୪ ଦଫା ଦାବିରେ ଛାତ୍ର ସାମ୍ମୁଖ୍ୟର ରିଲେ ଅନଶନ
Really agitation by students
୪ ଦଫା ଦାବିରେ ଛାତ୍ର ସାମ୍ମୁଖ୍ୟର ରିଲେ ଅନଶନ


ଝାରସୁଗୁଡ଼ା, ୮ ସେପ୍ଟେମ୍ବର (ହି.ସ.)- ୪ ଦଫା ଦାବି ନେଇ ଝାରସୁଗୁଡ଼ା ଜିଲ୍ଲା ଛାତ୍ର ସାମ୍ମୁଖ୍ୟ ପକ୍ଷରୁ ମଙ୍ଗଳବାରଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିଶ୍ଚିତକାଳୀନ ରିଲେ ଅନଶନ ଆରମ୍ଭ ହୋଇଛି। ୨୦୧୯ ମସିହାରୁ ଦାବିଗୁଡ଼ିକ ନେଇ ସଂଗଠନ ଆନ୍ଦୋଳନ କରିଆସୁଥିବା ବେଳେ ଦାବି ପୂରଣ ନହେବାରୁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇଛି।

ସାମ୍ମୁଖ୍ୟର ପ୍ରମୁଖ ଦାବି ମଧ୍ୟରେ ଏଲ୍.ଏନ୍. କଲେଜର ସମ୍ପୂର୍ଣ୍ଣ ସରକାରୀକରଣ, ଯାନ୍ତ୍ରିକ ମହାବିଦ୍ୟାଳୟକୁ ଯାନ୍ତ୍ରିକ କଲେଜରେ ରୂପାନ୍ତର, ଉପାନ୍ତ ୧୯ ଖଣ୍ଡ ମୌଜା ଅଞ୍ଚଳରେ ସରକାରୀ ଡିଗ୍ରୀ କଲେଜ ସ୍ଥାପନ ଏବଂ ଝାରସୁଗୁଡ଼ାରେ ସମ୍ପୂର୍ଣ୍ଣ ସରକାରୀ ମେଡିକାଲ କଲେଜ ଖୋଲିବା ରହିଛି। ସାମ୍ମୁଖ୍ୟ ପକ୍ଷରୁ କୁହାଯାଇଛି ଯେ, ଗତମାସରେ ଏଲ୍.ଏନ୍. କଲେଜର ପ୍ରତିଷ୍ଠା ଦିବସ ଅବସରରେ କଲେଜର ସରକାରୀକରଣରେ ଆଇନଗତ ସମସ୍ୟା ଥିବା ଏବଂ ମେଡିକାଲ କଲେଜ ପାଇଁ ପିପିପି ମୋଡେଲର ପ୍ରସ୍ତାବ ରହିଥିବା ନେଇ ଜିଲ୍ଲାର ଦୁଇ ରାଜନେତା ମତ ରଖିଥିଲେ। ଏହାକୁ ନେଇ ଛାତ୍ର ସାମ୍ମୁଖ୍ୟ ଅସନ୍ତୋଷ ପ୍ରକାଶ କରି ଆନ୍ଦୋଳନକୁ ଓହ୍ଲାଇଥିବା କହିଛି। ଝାରସୁଗୁଡ଼ା ଜିଲ୍ଲା ପ୍ରଚୁର ରାଜସ୍ୱ ପ୍ରଦାନ କରୁଥିବାରୁ ଏଠାରେ ପିପିପି ମୋଡେଲ ନୁହେଁ, ସମ୍ପୂର୍ଣ୍ଣ ସରକାରୀ ମେଡିକାଲ କଲେଜ ସ୍ଥାପନ ଜିଲ୍ଲାବାସୀଙ୍କ ଅଧିକାର ବୋଲି ସାମ୍ମୁଖ୍ୟ ଦାବି କରିଛି। ଆନ୍ଦୋଳନ ପୂର୍ବରୁ ଜିଲ୍ଲା ପ୍ରଶାସନ ସହ ହୋଇଥିବା ଆଲୋଚନାରେ ନୂତନ ବିଶ୍ୱବିଦ୍ୟାଳୟ ଘୋଷଣା ପାଇଁ ସାମ୍ମୁଖ୍ୟ ପକ୍ଷରୁ ପ୍ରଶାସନକୁ ଧନ୍ୟବାଦ ଦିଆଯାଇଥିଲା। ତେବେ ବିଶ୍ୱବିଦ୍ୟାଳୟ ଓ ସରକାରୀ କଲେଜ ଦୁଇଟି ଭିନ୍ନ ପ୍ରସଙ୍ଗ ହୋଇଥିବାରୁ ଚାରି ଦଫା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସଂଗଠନ ସ୍ପଷ୍ଟ କରିଛି।

ପ୍ରଥମ ଦିନର ଅନଶନ ସନ୍ଧ୍ୟା ୫ଟାରେ ଶେଷ ହୋଇଥିବା ବେଳେ ବୁଧବାର ସକାଳ ୧୦ଟାରୁ ପୁଣି ଅନଶନ ଆରମ୍ଭ ହେବ। କାର୍ଯ୍ୟକ୍ରମରେ ସାମ୍ମୁଖ୍ୟ ସଭାପତି ଅସୀମ ପଟେଲ, ସଂଗଠନ ସମ୍ପାଦକ ଜିତେନ୍ଦ୍ରିୟ ଧୂରୁଆ, ଉପସଭାପତି ରବି ରୋହିଦାସ ଓ ସ୍ୱରୂପ କିସାନ, ଯୁଗ୍ମ ସମ୍ପାଦକ ନନ୍ଦୁ ରୋହିଦାସ, କୋଷାଧ୍ୟକ୍ଷ ଅଜୟ ବିଶ୍ୱାଳ, ବରିଷ୍ଠ ସମାଜସେବୀ ପ୍ରେମ ସାଗର ଦେହେରିଆ ଓ ଛାତ୍ରନେତା ଗୌରବ ବେସନ ପ୍ରମୁଖ ଉପସ୍ଥିତ ଥିଲେ। ଆଦିବାସୀ ନେତା ପ୍ରଭାକର ଓରାମ, ପଦ୍ମଲୋଚନ ବୁଦୁଲା, ଯୁବ ଆଇନଜୀବୀ ରାହୁଲ ରଏ ଓ ରୁପେଶ ମୁଣ୍ଡା ପ୍ରମୁଖ ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି।

ହିନ୍ଦୁସ୍ଥାନ ସମାଚାର / ସଞ୍ଜୟ


 rajesh pande