆଂଚଳିକ ପୁରସ୍କାର ଗ୍ରହଣ କରିଛନ୍ତି ।
ଏହି ପୁରସ୍କାର ଗ୍ରହଣ କରିବା ପରେ ଖୁସି ବ୍ୟକ୍ତ କରି ଜେ. ପି. ନଡ୍ଡା ଏକ୍ସ' ରେ କହିଥିଲେ ଯେ, ଗତ ଦଶନ୍ଧି ଧରି ପ୍ରାଥମିକ ସ୍ୱାସ୍ଥ୍ୟସେବା ମାଧ୍ୟମରେ ମାତୃ ଏବଂ ନବଜାତ ଧନୁଷ୍ଟଙ୍କାର ଦୂରୀକରଣ ଏବଂ ପ୍ରଭାବଶାଳୀ ଭାବେ ଅଣସଂକ୍ରାମକ ରୋଗର ମୁକାବିଲା କରିବାରେ ନେତୃତ୍ୱ ପାଇଁ ଭାରତ ସମ୍ମାନିତ ହୋଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ପ୍ରାଥମିକ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିଛି, ଗୁଣାତ୍ମକ ସ୍ୱାସ୍ଥ୍ୟସେବାରେ ଲୋକଙ୍କ ପ୍ରବେଶ ବୃଦ୍ଧି କରିଛି ଏବଂ ଉଭୟ ସଂକ୍ରାମକ ଏବଂ ଅଣସଂକ୍ରାମକ ରୋଗର ମୁକାବିଲା ପାଇଁ ପ୍ରଭାବଶାଳୀ ପଦକ୍ଷେପ ନେଇଛି । ସେ କହିଥିଲେ ଯେ, ପ୍ରତ୍ୟେକ ନାଗରିକଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ